ନୂଆଦିଲ୍ଲୀ:ଗୋଧ୍ରା ପଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ ଆଜି କଂଗ୍ରେସକୁ ଅଡ଼ୁଆରେ ପକାଇଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଗତକାଲି କଂଗ୍ରେସ ତାଙ୍କୁ ବିଜେପି ବିରୋଧୀ ମୋର୍ଚ୍ଚାରେ ସାମିଲ ହେବାକୁ ଆମନ୍ତ୍ରଣ ଦେଇଥିବା ବେଳେ ଆଜି ହାର୍ଦ୍ଦିକ ଉଭୟ କଂଗ୍ରେସ ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ପଟିଦାର ଆନ୍ଦୋଳନର ଦୁଇ ଟାଣୁଆ ନେତା ବିଜେପିରେ ସାମିଲ ହେବା ପ୍ରସଙ୍ଗରେ ହାର୍ଦ୍ଦିକ କହିଥିଲେ ଯେ ଲୋକେ ପ୍ରସଙ୍ଗ ସହିତ ଅଛନ୍ତି, କୌଣସି ନେତାଙ୍କ ସହିତ ନୁହେଁ। ନେତା ଆସିବେ ଓ ଯିବେ, କିନ୍ତୁ ଦାବି ପୂରଣ ପାଇଁ ଲଢ଼େଇ ଜାରି ରହିବ। ଆଜି ଗୋଧ୍ରାରେ ମୁସ୍ଲିମ ସଂପ୍ରଦାୟ ସହ ସେମାନଙ୍କ ବିଭିିନ୍ନ ସମସ୍ୟା ସଂପର୍କରେ ହାର୍ଦ୍ଦିକ ଆଲୋଚନା କରିବା ସହ ଏକ ସଭାରେ ଉଦ୍ବୋଧନ ଦେଇଥିଲେ । ଏହା ପୂର୍ବରୁ ବାଘୋଡିଆର ମାଧେଲି ଗ୍ରାମରେ ଏକ କୃଷକ ସମାବେଶରେ ଉଦ୍ବୋଧନ ଦେଇ କଂଗ୍ରେସକୁ ଚୋର ଏବଂ ବିଜେପିକୁ ମହାଚୋର ବୋଲି କହିଥିଲେ। ହାର୍ଦ୍ଦିକ କହିଥିଲେ ଯେ ଉଭୟ କଂଗ୍ରେସ ଓ ବିଜେପି ମାଉସୀ ପୁଅ ଭାଇ ଏବଂ ସେମାନେ କେବଳ ଦଳୀୟ ସ୍ୱାର୍ଥ ଦ୍ୱାରା ପରିଚାଳିତ ହେଉଛନ୍ତି। ଯେଉଁ ଦଳ ପଟିଦାର ଅନାମତ ଆନ୍ଦୋଳନ ସମିତିର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବ ସେହି ଦଳକୁ ଭୋଟ୍ ମିଳିବ ବୋଲି ସେ କହିଥିଲେ।