ପାକିସ୍ତାନୀ ଟ୍ୟାଙ୍କକୁ ଉଡ଼ାଇବ ଇସ୍ରାଏଲ ତିଆରି ‘ସ୍ପାଇକ୍’ : ଭାରତୀୟ ସେନାକୁ ଖୁବ୍ ଶୀଘ୍ର ମିଳିବ ଏହି ମିସାଇଲ୍
ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ ସହ ସୀମାରେ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଉଥିବାରୁ ଭାରତ ନିଜର ସାମରିକ ଶକ୍ତିକୁ ଦୃଢ଼ କରିବାକୁ ଚାହୁଛି। ନୌସେନା ଓ ବାୟୁସେନାର ଶକ୍ତିବୃଦ୍ଧି ସହ ସେନାକୁ ମଧ୍ୟ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ପଦକ୍ଷେପ ନେଇଛି। ଖୁବଶୀଘ୍ର ଆଣ୍ଟି-ଟ୍ୟାଙ୍କ ମିସାଇଲ୍ ଖରିଦ କରିବାକୁ ଯାଉଛି ଭାରତ। ଏଥିପାଇଁ ସେ ଇସ୍ରାଏଲ ନିର୍ମିତ ସ୍ପାଇକ୍ ମିସାଇଲ କିଣିବା ପାଇଁ ସେନା ନିଷ୍ପତ୍ତି ନେଇ ସାରିଥିବା ସୂଚନା ମିଳିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଡ଼ିଫେନ୍ସ ରିସର୍ଚ୍ଚ ଆଣ୍ଡ ଡ଼େଭ୍ଲପ୍ମେଣ୍ଟ ଅର୍ଗାନାଇଜେସନ୍ ଆଗାମୀ ୩ ବର୍ଷ ମଧ୍ୟରେ ସ୍ୱଦେଶୀ ଆଣ୍ଟି ଟ୍ୟାଙ୍କ୍ ମିସାଇଲ ନିର୍ମାଣ କରିବା ପୂର୍ବରୁ ଭାରତୀୟ ସେନା ବର୍ତ୍ତମାନର ପରିସ୍ଥିତି ପାଇଁ ଶକ୍ତିଶାଳୀ ସ୍ପାଇକ୍ ମିସାଇଲ୍ କିଣିବ। ସ୍ପାଇକ୍ ମିସାଇଲ କିଣିବାର ପ୍ରସ୍ତାବ ଏବେ ଭାରତ ସରକାରଙ୍କ ମଞ୍ଜୁରୀ ଅପେକ୍ଷାରେ ଥିବା ବେଳେ ଏହା ସହ ଜଡ଼ିତ କିଛି ସୂଚନା ଏ ପର୍ଯ୍ୟନ୍ତ ସାର୍ବଜନିକ କରାଯାଇ ନାହିଁ । ଭାରତୀୟ ସେନାରେ ଏହି ମିସାଇଲର ଆବଶ୍ୟକତା ଅଧିକ ଥିବାରୁ ଇସ୍ରାଏଲର ରାଫେଲ୍ କମ୍ପାନି ଦ୍ୱାରା ନିର୍ମାଣ କରାଯାଇଥିବା ସ୍ପାଇକ୍ ମିସାଇଲ ଏ ବର୍ଷ ଭାରତୀୟ ସେନାରେ ସାମିଲ ହେବାର ସମ୍ଭାବନା ରହିଛି ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣା ପଡ଼ିଛି । ଜାନୁଆରୀ ୨୦୧୮ରେ ଏହି ସ୍ପାଇକ୍ ମିସାଇଲର ଦାମ୍ ୫୦୦ମିଲିୟନ ଥିବାରୁ ଭାରତ ଏହାକୁ କିଣିବାର ପ୍ରସ୍ତାବକୁ ସ୍ଥଗିତ କରି ଦେଇଥିଲା । କିନ୍ତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏ ବିଷୟରେ କଥା ହେବା ପରେ ସ୍ପାଇକ୍ ମିସାଇଲ କିଣିବାର ପ୍ରସ୍ତାବ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଥିଲା ।