ଟାଟା ଲିଟରାରି ଫେଷ୍ଟ ଉଦ୍‌ଘାଟିତ: ନେତାଜୀ ଥିଲେ ବାପୁଜୀଙ୍କ ଶକ୍ତି ବଢ଼ିଥା’ନ୍ତା

ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବା କବିର କର୍ତବ୍ୟ: ଜୟନ୍ତ ମହାପାତ୍ର

ଭୁବନେଶ୍ବର: ଟାଟା ଷ୍ଟିଲ ଓ ସମ୍ବାଦ ଗ୍ରୁପ୍‌ର ମିଳିତ ଉଦ୍ୟମରେ ଆଜିଠାରୁ ୩ ଦିନିଆ ଭୁବନେଶ୍ବର ସାହିତ୍ୟ ସମାବେଶ ଜାଭିୟର ପରିସରରେ ଆରମ୍ଭ ହୋଇଛି। ଏହାକୁ ବିଶିଷ୍ଟ କବି ଜୟନ୍ତ ମହାପାତ୍ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମହାପାତ୍ର କହିଲେ, ନିଜକୁ କବି ବୋଲି କହିବା ବେଳେ ନିଜ ଆଖପାଖରେ ଘଟୁଥିବା ଘଟଣା, ଅନ୍ୟାୟ ଓ ନୃଶଂସତାକୁ ଆଖି ବନ୍ଦ କରି ରହିପାରିବି ନାହିଁ। ‌ସେସବୁ ବିଷୟ ମନ ଭିତରକୁ ଆସିବ ଓ ତାହାକୁ ମୁଁ ଲେଖିବି। ଲେଖାଠାରୁ ମୁଁ ନିଜକୁ ଦୂରେଇ ପାରିବି ନାହିଁ। ନିଜ ଭିତରେ ଯେଉଁ ବିବେକ ବୋଲି ଯେଉଁ ଛୋଟ ସ୍ବର ରହିଛି ତାହା ହିଁ କବିତା ଲେଖିବା ପାଇଁ ଆଗକୁ ଟାଣି ନେଉଛି, ଲୋକଙ୍କୁ ଭଲ ପାଇବାକୁ ସୁଯୋଗ ଦେଉଛି। ଜଣେ କବିର କର୍ତବ୍ୟ ହେଉଛି ନିଜ ପରିବାର, ନିଜ ପାଖର ଲୋକ ଓ ଦେଶକୁ ଭଲ ପାଇବା। ଯେଉଁ କବି କେବଳ ବାସ୍ତବତାକୁ ଦେଖିଥାଏ ସେ ମୃତ, ସେହିପରି ଯେ ଅନ୍ୟାୟ ଓ ଅନୀତି ବିରୋଧରେ ସ୍ବର ଉତ୍ତୋଳନ ନ କରେ ସେ ମଧ୍ୟ ମୃତ। ବିଶ୍ବରେ କ’ଣ ଘଟୁଛି ତାହାକୁ ଜଣେ କବି ଲେଖିବା ଜରୁରୀ। ଜଣେ ନିଜ କବିତାରେ ଯାହା ଲେଖୁଛନ୍ତି ତାହା ସତ୍ୟ ନା ନୁହେଁ ତାହା ନିଜକୁ ନିଜେ ପ୍ରଶ୍ନ କରିବା ଉଚିତ୍ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଆଜିର ସମୟରେ ଲୋକମାନେ ଲେଖାଲେଖିଠାରୁ ଦୂରେଇ ଯାଉଛନ୍ତି। ଯଦି ସାହିତ୍ୟିକମାନେ ରାଜନୀତି ଉପରେ ଲେଖାଲେଖି କରିବେ ତାହାଲେ ତାହା ଲୋକମାନଙ୍କ ନିକଟରେ ପହଞ୍ଚିପାରିବ ଓ ରାଜନୀତିରେ ଶୁଦ୍ଧିକରଣ ଆସିପାରିବ। ଏଭଳି ସାହିତ୍ୟ ଉତ୍ସବ ଆୟୋଜନ କରିଥିବାରୁ ଟାଟା ଷ୍ଟିଲକୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲର ଟିକ୍ୟୁଏମ୍‌ ଏଣ୍ଡ ଷ୍ଟିଲ ବିଜିନେସ୍‌ର ସଭାପତି ଆନନ୍ଦ ସେନ୍ ଓ ମହୋତ୍ସବ ନିର୍ଦେଶିକା ମାଳବିକା ବାନାର୍ଜୀ ଉପସ୍ଥିତ ଥିଲେ।

ଗାନ୍ଧୀଜୀ-ନେତାଜୀଙ୍କ ପରସ୍ପର ପ୍ରତି ସ୍ନେହ ଓ ସମ୍ମାନ ଥିଲା- ଐତିହାସିକ ସୁଗତ ବୋଷ
ଭୁବନେଶ୍ବର ଲିଟେରାରି ମିଟ୍‌ର ଦ୍ବିତୀୟ ଅଧିବେଶନରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂପର୍କରେ ମତ ରଖିଥିଲେ ଐତିହାସିକ ସୁଗତ ବୋଷ। ପ୍ରଫେସର ଯତୀନ୍ଦ୍ର ନାୟକଙ୍କ ସହ ଆଲୋଚନା ଅବସରରେ ଶ୍ରୀ ବୋଷ କହିଥିଲେ, ଗାନ୍ଧୀଜୀଙ୍କ ଜୀବନ କ୍ରମାଗତଭାବେ ବିକଶିତ ହୋଇଥିଲା। ନିଜ ଜୀବନରେ ସେ ସୁଧାର ଆଣିବା ପାଇଁ ଚେଷ୍ଟା କରିଥିଲେ। ଯାହାକି ଗାନ୍ଧୀଜୀଙ୍କ ମହାନତାର ଆଉ ଏକ ଦିଗ। ଅପରପକ୍ଷରେ ନେତାଜୀ ଜଣେ ବିଦ୍ରୋହୀ ଥିଲେ। ୧୯୩୯ ମସିହାରେ ଗାନ୍ଧୀଜୀ-ନେତାଜୀଙ୍କ ମଧ୍ୟରେ ମତଭେଦ ଆସିଥିବା କୁହାଯାଏ। କିନ୍ତୁ ଗାନ୍ଧୀଜୀଙ୍କ ନେତୃତ୍ବରେ ନେତାଜୀ ୨୦ବର୍ଷ ଧରି ସ୍ବାଧୀନତା ସଂଗ୍ରାମରେ ନିଜକୁ ସାମିଲ କରିଥିଲେ। ୧୯୪୨/୪୫ ମସିହା ମଧ୍ୟରେ ଦୁହେଁ ସମାନ ବିଚାରଧାରା ଓ ଲକ୍ଷ୍ୟ ନେଇ ଆଗକୁ ବଢ଼ିଥିଲେ। ୧୯୪୭ ମସିହାରେ ଯେତେବେଳେ ଧର୍ମ ନାଁରେ ଦେଶ ବିଭାଜନ ହୋଇଥିଲା ସେତେବେଳେ ଗାନ୍ଧୀଜୀ ଏହାର ବିରୋଧ କରିଥିଲେ, ହେଲେ ଏହାକୁ ରୋକିବାରେ ସଫଳ ହୋଇ ନ ଥିଲେ। ଯଦି ସେ ସମୟରେ ନେତାଜୀ ରହିଥା’ନ୍ତେ ତାହାଲେ ହୁଏତ ଗାନ୍ଧୀଜୀଙ୍କ ଶକ୍ତି ଆହୁରି ବଢ଼ିଥାନ୍ତା। ନେତାଜୀ ଜଣେ ଦେଶଭକ୍ତଙ୍କ ଦେଶଭକ୍ତ ବୋଲି ଗାନ୍ଧୀଜୀ କହିଥିଲେ। ଦୁହିଁଙ୍କର ପରସ୍ପର ପ୍ରତି ସ୍ନେହ ଓ ସମ୍ମାନ ଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ, ୧୯୩୮ ମସିହାରେ କଂଗ୍ରେସର ଗୁଜୁରାଟର ହରିପୁରା‌ ଅଧିବେଶନରେ ନେତାଜୀ ଦେଶର ଜନସଂଖ୍ୟା ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଥିଲେ। ପ୍ରଥମଥର ଲାଗି ଜନସଂଖ୍ୟା ସମସ୍ୟାକୁ ପ୍ରକାଶ କରିଥିଲେ। ତେଣୁ ନେତାଜୀ ଜଣେ ଯେ ସ୍ବାଧୀନତା ସଂଗ୍ରାମୀ ଥିଲେ ତା ନୁହେଁ ବରଂ ଜଣେ ସାମାଜିକ ଓ ଅର୍ଥନୈତିକ ସଂସ୍କାରକ ଥିଲେ। ୟୁରୋପୀୟ ଜାତିୟତାବାଦ ଓ ଭାରତୀୟ ଜାତିୟତାବାଦ ନେଇ ତାଙ୍କର ସ୍ପଷ୍ଟ ମତ ରହିଥିଲା। ଧର୍ମନିରପେକ୍ଷତା ଓ ସଂଘୀୟ ବ୍ୟବସ୍ଥା ଉପରେ ସେ ସର୍ବଦା ଜୋର ଦେଉଥିଲେ। ତାଙ୍କୁ ଜଣେ ମାନବ ପ୍ରତିଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଅବସରରେ ଶ୍ରୀ ବୋଷ ଦର୍ଶକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ଆଜିର ସମୟରେ ଇତିହାସକୁ ଅନେକ ରାଜନୈତିକ ବ୍ୟକ୍ତିମାନେ ଅପବ୍ୟବହାର କରୁଛନ୍ତି। ତେବେ ଏହାକୁ ପ୍ରତିରୋଧ କରିବାକୁ ହେଲେ ଆମକୁ ଇତିହାସର ଗଭୀର ଅନୁଶୀଳନ କରିବାକୁ ପଡ଼ିବ। ତେଣୁ ନେତାଜୀଙ୍କ ମୃତ୍ୟୁ ପଛରେ ଅଯଥା ନ ମାତି ତାଙ୍କ ଜୀବନରୁ ବହୁତ କିଛି ଶିଖିବାର ଅଛି ବୋଲି ଶ୍ରୀ ବୋଷ କହିଥିଲେ।

ଗାଇଡ୍‌ର ପ୍ରତ୍ୟେକ ଗୀତ ଚିରସବୁଜ: ୱାହିଦା ର‌େହମାନ
ବଲିଉଡ୍‌ର ବିଗତ ଦିନର ଚର୍ଚ୍ଚିତ ଅଭିନେତ୍ରୀ ୱାହିଦା ର‌େହମାନ ମଧ୍ୟ ନିଜର ଅଭିନୟ ଦୁନିଆରେ ପାଦ ଥାପିବାଠାରୁ ଆରମ୍ଭ କରି ଚଳଚ୍ଚିତ୍ରରେ ଆସିଥିବା ପରିବର୍ତନ ସଂପର୍କରେ ମତ ରଖିଛନ୍ତି। ଗୀତା ଗୋପାଳକ୍ରିଷ୍ଣନ୍‌ଙ୍କ ସହିତ ଆଲୋଚନା ସମୟରେ ୱାହିଦା କହିଥିଲେ, ଛୋଟ ଥିବା ବେଳେ ଦର୍ପଣ ଆଗରେ ଠିଆ ହୋଇ ଅଙ୍ଗଭଙ୍ଗୀ ଦେଖାଉଥିଲି। ଛୋଟବେଳୁ ହିଁ ମନ ଭିତରେ ଅଭିନୟର ଇଚ୍ଛା ଥିଲା। ୭୦ ଦଶକରେ ଗୋଟିଏ ଚଳଚ୍ଚିତ୍ର ନିର୍ମାଣ ସମୟରେ ୭/୯ଟି ଗୀତ ରଖିବା ପାଇଁ ପ୍ରଯୋଜକ ସର୍ତ ରଖୁଥିଲେ। ଏପରିକି ବିଦେଶର କୌଣସି ଚଳଚ୍ଚିତ୍ର କାର୍ଯ୍ୟକ୍ରମକୁ ଯିବା ସମୟରେ ସେଠାରେ ବଲିଉଡ ଚଳଚ୍ଚିତ୍ରରେ କାହିଁକି ଏତେ ସଂଖ୍ୟକ ଗୀତ ରହୁଛି ବୋଲି ଲୋକମାନେ ପ୍ରଶ୍ନ କରୁଥିଲେ। କିନ୍ତୁ ଭାରତୀୟ ସଂସ୍କୃତିରେ ସଂଗୀତର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ପିଲା ଜନ୍ମ ହେବାଠାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ବାଜିବା ଏକପ୍ରକାର ନିଶ୍ଚିତ। ଠିକ୍ ସମୟରେ ଠିକ୍ ଗୀତ ବାଜିଲେ ଭଲ ଲଗେ। ବେଳେବେଳେ ଏହା ଟିକେ ଅଧିକ ହୋଇଯାଏ, ତଥାପି ଭାରତୀୟମାନେ ସଂଗୀତ ପ୍ରେମୀ ତାହା ଅସ୍ବୀକାର କରିହେବ ନାହିଁ। ଏବେ ଏଥିରେ ପରିବର୍ତନ ହୋଇଛି। ଚଳଚ୍ଚିତ୍ରରେ ଯଦିଓ ଗୀତ ରହୁଛି ତାହା କେବଳ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍ ଭାବେ। ‌ଛୋଟ ଛୋଟ ବଜେଟରେ ବହୁତ ଭଲ ଚଳଚ୍ଚିତ୍ର ନିର୍ମାଣ ହେଉଛି। ଏହି ଅବସରରେ ସେ ସମୟରେ ଚଳଚ୍ଚିତ୍ରର ସୁଟିଂ ସମୟରେ ଘଟିଥିବା ବିଭିନ୍ନ ରୋଚକ କାହାଣୀ ସଂପର୍କରେ ସେ ଦର୍ଶକଙ୍କ ସମ୍ମୁଖରେ ବଖାଣିଥିଲେ। ତେବେ ଗାଇଡ୍ ଚଳଚ୍ଚିତ୍ରର ସବୁ ଗୀତ ଚିରସବୁଜ ବୋଲି ୱାହିଦା କହିଥିଲେ।

ସମ୍ବନ୍ଧିତ ଖବର