ଭୁବନେଶ୍ୱର: ବିହାର ମୁଜାଫରପୁର ଓ ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ଆଶ୍ରୟସ୍ଥଳୀରେ ନାବାଳିକାଙ୍କୁ ଯୌନଶୋଷଣ ତଥା ଗଣଦୁଷ୍କର୍ମ କରାଯାଉଥିବା ଘଟଣା ପଦାକୁ ଆସିବା ପରେ ସତର୍କତା ଅବଲମ୍ବନ କରିବାକୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲା ଏସ୍ପି ଓ କମିସନରେଟ୍ ପୁଲିସର ଦୁଇ ଡିସିପିଙ୍କୁ କୁହାଯାଇଛି, ତୁରନ୍ତ ସେମାନଙ୍କ ଅଞ୍ଚଳରେ ଥିବା ଆଶ୍ରୟସ୍ଥଳୀ ଉପରେ ନଜର ରଖିବାକୁ। ଆବଶ୍ୟକ ହେଲେ ଆଶ୍ରୟସ୍ଥଳୀକୁ ଯାଇ ଛାନଭିନ୍ କର। ଏ ନେଇ ଖୁବ୍ ଶୀଘ୍ର ଏକ ସର୍କୁଲାର ମଧ୍ୟ ଜାରି କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ବିହାର ଓ ଉତ୍ତରପ୍ରଦେଶର ଏହି ଘଟଣା ପଦାକୁ ଆସିବା ପରେ ରାଜ୍ୟରେ ଥିବା ଆଶ୍ରୟସ୍ଥଳୀଗୁଡ଼ିକ କେତେ ସୁରକ୍ଷିତ, ସେ ନେଇ ସନ୍ଦେହ ଉପୁଜିଛି। ବିଗତ ଦିନରେ ଫୁଲବାଣୀ, ମାଲାକାନାଗିରି, କୋରାପୁଟ, ମୟୂରଭଞ୍ଜ ଭଳି ଅନେକ ଜିଲ୍ଲାରେ ଥିବା ଆଶ୍ରୟସ୍ଥଳୀରେ ନାବାଳିକା, ଯୁବତୀ ଓ ମହିଳାମାନଙ୍କୁ ଦୁଷ୍କର୍ମ, ଅସଦାଚରଣ ଭଳି ଅଭିଯୋଗ ହୋଇଛି। ପୁଲିସ ଏ ନେଇ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜ୍ୟରେ ଗଣଦୁଷ୍କର୍ମ ଭଳି ଘଟଣା ଆଦୌ ଘଟି ନ ଥିଲେ ମଧ୍ୟ ପୁଲିସ ଏ ଦିଗରେ ସର୍ତକ ରହିବାକୁ ଜିଲ୍ଲା ପୁଲିସକୁ କୁହାଯାଇଛି ବୋଲି ଏଡିଜି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି, କେଉଁ ଆଶ୍ରୟସ୍ଥଳୀ କାହା ଦାୟିତ୍ୱରେ ଅଛି, ରାତିବେଳା ସେଠାରେ କେଉଁମାନେ କାର୍ଯ୍ୟ କରୁଛନ୍ତି, ମହିଳା କର୍ମଚାରୀ ଅଛନ୍ତି ନା ନାହିଁ, ତାହା ଯାଞ୍ଚ କରାଯିବ। ନାବାଳିକାମାନଙ୍କ ସୁରକ୍ଷା ବ୍ୟତୀତ, ଆଶ୍ରୟସ୍ଥଳୀରେ ନିଶା କାରବାର ଉପରେ ନଜର ରଖିବାକୁ ମଧ୍ୟ ନିର୍ଦେଶ ହୋଇଛି। କେଉଁଠି ନକାରାତ୍ମକ ତଥ୍ୟ ମିଳିଲେ, ତୁରନ୍ତ ଏ ନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରାଇବାକୁ କୁହାଯାଇଛି। ପ୍ରକାଶଥାଉକି, ରାଜ୍ୟରେ ଏବେ ୩୦୪ଟି ଆଶ୍ରୟସ୍ଥଳ ରହିଛି। ଏଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୧୭ଟି ଆଶ୍ରୟସ୍ଥଳୀ ରହିଛି। ବିଭିନ୍ନ ସମୟରେ ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ନାବାଳିକାମାନଙ୍କୁ ବିଭିନ୍ନ ପ୍ରକାରର ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଆସିଛି। ଏହି କାରଣରୁ ଅନେକ ଆଶ୍ରୟସ୍ଥଳୀକୁ ବନ୍ଦ କରି ଦିଆଯାଇଛି ବୋଲି ଖୋର୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତି ସଦସ୍ୟ ବେଣୁଧର ସେନାପତି କହିଛନ୍ତି। ଖୋର୍ଧା ଜିଲ୍ଲାରେ ଥିବା ସମସ୍ତ ଆଶ୍ରୟସ୍ଥଳୀରେ ଯାଞ୍ଚ କରାଯାଉଛି। ପ୍ରତ୍ୟେକ ନାବାଳିକାଙ୍କୁ ଅଲଗା ଅଲଗା କରି ପଚରାଉଚରା କରାଯାଉଛି। କେଉଁଠି ବି ଏଭଳି ଅଭିଯୋଗ ଆସିନାହିଁ। ଅନ୍ୟପକ୍ଷରେ ଏ ସମ୍ପର୍କରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।