ବୋର୍ଡ ଅଫିସ୍ ପୋଡ଼ି ଘଟଣା: ୧୦ ଜଣଙ୍କ ନାମରେ ମାମଲା ରୁଜୁ

ଭିଡିଓଗ୍ରାଫି କଲା ପୁଲିସର ସ୍ବତନ୍ତ୍ର ଟିମ, ୩୬ ଘଣ୍ଟା ପରେ ବି ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ୍

ସମ୍ବଲପୁର: ବୁଧବାର ଅପରାହ୍ଣରେ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ବଲପୁରରେ କିଛି ଦୁର୍ବୃତ୍ତ ନିଆଁ ଲଗାଇଦେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେପଟେ, ବୁଧବାର ଏନେଇ ଧନୁପାଲି ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ପୁଲିସ୍ ୮-୧୦ ଜଣ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହି ଘଟଣାର ତଦନ୍ତ ପାଇଁ ଏସପିଙ୍କ ନିର୍ଦେଶ କ୍ରମେ ସଦର ଏସଡିପିଓ ଭବାନୀ ଉଦଗାତାଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ନିଆଁ ଲଗାଇଥିବା ବ୍ୟାକ୍ତିଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ସିସିଟିଭି ଫୁଟେଜକୁ ତନ୍ନତନ୍ନ କରି ଯାଞ୍ଚ କରି ଯାଞ୍ଚ କରୁଛି ବୋଲି ଏସପି ସଞ୍ଜୀବ ଅରୋରା ସୂଚନା ଦେଇଛନ୍ତି। ସେପଟେ, ଧନୁପାଲି ଥାନା ଆଇଆଇସି କମଳ ପଣ୍ଡା ଓ ତାଙ୍କର ସ୍ବତନ୍ତ୍ର ଦଳ ଗୁରୁବାର ସକାଳୁ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପୋଡ଼ି ଯାଇଥିବା ଗାଡ଼ିଗୁଡ଼ିକ ଜବତ କରିବା ପରେ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର ମଧ୍ୟ କରିଥିବା ଆଇଆଇସି ଶ୍ରୀ ପଣ୍ଡା କହିଛନ୍ତି। ସମସ୍ତ ଘଟଣାର ଭିଡିଓଗ୍ରାଫି ମଧ୍ୟ କରାଯାଇଛି। ଗୋଟିଏ ପଟେ, ବୋର୍ଡ ଅଫିସ ପୋଡି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଘଟଣାର ୩୬ ଘଣ୍ଟା ବିତି ସାରିଥିଲେ ସୁଦ୍ଧା ପୁଲିସର ହାତ ଖାଲି ରହିଛି। ପୁଲିସ୍ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲେ ବି ଅସଲି ଅଭିଯୁକ୍ତଙ୍କ ନିକଟରେ ଏଯାଏଁ ପହଞ୍ଚି ପାରିନି। ତେବେ ଏହି ଘଟଣାର ସମସ୍ତ ଅଭିଯୁକ୍ତ ଖୋଲାଖୋଲି ଭାବେ ବୁଲୁଥିବା ବେଳେ ପୁଲିସ୍ କିନ୍ତୁ ସେମାନଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିପାରୁନି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ବୁଧବାର ମାଧ୍ୟମିକ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ଉପ ସଚିବ ସୂର୍ଯ୍ୟମଣି ମାଝୀ କିଛି ଅଜଣା ଓକିଲ ଏହି କାଣ୍ଡ ଭିଆଇଥିବା ନେଇ ସିଧାସଳଖ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ଯାଞ୍ଚ ପରେ କ୍ଷୟକ୍ଷତିର ରିପୋର୍ଟ
ସମ୍ବଲପୁର: ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟରେ ହୋଇଥିବା ପୋଡ଼ି ଘଟଣାରେ କାର୍ଯ୍ୟାଳୟର କ’ଣ କ’ଣ କ୍ଷତି ହୋଇଛି, ତାହାର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ରିପୋର୍ଟକୁ କଟକସ୍ଥି ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟକୁ ପଠାଯିବା ପରେ ସେଠାରୁ ଏକ ଟିମ୍ ଆସି ଘଟଣାର ଅନୁଧ୍ୟାନ କରିବେ ବୋଲି ଆଞ୍ଚଳିକ କାର୍ଯ୍ୟାଳୟ ଉପସଚିବ ସୂର୍ଯ୍ୟମଣି ମାଝୀ କହିଛନ୍ତି। ଏନେଇ ଶୁକ୍ରବାର ଆଞ୍ଚଳିକ କାର୍ଯ୍ୟାଳୟର ଏକ ଅଧିକାରୀ ଦଳ ବୋର୍ଡ ଅଫିସକୁ ଯାଇ କ୍ଷୟକ୍ଷତିର ଆକଳନ କରିବେ। କ’ଣ କ’ଣ ପୋଡିଛି ତଥା ଭଙ୍ଗାରୁଜା ହୋଇଛି ତାହାର ଏକ ସବିଶେଷ ତଥ୍ୟ ପ୍ରସ୍ତୁତ କରିବେ। ଏହାବାଦ୍ ପିଲାଙ୍କ ପ୍ରମାଣପତ୍ର କିଛି କ୍ଷୟକ୍ଷତି ହୋଇଛି ନା ନାହିଁ ତାହା ମଧ୍ୟ ପରଖିବେ। ସେପଟେ,ଫର୍ମ ଫିଲପ୍‌ କରିନଥିବା ଛାତ୍ରଛାତ୍ରୀ ପୁଣିଥରେ ଫର୍ମ ଫିଲପ କରିବେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର