ହବିବୁର୍କୁ ଜେରା ପାଇଁ ଯିବେ ଅଫିସର
ଭୁବନେଶ୍ୱର: ଲସ୍କର ସହଯୋଗୀ ହବିବୁର୍ ରହେମାନ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ଏନ୍ଆଇଏ ରିମାଣ୍ଡରେ ଆଣିବା ପରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ର ଜଣେ ଅଧିକାରୀଙ୍କୁ ନୂଆଦିଲ୍ଲୀ ପଠାଯିବ। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଆଜି ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗତକାଲି ହବିବୁର୍ ସଂପର୍କରେ ଜାଣିବା ପରେ କାଳେ ତାର କୌଣସି ଲିଙ୍କ୍ ଓଡ଼ିଶାରେ ଥିବ, ସେଥିପାଇଁ ଏସ୍ଟିଏଫ୍ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ପୁଲିସ ମହାନିର୍ଦେଶକ ଦାୟିତ୍ୱରେ ଥିବା ବରିଷ୍ଠ ପୁଲିସ ଅଧିକାରୀ ସତ୍ୟଜିତ ମହାନ୍ତି କହିଛନ୍ତି, ଗତକାଲି ତୁରନ୍ତ ଏସ୍ଟିଏଫ୍ ଅଧିକାରୀ ଫୋନ୍ ଯୋଗେ ଏନ୍ଆଇଏ ସହିତ ସଂପର୍କ ସ୍ଥାପନ କରିଥିଲେ। ସମାନ୍ତରାଳ ଭାବେ ଉଭୟ କେନ୍ଦ୍ରାପଡା ଓ ପାଟକୁରା ପୁଲିସ ସହିତ ଯୋଗାଯୋଗ କରାଯାଇ ପରିବାର ଲୋକଙ୍କୁ ଜେରା କରାଯାଇଥିଲା। ତେବେ ଏନ୍ଆଇଏ ଅଧିକାରୀ ହବିବୁର୍ ସଂପର୍କରେ ଗତକାଲି ପରେ ଆଉ କିଛି ଖୋଳତା଼ଡ କରିନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଜେରା ପରେ ଯଦି କିଛି ସୁରାକ ମିଳେ ଓ ଏନ୍ଆଇଏ ଜଣାଇବ ଓ ତା ଅନୁସାରେ ପଦକ୍ଷେପ ନିଆଯିବ। ଅନ୍ୟ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ହବିବୁର୍ ମୁଖ୍ୟତଃ ପାଣ୍ଠି ଯୋଗାଡ କରୁଥିଲା ଓ ଅପରାଧ ଘଟାଇବା ପରେ ଲୁଚାଇବାରେ ସାହାଯ୍ୟ କରୁଥିଲା। ଯେହେତୁ ପୂର୍ବରୁ ରାଉରକେଲାରୁ ଆତଙ୍କୀଙ୍କୁ ଗିରଫ କରାଯାଇଛି, ହରିବୁର୍ କାଳେ ଓଡ଼ିଶାକୁ ନିରାପଦ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିଥିବ, ସେ ନେଇ ଅଧିକ ଜେରାର ଆବଶ୍ୟକତା ରହିଛି। ହବିବୁର୍ ପରିବାର ସହିତ ସଂପର୍କ ନ ରଖି ବି ନିଜ ପତିଆରା ବଢାଇବା ପାଇଁ ହେଉ ବା ସଂଗଠନ ବୃଦ୍ଧି ଲାଗି କିଛି ପଦକ୍ଷେପ ନେଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଓଡ଼ିଶାର ମୂଳ ଅଧିବାସୀ ହୋଇଥିଲେ ମଧ୍ୟ ବର୍ତ୍ତମାନ ଯାଏ ଓଡ଼ିଶାର ହବିବୁର୍ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରସ୍ତୁତି କରିଥିବା ନେଇ କୌଣସି ସୂଚନା ନାହିଁ।