ଭୁବନେଶ୍ବର: କ୍ଷୀପ୍ର ଗତିରେ ଚାଲିଛି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣ କାର୍ଯ୍ୟ। ପ୍ରତି ସପ୍ତାହରେ ଗୋଟିଏ ପରେ ଗୋଟିଏ ଗାଁ ଜଳମଗ୍ନ ହୋଇ ଅସ୍ତିତ୍ବ ହରାଇବାରେ ଲାଗିଛି। କିନ୍ତୁ ମହିଳା ବୋଲି ପରିବାର କ୍ଷତିପୂରଣରୁ ବଞ୍ଚିତ ବଲାଙ୍ଗୀର ଜିଲ୍ଲା ପୋଢମୁଣ୍ଡ ଗାଁର ଗୁରୁବାରୀ ବୁଡ଼େକ, ବୃନ୍ଦାବତୀ ଗଡ଼ତିଆ ଭଳି ଅନେକ ବିସ୍ଥାପିତ। ଲିଙ୍ଗଭେଦ ବିରୋଧରେ ମୂଖର ପ୍ରଶାସନର ଏହା ଏକ ବଡ଼ ଧରଣର ଅନ୍ୟାୟ ବୋଲି ଅଭିଯୋଗ କରି ଉଭୟ ମହିଳା ନିଜ ପରିବାର ସହିତ ଶେଷ ପର୍ଯ୍ୟନ୍ତ ନିଜ ଘରକୁ ଜାବୁଡ଼ି ଧରି ରହିଥିଲେ। ଶେଷରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟଙ୍କୁ ଜୋରଜବରଦସ୍ତ କୁସମେଲ ଅସ୍ଥାୟୀ କଲୋନିକୁ ନିଆଯାଇଛି। ଏହି ବିସ୍ଥାପନ ଗୁରୁବାରୀଙ୍କ ପରିବାରକୁ ସର୍ବସ୍ବାନ୍ତ କରି ଦେଇଛି। ଏଥିପ୍ରତି ବଲାଙ୍ଗୀର ପ୍ରଶାସନ ଦୃଷ୍ଟି ନ ଦେଲେ ଲୋୟର ସୁକତେଲ ପ୍ରକଳ୍ପ ଥଇଥାନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ। ଅନ୍ୟଦିଗରେ ମହିଳା ବୋଲି କାହା ସହିତ ଅନ୍ୟାୟ କରାଯାଇ ନାହିଁ ବୋଲି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Advertisment

ପୋଢମୁଣ୍ଡ ଗାଁର ଇନ୍ଦ୍ରମଣି ବାଗ କହନ୍ତି, ଗୁରୁବାରୀଙ୍କ ବାପା ଏବଂ ମା ଗରିବ ମଜୁରିଆ। ସେମାନେ ଦୁଇ ଭାଇ, ଭଉଣୀ। ଅସମୟରେ ବାପାଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କ ସହଯୋଗରେ ନିକଟସ୍ଥ ଗାଁର ସାଧୁ ମହାଲିଙ୍ଗ ସହିତ ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଥିଲା। କିନ୍ତୁ ସାଧୁଙ୍କ ନିଜସ୍ବ ଘର ଏବଂ ପରିବାର ନଥିଲା। ତେଣୁ ସେମାନେ ପୋଢମୁଣ୍ଡ ସ୍ଥିତ ଗୁରୁବାରୀଙ୍କ ଗାଁରେ ରହିଲେ। ବର୍ତ୍ତମାନ ଉଭୟଙ୍କ ୩ ସନ୍ତାନ ମଧ୍ୟ ଅଛନ୍ତି। ବଡ଼ ପୁଅ ରାମ ମହାଲିଙ୍ଗ ଯୁକ୍ତ ଦୁଇ, ମଝିଆ ଏବଂ ସାନ ପୁଅ ଝିଅ ସରୋଜ, ଜୟନ୍ତୀ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି। ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ୨୦୦୮ ମସିହାରୁ ଯେଉଁ ଗ୍ରାମବାସୀଙ୍କୁ ପ୍ରାଥମିକ ପର୍ଯ୍ୟାୟର କ୍ଷତିପୂରଣ ମିଳିଥିଲା ଏଥିରେ ଗୁରୁବାରୀ ମଧ୍ୟ ଅଛନ୍ତି। ସେତେବେଳେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଘର ବାବଦରେ ୪୦ ହଜାର ଟଙ୍କା ଦିଆଯାଇଥିଲା। କ୍ଷତିପୂରଣ ପ୍ରଦାନ କାର୍ଯ୍ୟ ସରିନଥିବାରୁ ତାଙ୍କ ସମେତ ତାଙ୍କ ଅନ୍ୟ କୌଣସି ବିସ୍ଥାପିତ ଘର ଛାଡ଼ିନଥିଲେ। ବର୍ତ୍ତମାନ ୧୫ ବର୍ଷ ପରେ ଗୁରୁବାରୀଙ୍କ ପରିବାର ଆଡ଼କୁ ବଡ଼ ବିପତି ମାଡ଼ି ଆସିଛି। ୧୫ ବର୍ଷ ପୂର୍ବରୁ ଦିଆଯାଇଥିବା ୪୦ ହଜାର ଟଙ୍କା ଆଧାରରେ ୫ ସଦସ୍ୟ ବିଶିଷ୍ଟ ତାଙ୍କ ପରିବାରକୁ ଗାଁରୁ ତଡ଼ି ଦିଆଯାଇଛି।

ଗୁରୁବାରୀଙ୍କ କହିବା ଅନୁସାରେ, ତାଙ୍କ ବାପାଙ୍କ ନାମରେ ୩ ଡିସମିଲ ଜମି ରହିଛି। ଭାଇ ଏବଂ ସେ ଉଭୟ ଏହି ଗାଁରେ ରହୁଛନ୍ତି। ଭାଇଙ୍କୁ ପରିବାର କ୍ଷତିପୂରଣ ମିଳିଥିଲେ ମଧ୍ୟ ସେ ବିବାହିତା ହୋଇଥିବାରୁ ଏଥିରୁ ବାଦ ଦିଆଯାଇଛି। ଏପରିକି ଭୂମିହୀନ ଭାବରେ ଅନ୍ୟ ପୁରୁଷ ଲୋକଙ୍କୁ ଦିଆଯାଉଥିବା ୩ ଲକ୍ଷ ୫୦ ହଜାରରୁ ମଧ୍ୟ ତାଙ୍କୁ ବଞ୍ଚିତ କରାଯାଇଛି। ଏଣେ ୨୦୦୮ ମସିହାର ୪୦ ହଜାର ଟଙ୍କା ଦେଇ ଏବେ ତାଙ୍କୁ ଘର ଏବଂ ଗାଁ ଛାଡ଼ିବାକୁ କହିଲେ ସେ କେଉଁଠିକୁ ଯିଏ ଏବଂ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଗୁରୁବାରୀ ଏବଂ ସାଧୁ ଶ୍ରମିକ କାର୍ଯ୍ୟ କରନ୍ତି। କୁସମେଲ ଅସ୍ଥାୟୀ କଲୋନିରେ ଟିଣ ଘରେ ରହୁଛନ୍ତି। ୩ ମାସ ପରେ ଏହି ଘର ଛାଡ଼ି ସେମାନଙ୍କୁ ଘର ବ୍ୟବସ୍ଥା କରିବାକୁ ହେବ। ନୂତନ ସ୍ଥାନରେ ଜୀବିକା ମିଳିବା ନେଇତ ଅନିଶ୍ଚିତତା ରହିଛି କିନ୍ତୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦିଆନଗଲେ ସେମାନେ କେଉଁଠି ଘର କରିବେ ବୋଲି ପ୍ରଶ୍ନ କରିଛନ୍ତି। ୨୦୦୮ ମସିହାରୁ ବିବାହ ପରେ ମଧ୍ୟ ନିଜ ବାପା ମଙ୍ଗଳୁ ଗଡ଼ତିଆ ଏବଂ ମାଆ ସ୍ବର୍ଗତ ଇଲାବତୀ ଗଡ଼ତିଆଙ୍କ ସହିତ ରହୁଥିବା ବୃନ୍ଦାବତୀ(୪୦) ମଧ୍ୟ ପରିବାର କ୍ଷତିପୂରଣରୁ ବାଦ ଦିଆଯାଇଥିବା ଅଭିଯୋଗ କରନ୍ତି। ବାପାଙ୍କ ନାଁ ଥିବା ୫ ଏକର ଚାଷ ଜମି ପାଇଁ ତାଙ୍କୁ କ୍ଷତିପୂରଣ ମିଳିଲା କିନ୍ତୁ ୮.୪୮ ଲକ୍ଷ ଟଙ୍କାର ପରିବାର କ୍ଷତିପୂରଣରୁ ବଞ୍ଚିତ କରାଗଲା।

ଏହାକୁ ନେଇ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ଲାଭ ହେଉ ନାହିଁ। ଲୋୟର ସୁକତେଲ ପ୍ରକଳ୍ପ ଜମି ଅଧିଗ୍ରହଣରେ ବିବାହିତା ମହିଳାଙ୍କୁ ଜମି କ୍ଷତିପୂରଣ ପ୍ରଦାନ କରାଯାଉଛି କିନ୍ତୁ ପରିବାର କ୍ଷତିପୂରଣରୁ ବାଦ ଦିଆଯାଉଛି। ଯେଉଁ ମହିଳା ବିବାହ ପରେ ବାହାରେ ନିଜ ସ୍ବାମୀଙ୍କ ଘରେ ରହୁଛନ୍ତି ସେମାନଙ୍କୁ ପରିବାର କ୍ଷତିପୂରଣ ବାଦ ଦେବାରେ ଅସୁବିଧା ନାହିଁ। କିନ୍ତୁ ଯିଏ ବିବାହ ପରେ ନିଜ ମା, ବାପାଙ୍କ ସହିତ ନିଜ ଗାଁରେ ରହୁଛନ୍ତି ତାଙ୍କୁ କିଭଳି ପରିବାର କ୍ଷତିପୂରଣରୁ ବାଦ ଦିଆଯାଇ ପାରିବ ବୋଲି ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ସମେତ ବିଭିନ୍ନ ସାମାଜିକ କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି। କେବଳ ଏହି ଦୁଇ ମହିଳା ନୁହଁନ୍ତି ବିବାହ ପରେ ବାପା, ମାଙ୍କ ସହିତ ରହୁଥିବା ଅନେକ ବିସ୍ଥାପିତ ମହିଳାଙ୍କୁ ଏହି ସ୍ଥିତିର ସାମ୍ନା କରିବାକୁ ପଡ଼ୁଛି। ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଅଧିଗ୍ରହଣ ଦାୟିତ୍ବରେ ଥିବା ଅଧିକାରୀମାନେ କହିଛନ୍ତି, ପରିବାର କ୍ଷତିପୂରଣ ପ୍ରଦାନ ମହିଳା ଏବଂ ପୁରୁଷଙ୍କ ଆଧାରରେ କରାଯାଇ ନାହିଁ। ସର୍ଭେ ବେଳେ ଯେଉଁ ପରିବାର ଥିଲେ ସେହି ଅନୁଯାୟୀ ଟଙ୍କା ଦିଆଯାଇଛି। ସର୍ଭେ ବେଳେ ଯେଉଁ ବିବାହିତା ମହିଳାମାନେ ଗାଁରେ ନଥିଲେ ସେମାନେ ବର୍ତ୍ତମାନ ବାପା, ମାଙ୍କ ସହିତ ରହୁଥିବା କହି ପରିବାର କ୍ଷତିପୂରଣ ପାଇଁ ଦାବି କରୁଛନ୍ତି। ଲୋୟର ସୁକତେଲ ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ କହିଛନ୍ତି, ପୋଢମୁଣ୍ଡର ଗୁରୁବାରୀଙ୍କ ଆର୍ଥିକ ସ୍ଥିତିକୁ ନେଇ ସେ ଅବଗତ ଅଛନ୍ତି। ତାଙ୍କ ପାଇଁ କୌଣସି ବ୍ୟବସ୍ଥା ହେବ ସେଥିପାଇଁ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଉଛି।