ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା: ବିଜେଡି

କର୍ମୀଙ୍କ ମନୋବଳ ବଢାଇବାକୁ ଫମ୍ପା ବକ୍ତବ୍ୟ ଦେଉଛନ୍ତି ଶାହ

ଭୁବନେଶ୍ୱର: ନିର୍ବାଚନ ଆସିଲେ ଓଡ଼ିଶା ବିଜେପିର ଚାଷୀଙ୍କ କଥା ମନେ ପଡ଼େ। ଏବେ ମୁଣ୍ଡ ଉପରେ ଭୋଟ ଥିବାରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାଷୀଙ୍କ ପ୍ରସଙ୍ଗ ଉଠାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର। ଶ୍ରୀ ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ୨୦୧୭ ମସିହାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ସଙ୍କଳ୍ପ ପାରିତ ହୋଇଥିଲା। ବିଜେପି ବିଧାୟକମାନେ ଏଥିରେ ସମ୍ମତି ପ୍ରକାଶ କରିଥିଲେ। ହେଲେ କେନ୍ଦ୍ର ସରକାର ଧାନର ଦରବୃଦ୍ଧି କଲେ ନାହିଁ। ଓଡ଼ିଶା ବିଜେପି ମଧ୍ୟ କେନ୍ଦ୍ରରେ ଥିବା ନିଜ ଦଳର ସରକାରଙ୍କ ନିକଟରେ ଏହି ଦାବି ଉଠାଇଲା ନାହିଁ। ଏହି ସଙ୍କଳ୍ପ ପାରିତକୁ ସାତ ବର୍ଷ ପୂରିଥିବା ବେଳେ ମନମୋହନ ସାମଲ ଦିନଟିଏ ହେଲେ ଏହି ପ୍ରସଙ୍ଗରେ ମୁହଁ ଖୋଲିନଥିଲେ। ଏବେ ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଏହି ପ୍ରସଙ୍ଗ ଉଠାଉଛନ୍ତି। ତାଙ୍କର ଏଭଳି ବକ୍ତବ୍ୟ ବିଜେପିର ଦୋମୁହାଁ ନୀତିକୁ ଦର୍ଶାଉଛି। ଶ୍ରୀ ସାମଲ ଏହି ପ୍ରସଙ୍ଗ ଉଠାଇ ଏବେ ନିଜ ଦଳର ବିଧାୟକମାନଙ୍କର ଅପାରଗତାକୁ ପଦାରେ ପକାଇ ଦେଇଛନ୍ତି। ଓଡ଼ିଶାରେ ଚାଷୀଙ୍କ ମେରୁଦଣ୍ଡ ମଜଭୂତ ଅଛି ଏବଂ ସେମାନଙ୍କ ହାତମୁଠା ଟାଣ ରହିଛି। ରାଜ୍ୟ ବିଜେପି ସେମାନଙ୍କୁ ରାଜନୀତି ରଣାଙ୍ଗନରେ ମୋହରା ବନାଇବକୁ ଚେଷ୍ଟା ନକରୁ।

ଅମିତ ଶାହଙ୍କ ୧୬ଟି ଲୋକସଭା ଆସନ ଜିତିବା ପ୍ରସଙ୍ଗରେ ଶ୍ରୀ ପାତ୍ର କହିଛନ୍ତି ଯେ କେନ୍ଦ୍ର ବିଜେପି ଭଲ ଭାବେ ଜାଣିଛି ଏଥର ନିର୍ବାଚନରେ ବିଜେପି ଶୋଚନୀୟ ଭାବେ ହାରିବାକୁ ଯାଉଛି। ହତାଶ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଶ୍ରୀ ଶାହ ଏଭଳି ମନ୍ତବ୍ୟ ରଖିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ୯୦ ପ୍ରତିଶତ ସ୍ଥାନରେ ଜିତିଥିଲା। ୩୦ରୁ ୩୦ ଜିଲ୍ଲା ପରିଷଦ ଆସନ ବିଜେଡି ଖାତାକୁ ଆସିଥିଲା। ଚଳିତ ନିର୍ବାଚନରେ ବିଜେଡି ୧୭ଟି ଲୋକସଭା ଆସନରେ ବିଜୟ ଲାଭ କରିବ। ସେହିଭଳି ୨୦୧୯ ନିର୍ବାଚନରେ ବିଜେଡି ଯେତିକି ବିଧାନସଭା ଆସନ ପାଇଥିଲା ଏଥର ତାହାଠାରୁ ଢେର ଅଧିକ ଆସନରେ ଜିତିବ।

ସମ୍ବନ୍ଧିତ ଖବର