ପ୍ରାଣୀ ଚିକିତ୍ସା ଠପ୍‌: ସମୂହ ଛୁଟିରେ ୧୩୩୨ ପ୍ରାଣୀ ଡାକ୍ତର

୫୪୭ ପ୍ରାଣୀ ଚିକିତ୍ସାଳୟରେ ତାଲା

ଭୁବନେଶ୍ବର: ରାଜ୍ୟରେ ପ୍ରାଣୀ ଚିକିତ୍ସା ଠପ୍ ହୋଇଯାଇଛି। ପଦୋନ୍ନତି ଦାବିରେ ସମୂହ ଛୁଟିରେ ଯାଇଛନ୍ତି ରାଜ୍ୟର ୧୩୩୨ ପ୍ରାଣୀ ଚିକିତ୍ସକ। ଫଳରେ ରାଜ୍ୟର ୫୪୭ଟି ପ୍ରାଣୀ ଚିକିତ୍ସାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ ଆଜି ପ୍ରାଣୀ ଚିକିତ୍ସକମାନଙ୍କ ସହ ଆଲୋଚନା କରାଯାଇ ନଥିବାରୁ ଆଗକୁ ଆହୁରି ସଙ୍ଗୀନ୍ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ପୂର୍ବରୁ ମେ’ ମାସରେ ପ୍ରାଣୀ ଚିକିତ୍ସକମାନେ ଏହି ଦାବି ନେଇ ସମୂହ ଛୁଟିରେ ଯାଇଥିଲେ। ସେତେବେଳେ ସେମାନଙ୍କ ଦାବି ପୂରଣର ଯେଉଁ ପ୍ରତିଶ୍ରୁତି ମିଳିଥିଲା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାନଯିବାରୁ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ସଭାପତି ଯଦୁନାଥ ପରିଡ଼ା।

ସଂଘ ପକ୍ଷରୁ କୁହାଯାଇଛି, ୨୦୦୮ ମସିହା ପର୍ଯ୍ୟନ୍ତ ରାଜ୍ୟରେ ସାଧାରଣ ଚିକିତ୍ସକଙ୍କ ସହିତ ପ୍ରାଣୀ ଚିକିତ୍ସକଙ୍କ ସମାନ ପାହ୍ୟା ଥିଲା। ମାତ୍ର ଏହାପରେ ସାଧାରଣ ଚିକିତ୍ସକମାନଙ୍କ ଏଣ୍ଟ୍ରି ଲେଭଲ୍‌ କ୍ଲାସ-୧ ପାହ୍ୟା ପାଇଲେ। କିନ୍ତୁ ପ୍ରାଣୀ ଚିକିତ୍ସକମାନେ ପୂର୍ବ ଭଳି ଏଣ୍ଟ୍ରି ଲେଭଲ୍‌ କ୍ଲାସ-୨ରେ ରହିଗଲେ। ଆନ୍ଦୋଳନ ପରେ ୨୦୨୧ ମସିହାରେ ସେମାନଙ୍କୁ କ୍ଲାସ-୧ ସହିତ ଯୋଗଦାନ କଲେ ସତ କିନ୍ତୁ ପଦୋନ୍ନତି ପାଇଁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଅର୍ଥାତ ସାଧାରଣ ବର୍ଗର ଜଣେ କର୍ମଚାରୀ ୨୪ ବର୍ଷରେ ୪ଟି ପଦୋନ୍ନତି ପାଇଥାଆନ୍ତି। ମାତ୍ର ଓଡ଼ିଶାରେ ୨୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ପ୍ରାଣୀ ଚିକିତ୍ସକଙ୍କୁ ଗୋଟିଏ ମଧ୍ୟ ପଦୋନ୍ନତି ମିଳେ ନାହିଁ। କେନ୍ଦ୍ର ସରକାରଙ୍କ ପଞ୍ଚମ, ଷଷ୍ଠ ଓ ସପ୍ତମ ବେତନ କମିସନ ଅନୁଯାୟୀ ବିଭିନ୍ନ ରାଜ୍ୟରେ ସାଧାରଣ ବର୍ଗର ଡାକ୍ତରମାନଙ୍କ ସହିତ ପ୍ରାଣୀ ଚିକିତ୍ସକମାନଙ୍କୁ ସମାନ ଦରମା, ପଦୋନ୍ନତି ଓ ସୁବିଧା ଯୋଗାଇ ଦିଆଯାଏ। ଓଡ଼ିଶାରେ ଏହାର କାର୍ଯ୍ୟକାରୀ କରାଯାଇନଥିବା ଯୋଗୁଁ ପ୍ରାଣୀ ଚିକିତ୍ସକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ପ୍ରାଣୀ ଡାକ୍ତରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଥିବା ଦାବିପତ୍ରକୁ ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଥିଲା। ପ୍ରଶିକ୍ଷଣରେ ଯାଇଥିବା ଡାକ୍ତରମାନଙ୍କୁ ଏଥିରେ ବାଦ ଦିଆଯାଇଛି। ସେମାନେ ମଧ୍ୟ ଖୁବ ଶୀଘ୍ର ଧାରଣାରେ ଯୋଗ ଦେବେ। ଏହି ଆନ୍ଦୋଳନ ଯୋଗୁଁ ଗୋରୁ, କୁକୁର, ବିଲେଇଙ୍କ ମଧ୍ୟରେ ଦେଖାଯାଉଥିବା ଚିକିତ୍ସା ହୋଇପାରୁ ନାହିଁ। ଫଳରେ ଚାଷୀ, ଗୋପାଳ, କୁକୁଡ଼ାପାଳକ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା ରହିଛି। ତେବେ ଭୁବନେଶ୍ବରସ୍ଥିତ ଓୟୁଏଟି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ସେବା ସ୍ବାଭାବିକ ଚାଲିଛି।

ସମ୍ବନ୍ଧିତ ଖବର