ହଁ, ମୁଁ ଫେସନ୍ବାଲୀ, କ’ଣ ହେଲା ସେଉଠୁ?: ରାଧେ ମା’
ନୂଆଦିଲ୍ଲୀ: ମୋତେ ବଦନାମ କରିବାକୁ ଷଡ଼ଯନ୍ତ୍ର ଚାଲିଛି ବୋଲି ବିବାଦୀୟ ଆଧ୍ୟାତ୍ମିକ ନେତ୍ରୀ ତଥା ଆତ୍ମଘୋଷିତା ଦେବୀ ରାଧେ ମା’ ଏକ ସାକ୍ଷାତ୍କାରରେ କହିଛନ୍ତି।
ଆଜ୍ ତକ୍ ଟିଭିରେ ପ୍ରସାରିତ ହୋଇଥିବା ୨୦ ମିନିଟ୍ ଅବଧି ସାକ୍ଷାତ୍କାରରେ ରାଧେ ମା’ ତାଙ୍କ ଚରିତ୍ରର ବହୁ ରୂପ ବର୍ଣ୍ଣନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଟିଭି ଟୁଡେ’ର ସାହିଲ୍ ଯୋଶୀଙ୍କୁ ରାଧେ ମା’ ଓରଫ୍ ସୁଖଓ୍ଵିନ୍ଦର୍ କୌର୍ ସ୍ପଷ୍ଟ ଭାବେ ତାଙ୍କର ଅତୀତ କଥା କହିବା ସହ ତାଙ୍କ ବିରୋଧରେ ଆଗତ ଯୌତୁକଜନିତ ନିର୍ଯାତନା ଭିତ୍ତିହିନ ବୋଲି କହିଛନ୍ତି। ସେ ଫେନ୍ସି ଶାଢ଼ି ପିନ୍ଧିବା ଏବଂ କେବେ କେବେ ଇମିଟେସନ୍ ଗହଣା ପିନ୍ଧିବା ଭଳି ପାର୍ଥିବ ଆନନ୍ଦ ଏଡ଼ାଇ ନ ପାରିଲେ କାହାର କାହିଁକି ଅସୁବିଧା ହେଉଛି ବୋଲି ସେ ଓଲଟି ପ୍ରଶ୍ନ କରିଛନ୍ତି।
ମୋ ପୁତ୍ରମାନେ ମତେ ଏହି ସବୁ ସୌଖୀନ ସାମଗ୍ରୀ ଦେଉଛନ୍ତି। ଏହା ମୋ ଜୀବନଧାରା। ଦୁନିଆ ପାଇଁ ମୁଁ କାହିଁକି ମୋର ଜୀବନଧାରା ବଦଳାଇବି? ଅନ୍ୟାନ୍ୟ ଧାର୍ମିକ ନେତାଙ୍କ ପରି ସେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ପାର୍ଥୀବ ସୁଖ ତେଜିଛନ୍ତି। ମୁଁ କ’ଣ ତ୍ୟାଗ କରିଛି ତାହା ମୁଁ ଏଠାରେ କହିବି ନାହିଁ ବୋଲି ସ୍ମିତ ହସି ରାଧେ ମା’ କହିଛନ୍ତି।
ସେ କିଭଳି ବାଳୁତ କାଳରେ ନିଜ ମା’ ହରାଇଲେ ବୋଲି କହି ରାଧେ ମା’ କହିଲେ କି, ତାଙ୍କର ବିଭାଘର କମ୍ ବୟସରେ ସମାପନ କରିବାକୁ ତାଙ୍କ ବାପା ଚାହିଁଥିଲେ। ୧୭ ବର୍ଷରେ ମୋର ବାହାଘର ହେଲା। ୨୦ ବର୍ଷରେ ମୁଁ ଦୁଇଟି ପୁଅର ମା’ ହୋଇଥିଲି।
ଏବଂ ତା’ପରେ ସ୍ୱାମୀ ତାଙ୍କୁ ପରିତ୍ୟାଗ କଲେ। ସେତେବେଳେ ଆମ ପରିବାରରେ ସଙ୍କଟଜନକ ପରିସ୍ଥିତି ଥିଲା।
ଈଶ୍ୱରଙ୍କ ଏବଂ ଆଧ୍ୟାତ୍ମିକତା ପ୍ରତି ତାଙ୍କର ବିଶ୍ୱାସ ଥିବାରୁ ତାହା ତାଙ୍କୁ ବିପଥଗାମିନୀ କରାଇ ନ ଥିଲା।
ଅନ୍ୟାନ୍ୟ ଆଧ୍ୟାତ୍ମିକ ଗୁରୁ ଯେମିତି ରାମ୍ ରହିମ୍ଙ୍କ ସଂକ୍ରାନ୍ତରେ ତାଙ୍କର ବିଚାର କ’ଣ ବୋଲି ପଚାରନ୍ତେ, ଅନ୍ୟ କାହା ବିଷୟରେ କିଛି କହିବେ ନାହିଁ ବୋଲି ରାଧେ ମା’ କହିଥିଲେ।
ତର୍ଜନୀ ଓଠରେ ଲଗାଇ ସେ କହିଲେ: ମୁଁ ନିରବ। ଅନ୍ୟାନ୍ୟ ଧାର୍ମିକ ନେତାଙ୍କ ବିଷୟରେ ସେ କିଛି କହିବେ ନାହିଁ ବୋଲି ସୂଚନା ଦେଇଥିଲେ।
କିନ୍ତୁ, ଅଖିଳ ଭାରତୀୟ ଅକ୍ଷର ପରିଷଦ୍ କର୍ତ୍ତୃକ ପ୍ରକାଶିତ ୧୪ ଭଣ୍ଡ ବାବା ତାଲିକାରେ ତାଙ୍କ ନାଁ ଅନ୍ତର୍ଭୁକ୍ତ ସଂକ୍ରାନ୍ତରେ ସେ କହିଥିଲେ: କେବଳ ଈଶ୍ୱର ମୋତେ ପରଖି ପାରିବେ। ତାଙ୍କୁ ଭଣ୍ଡ ତାଲିକାଭୁକ୍ତ କରିଥିବାରୁ ଅକ୍ଷର ପରିଷଦ୍ ସନ୍ତାପିତ ହେବ।
ନିଜକୁ ଦେବୀ ଦୁର୍ଗାଙ୍କର ଅବତାର ବୋଲି ଭାବୁଛନ୍ତି କି, ବୋଲି ପଚାରିବାରୁ ରାଧେ ମା’ କହିଲେ: ନା। ମୁଁ ଜଣେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ। ତାହାର କାରଣ ହେଲା ମୁଁ ମୋ ବାପାଙ୍କର ଗେହ୍ଲୀ ଝିଅ ଓ ଶାଶୂଘରର ଗୁଡ଼ିୟା ମା। କିନ୍ତୁ, ମୁଁ ଦୁର୍ଗାଙ୍କର ଅବତାର ନୁହେଁ। ମୁଁ ଧରିଥିବା ତ୍ରିଶୂଳ ମୋ ଆଧ୍ୟାତ୍ମିକତାର ସୂଚକ, ମୁଁ କୌଣସି ଈଶ୍ୱରଙ୍କ ଅବତାରର ସୂଚକ ନୁହେଁ।
ସାକ୍ଷାତ୍କାରର ଶେଷ ଆଡ଼କୁ ରାଧେ ମା’ କହିଥିଲେ କି ତାଙ୍କ ବିରୋଧରେ ହେଉଥିବା ମିଥ୍ୟା ଅଭିଯୋଗ ପାଇଁ ଅନେକ ଥର ସେ ଜୀବନ ହାରିବାକୁ ଭାବିଛନ୍ତି। କିନ୍ତୁ, ସେ ସବୁ ଅଭିଯୋଗ ଭିତ୍ତିହୀନ ଏବଂ ମିଥ୍ୟା ବୋଲି ପ୍ରମାଣିତ ହୋଇଛି।
ଭାଇରାଲ୍ ହୋଇଥିବା ତାଙ୍କ ନୃତ୍ୟବେଳର ଦୃଶ୍ୟ ତାଙ୍କ ବ୍ୟକ୍ତଗତ ସମୟରୁ ଉତ୍ତୋଳିତ କରାଯାଇଛି କହି ସେ କାନ୍ଦି ପକାଇଥିଲେ।