ସୁନ୍ଦରଗଡ଼ ବିଧାୟିକା କୁ‌ସୁମ ଟେଟେଙ୍କ ସପକ୍ଷରେ ରାୟ, ମୋକଦ୍ଦମା ଖର୍ଚ୍ଚ ବାବଦରେ ୧୫ ହଜାର ତଣ୍ଡ ଗଣିବେ ଆବେଦନକାରୀ

ଲାଭଜନକ ପଦ ପ୍ରସଂଗ‌ ନେଇ ଦାୟର ଆବେଦନ ହାଇକୋର୍ଟରେ ଖାରଜ

କଟକ : ଲାଭଜନକ ପଦବି ପ୍ରସଙ୍ଗ ମାମଲାରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ସପକ୍ଷରେ ରାୟ ଦେଇଛନ୍ତି ହାଇକୋର୍ଟ। ଶ୍ରୀମତୀ ଟେଟେଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଅନୁଯାୟୀ ୨୦୧୯ ସାଧାରଣ ନିର୍ବାଚନରେ ନାମାଙ୍କନ ଦାଖଲ ବେଳେ ସୁନ୍ଦରଗଡ଼ ବିଧାୟିକା ଟେଟେ ଲାଭଜନକ ପଦରେ ଥିଲେ। କିନ୍ତୁ ନାମାଙ୍କନ ବେଳେ ଦାଖଲ କରାଯାଇଥିବା ତଥ୍ୟରେ ସେ ଏ ନେଇ କିଛି ଉଲ୍ଲେଖ କରି ନଥିଲେ। ପରବର୍ତ୍ତୀ ସମୟରେ ସେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଲାଭଜନକ ପଦବି ସଂକ୍ରାନ୍ତରେ ତଥ୍ୟ ପ୍ରକାଶ କରି ନଥିବାରୁ ତାଙ୍କୁ ବିଧାୟିକା ପଦରୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଦର୍ଶାଇ ମାମଲା ଦାୟର ହୋଇଥିଲା। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳର ଜଗଦୀପ ପ୍ରତାପ ଦେଓଙ୍କ ଏ ସଂପର୍କିତ ଆବେଦନକୁ ଖାରଜ କରିଛନ୍ତି। ଏଥି ସହିତ ମୋକଦ୍ଦମା ଖର୍ଚ୍ଚ ବାବଦରେ ଆବେଦନକାରୀ ୧୫ ହଜାର ଟଙ୍କା ୨ ସପ୍ତାହ ଭିତରେ ଶ୍ରୀମତୀ ଟେଟେଙ୍କୁ ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଅଯଥାରେ ମୋକଦ୍ଦମା କରିବା ସହିତ ଏହାକୁ ଲଢିବା ପାଇଁ ଶ୍ରୀମତୀ ଟେ‌ଟେଙ୍କୁ ବାଧ୍ୟ କରିଥିଲେ। ଏଥିପାଇଁ ଆବେଦନକାରୀ ମୋକଦ୍ଦମା ବାବଦ ଖର୍ଚ୍ଚ ତାଙ୍କୁ ପ୍ରଦାନ କରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୭ ନଭେମ୍ବର ୯ରେ ଶ୍ରୀମତୀ ଟେଟେଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି)ର ଉପାଧ୍ୟକ୍ଷ ଭାବେ ୨ ବର୍ଷ ପାଇଁ ନିଯୁକ୍ତି ମିଳିଥିଲା। ଏହି କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ୨୦୧୯ ଫେବ୍ରୁଆରି ୪ରେ ତାଙ୍କୁ ପରିଷଦର ଅଧ୍ୟକ୍ଷା ‌ଭାବେ ନିଯୁକ୍ତି ଦିଆଯାଇଥିଲା। ଶ୍ରୀମତୀ ଟେଟେ ଏହି ଦୁଇ ପଦରେ ଥିବା ବେଳେ ୨୦୧୯ ମାର୍ଚ୍ଚ ୨୬ରେ ବିଧାୟକ ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ନାମାଙ୍କନପତ୍ରରେ ଏ ନେଇ ଶ୍ରୀମତୀ ଟେଟେ କିଛି ବି ଉଲ୍ଲେଖ କରି ନଥିଲେ। ନାମାଙ୍କନ ଦାଖଲ ବେଳେ ଲାଭଜନକ ପଦରେ ଥିବାରୁ ଶ୍ରୀମତୀ ଟେଟେଙ୍କୁ ବିଧାୟକ ପଦ ପାଇଁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଦର୍ଶାଇ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଭୋଟର ଥିବା ଆବେଦନକାରୀ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ଏ ନେଇ ଭାରତୀୟ ନିର୍ବାଚନ କମିସନଙ୍କ ନିକଟରୁ ମତାମତ ଲୋଡା ଯାଇଥିଲା। ୨୦୧୯ ମାର୍ଚ୍ଚ ୧୬ରେ ପରିଷଦ ଅଧ୍ୟକ୍ଷ ପଦରୁ ଶ୍ରୀମତୀ ଟେଟେ ଇସ୍ତଫା ପ୍ରଦାନ କରିଥିବା ଜଣାପଡ଼ିଥିଲା। ଏ ନେଇ ରାଜ୍ୟପାଳଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ଅଗ୍ରାହ୍ୟ ହୋଇଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର