ଭୁବନେଶ୍ୱର : ଆସାମ ସରକାର ବାହାର ରାଜ୍ୟର ମାଛ ବିକ୍ରି ଉପରେ ନିଷେଧାଦେଶ ଜାରି କରିଛନ୍ତି। ମାଛକୁ ତାଜା ରଖିବା ପାଇଁ ଏକ ଅନିଷ୍ଟକାରୀ ରାସାୟନିକ ମିଶାଯାଉଥିବାର ଅଭିଯୋଗ ହେଉଛି। ଏହି ରାସାୟନିକ ଦ୍ରବ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଉଛି। ଓଡ଼ିଶାରେ ବାହାର ରାଜ୍ୟ ବିଶେଷ କରି ଆନ୍ଧ୍ର ମାଛର ବିକ୍ରି ଅଧିକ ହେଉଥିବାରୁ ଏହାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଏଥି ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ତୁରନ୍ତ ଆନ୍ଧ୍ର ମାଛ ଉପରେ ଯାଞ୍ଚ୍ ପାଇଁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ଗଣମାଧ୍ୟକୁ କହିଛନ୍ତି, ଆସାମରେ ଆନ୍ଧ୍ର ମାଛ ପୋଷ୍ଟମର୍ଟମ ହେଲା ପରେ ସେଥିରେ ରାସାୟନିକ ଦ୍ରବ୍ୟ ବ୍ୟବହାର କରି ପାର୍ସଲ କରୁଥିବା ଯୋଗୁଁ ଲୋକଙ୍କ ପାଇଁ କ୍ଷତିକରାକ ହେଉଛି ବୋଲି କୁହାଯାଉଛି। କିଏ କିଏ କହୁଛନ୍ତି ଏଥି ପାଇଁ କର୍କଟ ରୋଗ ହେବାର ଆଶଙ୍କା ରହିଛି। ମତ୍ସ୍ୟ ଓ ପଶୁସମ୍ପଦ ସଚିବଙ୍କୁ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ବଜାରରେ କି କି ମାଛ ଆସୁଛି, ତାହା ପରୀକ୍ଷା କରି ସଚିବ ରିପୋର୍ଟ ଦେବେ। ତାହା ପରେ ସରକାର ଆବଶ୍ୟକ ପଦକ୍ଷେପ ନେବେ।
Sambad is now on WhatsApp
Join and get latest news updates delivered to you via WhatsApp
କର୍କଟ ରୋଗ ସୃଷ୍ଟିକାରୀ ଉପାଦାନ ସନ୍ଦେହ, ଆସାମରେ କଟକଣା
ଗୌହାଟୀ : ଅନ୍ୟ ରାଜ୍ୟଗୁଡ଼ିକରୁ ଆସୁଥିବା ମାଛ ଉପରେ କଟକଣା ଲଗାଇଛନ୍ତି ଆସାମ ସରକାର। ମାଛରେ କ୍ୟାନ୍ସର୍ ସୃଷ୍ଟିକାରୀ ‘ଫର୍ମାଲିନ୍’ ଉପାଦାନ ମିଳିଥିବାରୁ ଅନ୍ତତଃ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଆସାମ ଅନ୍ୟ ରାଜ୍ୟରୁ ମାଛ ଆମଦାନୀ କରିବ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ମନ୍ତ୍ରୀ ପିଜୁସ୍ ହଜାରିକା ଏକ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇ କହିଛନ୍ତି ଯେ ଜୁନ୍ ୨୯ରେ ସେ ବଜାରରୁ କିଛି ମାଛ ନମୁନା ସଂଗ୍ରହ କରିଥିଲେ। ଏଗୁଡ଼ିକୁ ରାଜ୍ୟ ପରୀକ୍ଷାଗାରରେ ଯାଞ୍ଚ କରାଯାଇଥିଲା। ତନ୍ମଧ୍ୟରୁ କିଛି ମାଛରେ କର୍କଟ ରୋଗ ସୃଷ୍ଟିକାରୀ କେମିକାଲ ଫର୍ମାଲିନ୍ ଠାବ କରାଯାଇଥିଲା। ତେଣୁ ଏହା ଉପରେ ଏବେ ଅଧିକ ପରୀକ୍ଷା ଜାରି ରହିଛି। ଏହାକୁ ଆଖିରେ ରଖି ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଆସାମକୁ ଅନ୍ୟ କୌଣସି ରାଜ୍ୟର ମାଛ ପଶିବାକୁ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, କିଛି ଆମଦାନିକାରୀ ମାଛକୁ ତାଜା ରଖିବା ସକାଶେ ସେଥିରେ ଅନିଷ୍ଟକାରୀ ରାସାୟନିକ ସାମଗ୍ରୀ ବ୍ୟବହାର କରୁଛନ୍ତି। ଫଳରେ ଏହା ମାଛଗୁଡ଼ିକୁ ବିଷାକ୍ତ କରିପକାଉଛି। ଏଗୁଡ଼ିକୁ ଖାଇବା ଦ୍ୱାରା ଲୋକମାନେ ରୋଗରେ ପଡ଼ିପାରନ୍ତି। ଦୀର୍ଘମିଆଦୀ ଭାବେ ଏହା ଲୋକଙ୍କଠାରେ କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି କରିପାରେ। ତେଣୁ ଏଭଳି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର ନ କରିବାକୁ ଆମଦାନିକାରୀ ସଂସ୍ଥା ପକ୍ଷରୁ ପ୍ରତିିଶ୍ରୁତି ମିଳିଲେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେହିଭଳି ମାଛରେ କୌଣସି ‘ଫର୍ମାଲିନ୍’ ଉପାଦାନ ନାହିଁ ବୋଲି ମଧ୍ୟ ସେମାନଙ୍କୁ ସୁନିଶ୍ଚିତ କରାଇବାକୁ ପଡ଼ିବ।
ସୂଚନାଯୋଗ୍ୟ ଯେ ଶବକୁ ଅଧିକ ଦିନ ସଂରକ୍ଷିତ ରଖିବା ସକାଶେ ‘ଫର୍ମାଲିନ୍’ ବ୍ୟବହାର କରାଯାଏ। କିନ୍ତୁ ମାଛକୁ ତାଜା ରଖିବା ପାଇଁ ଏହାକୁ ବ୍ୟବହାର କରାଯାଉଥିବା ନିକଟରେ ରିପୋର୍ଟ ପ୍ରକାଶ ପାଇଛି। ତେଣୁ ବିହିତ ପଦକ୍ଷେପ ସ୍ୱରୂପ ଆସାମ ସରକାର ଏହା ଉପରେ କଟକଣା ଲଗାଇଛନ୍ତି।