୫-ଟି ସଚିବ ଗସ୍ତକୁ ଦୁଇମାସ ପୂରିଲା: ନାହାନ୍ତି ବିଶେଷଜ୍ଞ ଡାକ୍ତର କି ଆମ୍ବୁଲାନସ୍‌

ଘୁ.ଉଦୟଗିରି ସିଏଚ୍‌ସି, ସମସ୍ୟାର ହେଲାନି ସମାଧାନ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି। ହେଲେ ଏଠାରେ ବିଶେଷଜ୍ଞ ଡାକ୍ତର, ଆମ୍ବୁଲାନ୍ସ ଓ ଅନେକ ଆନୁଷଙ୍ଗିକ ଉପକରଣର ଘୋର ଅଭାବ ଦେଖାଦେଇଛି। ଫଳରେ ସାମାନ୍ୟ ଚିକିତ୍ସା ପାଇଁ ରୋଗୀଙ୍କୁ ଜିଲ୍ଲା ଚିକିତ୍ସାଳୟ କିମ୍ବା ଘରୋଇ ମେଡିକାଲକୁ ଯିବାକୁ ପଡ଼ୁଛି। ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସମାଧାନ ହୋଇପାରୁନି। ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଏକମାତ୍ର ଶିଶୁ ରୋଗ ବିଶେଷଜ୍ଞଙ୍କୁ ଗତ ବର୍ଷ ବଦଳି କରି ଅନ୍ୟତ୍ର ପଠାଇ ଦିଆଯାଇଛି। ୨ ମାସ ତଳେ ୫-ଟି ସଚିବ ଘୁ.ଉଦୟଗିରି ଗସ୍ତ କରିବା ସମୟରେ ଅଞ୍ଚଳବାସୀ ସମସ୍ୟା ସଂପର୍କରେ ଦୃଷ୍ଟିଆକର୍ଷଣ କରିଥିଲେ। ହେଲେ ତାହାର କୌଣସି ସୁଫଳ ମିଳିନାହିଁ। କେବଳ ସ୍ୱାସ୍ଥ୍ୟ ସଚିବ ଶାଳୀନି ପଣ୍ଡିତ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ କରି ପରିଦର୍ଶନ କରି ଫେରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ନ ରହିବା ବଡ଼ ସମସ୍ୟା ପାଲଟିଛି। ସେହିପରି ରକ୍ତଭଣ୍ଡାର କି କୌଣସି ବିଶେଷଜ୍ଞ ଡାକ୍ତର ନାହାନ୍ତି।

ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁ ବିଭାଗରେ ବିଶେଷଜ୍ଞ ଡାକ୍ତର ନ ଥିବାରୁ ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ ପଡ଼ୁଛି। ଅନେକ ସମୟରେ ପ୍ରସବର ଶେଷ ସମୟରେ ମଧ୍ୟ ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳୁଛି। ଚିକିତ୍ସା ଅଭାବରୁ ନବଜାତ ଓ ମାଆର ମୃତ୍ୟୁ ଘଟୁଥିବାର ନଜିର ରହିଛି। କିଛି ଡାକ୍ତର ଓ କର୍ମଚାରୀଙ୍କ ବ୍ୟବହାର ଅଧିକ ଯନ୍ତ୍ରଣା ଦେଉଥିବା ଲଗାତାର ଭାବେ ଅଭିଯୋଗ ହୋଇ ଆସୁଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କେବଳ ସ୍ବାସ୍ଥ୍ୟକେନ୍ଦ୍ରକୁ ୫-ଟିରେ ସାମିଲ କରି ବାହ୍ୟ ଚକାଚକ୍ କରିଦେଲେ ରୋଗୀ ସେବାରେ ସୁଧାର ଆସିଯିବ ତା ନୁହେଁ, ଏଥିପାଇଁ ତୁରନ୍ତ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଓ ଆମ୍ବୁଲାନ୍ସ୍ ପ୍ରଦାନ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ସବୁ ଦେଖି ଚୁପ୍ ରହୁଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର