ଭଲଙ୍କୁ ଦେଲେ, ଆମକୁ ନିରାଶ କଲେ : ଏଇ କି ବିଚାର? ଆଉଟୁ ପାଉଟୁ ଦିବ୍ୟାଙ୍ଗ

ଭୁବନେଶ୍ୱ : ଆଖିକୁ ଦିଶୁନି ବୋଲି ଷ୍ଟେସନ୍‌ରେ ଓଜନ ମେସିନ୍‌ ପକେଇ ଚଳୁଛି। ସ୍ତ୍ରୀର ବି ଦି’କାନକୁ ଶୁଭୁନି। ଭାବିଥିଲି ସରକାର ସଦୟ ହେବେ। ରାଜୀବ ଆବାସ ଯୋଜନା(ରେ) ରେ ଘର ଖଣ୍ଡେ ମିଳିବ। ଅଥଚ ଭଲ ଲୋକଙ୍କୁ ମିଳିଗଲା ପଛେ, ମୋ ନାଁ କିନ୍ତୁ ତାଲିକାରୁ କଟିଗଲା। ପ୍ରଶାସନର ଏଇ ଦରଦହୀନ ନିୟମର ଚକ୍ରବ୍ୟୂହରେ ଛଟପଟ ହେଉଥିବା ନବୀନ ବସ୍ତିର ଦୃଷ୍ଟିହୀନ ଅମର ପ୍ରଧାନଙ୍କ ଇଏ ଥିଲା ଦାରୁଣ ଅଭିବ୍ୟକ୍ତି।

ଓ୍ଵାର୍ଡ ନଂ ୩୪ ନବୀନ ନଗର ବସ୍ତିରେ ଘଟିଛି ଏହି କରୁଣ ଘଟଣା। ଲେକ୍‌ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଏଠାରେ ୩ ଦିନ ଧରି ବସ୍ତି ଉଚ୍ଛେଦ ଚାଲିଛି। ଅବଶ୍ୟ ପୂର୍ବରୁ ଦିଆଯାଇଥିବା ସୂଚନା ମୁତାବକ ବସ୍ତିରେ ମୋଟ୍‌ ୪୧ ଘରକୁ ଏଠାରୁ ଉଚ୍ଛେଦ ପାଇଁ ଅକ୍ଟୋବରରେ ଘୋଷଣା କରାଯାଇଥିଲା। ପ୍ରଶାସନର ନିର୍ଦେଶ ମୁତାବକ, ରେ ଯୋଜନାରେ ଘର ପାଇବା ପାଇଁ ବ୍ୟାଙ୍କ୍‌ରେ ୨୧ ହଜାର ୫ଶହ ଟଙ୍କା ବାନ୍ଧିବାକୁ କୁହାଯାଇଥିଲା। ଏହା ବଦଳରେ ୧ଲକ୍ଷ ଟଙ୍କାର ଋଣ କରାଇ ଦେବା ପାଇଁ ପ୍ରସ୍ତାବ ରହିଥିଲା। ସମସ୍ତ ପରିବାର ଟଙ୍କା ବାନ୍ଧିସାରିବା ପରେ ତାଙ୍କୁ ଘର ଦେବା ପାଇଁ ସ୍ଥିର ହେଲା। ତେବେ ସେମାନଙ୍କ ମଧ୍ୟରୁ ୩୧ ପରିବାରକୁ ଘର ମିଳିସାରିଥିଲେ ସୁଦ୍ଧା ଏଯାଏଁ ୬ଟି ଦିବ୍ୟାଙ୍ଗ ପରିବାର ଏ ଯୋଜନାରେ ଘର ପାଇନାହାନ୍ତି।

ଖାଲି ସେତିକି ନୁହେଁ ବସ୍ତିରୁ ଘର ଛାଡ଼ିସାରିଥିବା ୩୧ଟି ପରିବାରର ଘରକୁ ପ୍ରଶାସନ ଡ୍ରୋଜର୍‌ ଲଗେଇ ଭାଙ୍ଗିବା ପରେ ବସ୍ତିରେ ପାହାଡ଼ ଉଚ୍ଚର ନିର୍ମାଣ ଜିନିଷ ଗଦା ହୋଇଛି। ଫଳରେ ଆଶାବାଡ଼ି ଧରି ଘରୁ ବାହାରିବା ୬ ଦୃଷ୍ଟିହୀନ ପରିବାର ପକ୍ଷେ କାଠିକର ହୋଇଛି। ଖାଲି ସେତିକି ନୁହେଁ ସବୁଠୁ ବଳି ଯାଇଛି ପାଣି ଓ ପାଇଖାନା ସମସ୍ୟା। ପାଣି ଆସୁ ନଥିବାରୁ ନିଜ ପିଲାମାନଙ୍କ ହାତ ଓ ଆଶାବାଡ଼ିର ସାହାରା ନେଇ ଭଙ୍ଗା ଘର ଡେଇଁ ଏମାନଙ୍କୁ ପାଣି ଆଣିବାକୁ ପଡ଼ୁଛି। ପ୍ରଶ୍ନ ଉଠୁଛି ସାଧାରଣ ଜୀବନ ଜିଇଁବାରେ ଅସୁବିଧା ନଥିବା ଲୋକେ ଯଦି ‘ରେ’ ଯୋଜନାରେ ଘର ଦେବା ପୂର୍ବରୁ ଦୃଷ୍ଟିହୀନ ପରିବାରଙ୍କୁ ଅଣଦେଖା କରିବା କି ପ୍ରକାର ନିୟମ ସାପେକ୍ଷ ?

ଖବର ମୁତାବକ, ସଂପୃକ୍ତ ବସ୍ତିର ୩୧ଟି ପରିବାରକୁ ଗାଡ଼କଣର ଓମ୍‌ଫେଡ୍‌ ଛକରେ ଘର ମିଳିଥିବା ବେଳେ ଏହି ୬ ଦିବ୍ୟାଙ୍ଗ ପରିବାରକୁ ଗାଡ଼କଣର ରଙ୍ଗମାଟିଆରେ ଘର ଦେବାକୁ କୁହାଯାଇଛି। ମାତ୍ର ନିୟମ ଆଳରେ ଦିବ୍ୟାଙ୍ଗଙ୍କ ଆଗରେ ଛିଡ଼ା ହୋଇଥିବା ସମସ୍ୟାକୁ ଆଖି ବୁଜି ଦେଇଛି ପ୍ରଶାସନ। ଦୃଷ୍ଟିହୀନ ବଂଶୀଧର ପ୍ରଧାନଙ୍କ କହିବା ମୁତାବକ, ଆମ ଘରର କାନ୍ଥ ଭାଙ୍ଗି ଦେବାକୁ ପ୍ରଶାସନ ଧମକ ଦେଉଛି। ପାଇଖାନାର ଛାତ ଭାଙ୍ଗି ଉଡ଼ାଇ ଦେଇଛନ୍ତି। ତାହେଲେ ଆମେ କ’ଣ ଭୁବନେଶ୍ୱରରେ ବଞ୍ଚିପାରିବୁ ନାହିଁ ?

ପୁଣି ସବୁଠୁ ବଳିଯାଇଛି ଦୃଷ୍ଟିହୀନ ଅମର ପ୍ରଧାନଙ୍କ ଦୁଃଖ। ସେ ଆଜକୁ ୭ ବର୍ଷ ହେଲା ଏହି ବସ୍ତିରେ ରହି ଆସୁଛନ୍ତି। ତାଙ୍କ ନାଁ’ରେ ଏଇ ଅଞ୍ଚଳର ଆଧାର କାର୍ଡ ନଥିଲେ ହେଁ ନିଜ ପତ୍ନୀଙ୍କର ଆଧାର କାର୍ଡ ଏହି ଅଞ୍ଚଳର ମହଜୁଦ ଅଛି। ମାତ୍ର ପ୍ରଶାସନ ନିୟମର ଆଳ ଦେଖାଇ ଅମର ପ୍ରଧାନଙ୍କୁ ଏହି ‘ରେ’ ଯୋଜନାରୁ ବଞ୍ଚିତ କରିଛି। ଏଣେ ଅମର କହିଛନ୍ତି ମୁଁ ନିଜେ ଝୁମ୍ପୁଡ଼ିଟିଏ କରି ଏଇଠି ରହୁଥିବା ବେଳେ, ପରେ ଏଠାରେ ଜଣଙ୍କୁ ଭଡ଼ା ଦେଇ ତା’ଠୁ ଭଡ଼ା ନନେଇ ସେଇ ଟଙ୍କାରେ ଘରକୁ ଭଲରେ ଗଢ଼ି ଦେବାକୁ କହିଥିଲି। ଏବେ ଘର ବାଗେଇ ସାରିବା ପରେ ମତେ ଘର ଛାଡ଼ିବାକୁ କୁହାଯାଉଛି। ତେଣୁ ଦେହ କେମିତି ସହୁନି ଆଜ୍ଞା। ପ୍ରଶାସନର ଏ ନିୟମ ଯୋଗୁଁ ମୁଁ ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ସବୁଠି ନେହୁରା ହୋଇଛି। ହେଲେ ମୋ କଥା କେହି ଶୁଣୁନାହାନ୍ତି। ଯଦି ଆମର ଏଠି ବଞ୍ଚିବାର ଅଧିକାର ନାହିଁ ତାହେଲେ ଆମେ ସପରିବାର ଏଇଠି ଆତ୍ମହତ୍ୟା କରିବୁ ବୋଲି ଅମର କହିଛନ୍ତି।

ସମ୍ବନ୍ଧିତ ଖବର