ସୁନ୍ଦରଗଡ଼, (ଡମ୍ବରୁଧର ନାୟକ): ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ଜାଲ୍ ଜାତିଗତ ପ୍ରମାଣପତ୍ର ଓ ମିଥ୍ୟା ସତ୍ୟପାଠ ମାମଲାରୁ ଦଳବଦଳ, ବିଧାୟିକା କୁସୁମ ଟେଟେଙ୍କ ଲାଭଦାୟକ ପଦ ମାମଲା ଯାଏଁ ଗୋଟିଏ ଦଶନ୍ଧି ଧରି ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ଚର୍ଚ୍ଚାରେ ଥିଲା। ମାମଲା ଯୋଗେଶ ଓ କୁସୁମଙ୍କ ସପକ୍ଷରେ ଯାଇଛି। କିନ୍ତୁ ଦଳବଦଳ କୁସୁମଙ୍କୁ ଫାଇଦା ଦେଇଥିବାବେଳେ ଯୋଗେଶଙ୍କୁ ବିଶେଷ କ୍ଷତି ପହଞ୍ଚାଇଛି। ବିଜେଡିରୁ ବିଜେପିକୁ ଆସିଥିବା କୁସୁମ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଆଉ କଂଗ୍ରେସରେ ୨ ଥର ବିଧାୟକ ହୋଇଥିବା ଯୋଗେଶ ବିଜେଡିକୁ ଆସି ପରାଜୟର ମୁହଁ ଦେଖିଛନ୍ତି। ଏହିକ୍ରମରେ ଆସନ୍ତା ୨୦୨୪ ନିର୍ବାଚନରେ ଦୁଇ ଚର୍ଚ୍ଚିତ ଚେହେରା ପୁଣି ମୁହାଁମୁହିଁ ହେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଆଉ କିଛି ନୂଆ ସମୀକରଣ ରାଜନୀତିର ଗଣିତକୁ ଓଲଟପାଲଟ କରିଦେବା ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ଲୋକପ୍ରିୟ ନେତା ଭାବେ ନବୀନ ପଟ୍ଟନାୟକ ୨୦୦୦ରୁ ଲଗାତାର ଶାସନଭାର ସମ୍ଭାଳି ଆସୁଥିଲେ ମଧ୍ୟ ସୁନ୍ଦରଗଡ଼ ବିଧାନସଭା ଏ ଯାଏଁ ତାଙ୍କ ସାଥୀରେ ଯାଇନାହିଁ। ଏହା ଦଳକୁ ଚିନ୍ତାରେ ପକାଇଛି। ଏଥିପାଇଁ ୨୦୧୯ରେ ନୂଆ ରଣନୀତି ଆପଣେଇଥିଲା ଦଳ। ତତ୍କାଳୀନ ବିଜେଡି ନେତ୍ରୀ କୁସୁମ ଟେଟେଙ୍କୁ ବାଦ୍ ଦେଇ କଂଗ୍ରେସରୁ ୨ ଥର ବିଜୟୀ ହୋଇଥିବା ଅମାୟିକ, ସରଳ ଚେହେରାର ନେତା ଯୋଗେଶଙ୍କ ଉପରେ ଆସ୍ଥା ପ୍ରକାଶକରି ଦଳରେ ସାମିଲ୍ ହେବାକୁ ସବୁଜସଂକେତ ଦେଇଥିଲା। କିନ୍ତୁ, ଯୋଗେଶ ସିଂ ନିର୍ବାଚନର ମାସେ ପୂର୍ବରୁ ଦଳବଦଳ କରି ନିଜ ପାଇଁ ନିଜେ ଅଡ଼ୁଆ ତିଆରି କରିଥିଲେ। ସେତେବେଳକୁ ତାଙ୍କ ନାମ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷିତ ହୋଇସାରିଥିଲା। ଏହାସତ୍ତ୍ବେ ସେ ଦଳ ଛାଡ଼ିଥିବାରୁ ସୁନ୍ଦରଗଡ଼ କଂଗ୍ରେସ ଓ ସମର୍ଥକ ତାଙ୍କୁ ନିର୍ବାଚନରେ ପ୍ରବଳ ବିରୋଧ କରିଥିଲେ।
ଅନ୍ୟପଟେ ଜିଲ୍ଲା ବିଜେଡିର ଏକ ଗୋଷ୍ଠୀ, ଖାସ୍ କରି କୁସୁମଙ୍କ ସମର୍ଥକ ମୁଖିଆଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ନିରବ ରହିଥିଲେ ସତ, କିନ୍ତୁ ଯୋଗେଶଙ୍କୁ ଆଦୌ ଗ୍ରହଣ କରିପାରି ନଥିଲେ। ଦଳର ଜଣେ ପ୍ରଭାବଶାଳୀ ନେତାଙ୍କ ଗୋଟିଚାଳନାରେ ଅସନ୍ତୁଷ୍ଟ ଗୋଷ୍ଠୀ ତାଙ୍କୁ ହରାଇବାକୁ ସମସ୍ତ କଳକୌଶଳ ଲଗାଇ ତାଙ୍କୁ ପରାଜୟର ମୁହଁ ଦେଖାଇ ଦେଇଥିଲା। ଏଥିରେ ଅସନ୍ତୁଷ୍ଟ କଂଗ୍ରେସ ବି ହାତ ମିଳାଇଥିଲା। ଏବେ ବି ବିଜେଡିର ସେହି ଅସନ୍ତୁଷ୍ଟ ଗୋଷ୍ଠୀ ତାଙ୍କୁ ସମର୍ଥନ କରୁନାହାନ୍ତି। ସେମାନେ ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବାକୁ ଲବି ଆରମ୍ଭ କରିଦେଇଛନ୍ତି। ଏସ୍ଥିତିରେ ଜିଲ୍ଲାର ସେହି ପ୍ରଭାବଶାଳୀ ନେତା ଓ ଦଳର ଜଣେ ରାଜ୍ୟନେତା ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସପକ୍ଷରେ ଥିବାରୁ କେତେବେଳେ କଣ ଘଟିବ କହି ହେଉନାହିଁ। ସେପଟେ କୁନ୍ତୀଙ୍କୁ ପ୍ରାର୍ଥୀ କଲେ ଯୋଗେଶ ବିଦ୍ରୋହ କରିବା ସମ୍ଭାବନା ଥିବାରୁ ଦଳ ଯୋଗେଶଙ୍କ ବଡ଼ଭାଇ ଲେଫ୍ରିପଡ଼ା ପଞ୍ଚାୟତସମିତି ଅଧ୍ୟକ୍ଷ ନରେଶ ପ୍ରତାପ ସିଂଙ୍କୁ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଆଲୋଚନା ହେଉଛି।
ଏହାମଧ୍ୟରେ ଆଉ ଏକ ରୋଚକ ଚର୍ଚ୍ଚା ସାମ୍ନାକୁ ଆସିଛି। ବିଜେପି ବିଧାୟିକା କୁସୁମ ଟେଟେଙ୍କ ଘରବାହୁଡ଼ା ହୋଇପାରେ। ଅବଶ୍ୟ କୁସୁମ ଅନେକଥର ବିଜେପି ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରି ସାରିଛନ୍ତି। ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ କୁସୁମଙ୍କ ସହ ଛିଡ଼ା ହେବାକୁ କୁଣ୍ଠା ପ୍ରକାଶ କରୁଥିବା ଏବଂ ସେ ମଧ୍ୟ ବହୁ ସମୟରେ ନିଜ ବ୍ୟାନରରେ କାମ କରୁଥିବା ଦେଖାଯାଇଛି। ତେବେ, ଏହା ମଧ୍ୟରେ ରାଜନୈତିକ ମହଲରେ ଉଠିଥିବା ଏକ ରୋଚକ ଆଲୋଚନାକ୍ରମେ, ତାଙ୍କ ନାମରେ ଆସିଥିବା ଲାଭଦାୟକ ପଦ (ଅଫିସ୍ ଅଫ୍ ପ୍ରଫିଟ୍) ଓ ମିଥ୍ୟା ସତ୍ୟପାଠ ମାମଲା ଖାରଜ ହେବା ପଛରେ ରାଜ୍ୟ ସରକାରଙ୍କ ଦ୍ବାରା ତାଙ୍କ ସପକ୍ଷରେ ସରକାରୀ କାଗଜପତ୍ର ସଜାଡ଼ି ଦିଆଯାଇଥିଲା। ଏହା ଯଦି ସତ ହୋଇଥାଏ, ତେବେ କୁସୁମ ବିଜେଡି ଫେରିବା ସମ୍ଭାବନା ଅଧିକ। ଏହାହେଲେ ୨୦୨୪ରେ ସୁନ୍ଦରଗଡ଼ ବିଧାନସଭା ରାଜନୀତିରେ ପୁଣି କିଛି ଓଲଟପାଟ ଚିତ୍ର ଦେଖିବାକୁ ମିଳିବ। କୁସୁମ ବିଜେଡିକୁ ଫେରି ପ୍ରାର୍ଥୀ ହେଲେ ବିଜେପି ସେତେବେଳେ ସମ୍ଭାବ୍ୟ ବିଦ୍ରୋହୀ ଭୂମିକାରେ ଥିବା ଯୋଗେଶଙ୍କୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି। ହେଲେ, କିଛି ବିବାଦୀୟ ଘଟଣା ସତ୍ତ୍ବେ ଦଳର ରାଜ୍ୟ ନେତୃତ୍ବ ଏବେ ବି ଯୋଗେଶଙ୍କ ଉପରେ ଆସ୍ଥା ରଖିଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନରେ ତାଙ୍କୁ ଦାୟିତ୍ବ ଦେଇ ଦଳ ତାର ପରିପ୍ରକାଶ କରିଥିବା କୁହାଯାଉଛି।
ସୁନ୍ଦରଗଡ଼ ରାଜନୀତିର ଗଣିତ ଯେତେ ଓଲଟପାଲଟ ହେଉ ନା କାହିଁକି ଗୋଟିଏ କଥାରେ କେହି ବି ଦ୍ବିମତ ହେବେ ନାହିଁ ଯେ, ଏଠାକାର ରାଜନୀତି ବା ନିର୍ବାଚନକୁ କୋଇଲାବେପାର ବହୁଭାଗରେ ନିୟନ୍ତ୍ରଣ କରିଆସୁଛି। କୋଇଲାବେପାରୀଙ୍କ ସୁନଜର ଓ କୁନଜର କେଉଁ ଦଳ ବା କେଉଁ ପ୍ରାର୍ଥୀ ଉପରେ ପଡ଼ିବ, ତାହା ଦେଖିବାର କଥା।