ସ୍କୁଲ୍‌ ଶୌଚାଳୟରେ ୪ ଘଣ୍ଟା ଫସିଲେ ଛାତ୍ର: ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ପଳାସି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ଗୋଟାଏରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଜଣେ ଛାତ୍ର ଶୌଚାଳୟ ଭିତରେ ଫସି ରହିଥିଲେ। ପରେ, ଗ୍ରାମବାସୀମାନେ ସମ୍ପୃକ୍ତ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି। ଏହି ଛାତ୍ର ହେଲେ ଓମ୍‌ ସେଠୀ, ଯିଏ କି ପଞ୍ଚମ ଶ୍ରେଣୀରେ ପଢ଼ୁଛନ୍ତି। ସୂଚନା ଅନୁସାରେ, ଅପରାହ୍ଣ ୧ଟା ସମୟରେ ଓମ୍‌ ଶୌଚାଳୟକୁ ଯାଇଥିଲେ। ଏହିସମୟରେ କେହିଜଣେ କବାଟକୁ ବନ୍ଦ କରିଦେଇଥିଲେ। ଫଳରେ, ସେ କବାଟ ଖୋଲିବାକୁ ଜୋର୍‌ରେ ଚିତ୍କାର କରିଥିଲେ। ମାତ୍ର, କେହି ତାଙ୍କ କଥା ଶୁଣିନଥିଲେ। ଏହାପରେ ଅପରାହ୍ଣ ୪ଟ‌ାରେ ବିଦ୍ୟାଳୟ ଛୁଟି ହୋଇଯାଇଥିଲା। ଓମ୍‌ଙ୍କ ବ୍ୟାଗ୍‌ ଶ୍ରେଣୀକକ୍ଷ ଥିବାବେଳେ ଶିକ୍ଷକ ଏହାକୁ ବାହାର କରି ଫାଟକରେ ତାଲା ପକାଇ ପଳାଇଥିଲେ।

କିଛି ସମୟ ପରେ ଗ୍ରାମର କିଛିଲୋକ ଓମ୍‌ଙ୍କ ଚିତ୍କାର ଶୁଣିଥିଲେ। ତତ୍‌କ୍ଷଣାତ୍‌ ମୁଖ୍ୟଫାଟକକୁ ଡେଇଁ ଶୌଚାଳୟ କବାଟ ଖୋଲିବା ସହିତ ଓମ୍‌ଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ବିଇଓ ଏସ୍‌.ଗିରିଧର ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ସ୍କୁଲ୍‌ ଛୁଟି ପରେ ଶିକ୍ଷକ ଓମ୍‌ଙ୍କୁ ନଖୋଜି କେମିତି ଶ୍ରେଣୀକକ୍ଷରୁ ବ୍ୟାଗ୍ ବାହାର କରି ଚାବି ପକାଇଥିଲେ, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର