ଯୁବକଙ୍କ ଗୁପ୍ତାଙ୍ଗ କାଟିବା ମାମଲାରେ ମହିଳାଙ୍କୁ ୭ ବର୍ଷ ଜେଲ୍‌

କେନ୍ଦୁଝର: ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟିବା ଘଟଣାରେ ଆଜି କେନ୍ଦୁଝର ସିଜେଏମ ରଞ୍ଜୁଲତା ଲେଙ୍କା ଜଣେ ମହିଳାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ହରିଚନ୍ଦନପୁର ଥାନା ନୂଆଗାଁର ରାଉତା ପାତ୍ରଙ୍କ ସ୍ତ୍ରୀ କମଳାପାତ୍ର (୨୬) ୨୦୧୮ ନଭେମ୍ବର ମାସ ୭ ତାରିଖ ରାତିରେ ପଣ୍ଡାପଡା ଥାନା ଝାରବେଡ଼ା ଗ୍ରାମର ଅଭିମନ୍ୟୁ ନାଏକଙ୍କ ପୁଅ ରାଜେନ୍ଦ୍ର ନାଏକ (୨୪)ଙ୍କୁ ତାଙ୍କ ଘରକୁ ଡକାଇ ମଦ ପିଆଇଥିଲେ। ରାଜେନ୍ଦ୍ରଙ୍କୁ ନିଶା ହେବାପରେ ଏକ ଧାରୁଆ ଛୁରିରେ ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଜେନ୍ଦ୍ର ଚିତ୍କାର କରି ବାହାରକୁ ଧାଇଁ ଆସିଥିଲେ। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥା ତାଙ୍କୁ ପ୍ରଥମେ ହରିଚନ୍ଦନପୁର ଅବସ୍ଥାରେ ଡାକ୍ତରଖାନା ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ରାଜେନ୍ଦ୍ରଙ୍କ ବାପା ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି କମଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହରିନ୍ଦନପୁର ଥାନା କେସ ନମ୍ବର ୧୧୧/୨୦୧୮ରେ ଦଫା ୩୦୭ ଓ ୩୨୬ରେ ଏକ ମାମଲା ରୁଜୁ କରି ଚାର୍ଜଫ୍ରେମ୍ କରିଥିଲା। ବିଚାରପତି ୧୭ ଜଣଙ୍କ ସାକ୍ଷୀଙ୍କ ବୟାନ ଶୁଣିବା ପରେ କମଳାକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନ‌ା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍‌ ଭୋଗିବାକୁ ପଡ଼ିବ। ସରକାରଙ୍କ ପକ୍ଷରୁ ଏପିପି ଅଶୋକ କୁମାର ଦାସ କେସକୁ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର