ଭୁବନେଶ୍ୱର : ବି.ଟେକ୍ ସମେତ ଲାଟେରାଲ ଏଣ୍ଟ୍ରି ଇଞ୍ଜିନିୟରିଂ, ଏମ୍ବିଏ, ଏମ୍ସିଏ, ବି.ଫାର୍ମା, ଏମ୍. ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍ସିଏ ପାଠ୍ୟକ୍ରମରେ ଖାଲିଥିବା ସିଟ୍ରେ ନାମଲେଖା ପାଇଁ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୩୫ଟି କେନ୍ଦ୍ରରେ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ଅନୁଷ୍ଠିତ ଏହି ପରୀକ୍ଷାରେ ପ୍ରାୟ ୧୪ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ବି.ଟେକ୍ରେ ସର୍ବାଧିକ ପ୍ରାୟ ୮ ହଜାର ଛାତ୍ରଛାତ୍ରୀ ରହିଥିବା ବେଳେ ଲାଟେରାଲ ଏଣ୍ଟ୍ରି ଇଞ୍ଜିନିୟରିଂ, ଏମ୍ବିଏ, ଏମ୍ସିଏ ପାଠ୍ୟକ୍ରମରେ ଏକ ହଜାରରୁ ଅଧିକ ପରୀକ୍ଷାର୍ଥୀ ରହିଥିଲେ। ଭୁବନେଶ୍ୱରରେ ସର୍ବାଧିକ ୯ଟି ପରୀକ୍ଷା କେନ୍ଦ୍ରରେ ୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ ଏହି ପରୀକ୍ଷାରେ ବାଲେଶ୍ୱର ଜିଲ୍ଲାର ୨ ଜଣ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡ଼ିଥିବା ନେଇ ଓଜେଇଇ ସଚିବ ରଂଜନ ଜେନା ସୂଚନା ଦେଇଛନ୍ତି।
ବାଲେଶ୍ୱର ସରକାରୀ ଆଇଟିଆଇ କଲେଜରେ ଆଡମିଟ୍ କାର୍ଡ ଯାଞ୍ଚ କରାଯିବା ସମୟରେ ୨ ଜଣ ନକଲି ପରୀକ୍ଷାର୍ଥୀ ଧରାପଡ଼ିଥିଲେ। ଏ ନେଇ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ନକଲି ପରୀକ୍ଷାର୍ଥୀ ହେଲେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ସେରଗଡ଼ ଅଞ୍ଚଳର ବିନୋଦ ସିଂ(୧୯) ଓ ବିହାର ରାଜ୍ୟର ପଙ୍କଜ ଓରଫ୍ ସଞ୍ଜୀବ କୁମାର ସିଂହ(୨୦) ବୋଲି ପୁଲିସ୍ କହିଛି। ସେହିପରି ଜଗତସିଂହପୁର ଜିଲ୍ଲା ଏସ୍ଭିଏମ୍ କଲେଜରେ ଅନୁଷ୍ଠିତ ପରୀକ୍ଷାରେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି। ରାକେଶ ପଟ୍ଟନାୟକ ନାମକ ଏହି ନକଲି ପରୀକ୍ଷାର୍ଥୀ ମାନସ ସେଠୀଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ। ଏ ନେଇ ଏସ୍ଭିଏମ୍ କଲେଜ ଅଧ୍ୟକ୍ଷ ରବିପ୍ରସନ୍ନ ସାହୁ ଜଗତସିଂହପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ରାକେଶଙ୍କୁ ଗିରଫ କରିବା ସହ ଅଧିକ ତଥ୍ୟ ପାଇଁ ତଦନ୍ତ କରୁଛି।
ସ୍ୱତନ୍ତ୍ର ଓଜେଇଇ ଶେଷ ହୋଇଥିବା ବେଳେ ଆସନ୍ତା ୨୫ ତାରିଖରେ ଫଳ ପ୍ରକାଶ ପାଇବ। ଜୁଲାଇ ୨୭ରୁ ୨୯ ମଧ୍ୟରେ ଛାତ୍ରଛାତ୍ରୀ ର୍ୟାଙ୍କ କାର୍ଡ ଡାଉନ୍ଲୋଡ କରିବା ସହ ଅନ୍ଲାଇନ୍ରେ ପଞ୍ଜୀକରଣ ଓ ଚଏସ୍ ଫିଲିଂ କରାଯିବ। ୩୦ତାରିଖରେ ସିଟ୍ ଆଲଟ୍ମେଣ୍ଟ ହେବ। ଅଗଷ୍ଟ ୧ ଓ ୨ରେ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଅଗଷ୍ଟ ୩ରେ ଛାତ୍ରଛାତ୍ରୀ କଲେଜରେ ଚୂଡ଼ାନ୍ତ ରିପୋର୍ଟିଂ କରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।