ପୁରୀ: ଶ୍ରୀମନ୍ଦିରର ପୂର୍ଣ୍ଣ ସଂସ୍କାର ପାଇଁ ଅଣ୍ଟା ଭିଡ଼ିଛନ୍ତି ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସରକାର, ପରିଚାଳନା କମିଟି, ସେବାୟତ ଓ ନ୍ୟାୟପାଳିକାଙ୍କୁ ନେଇ ସଂସ୍କାର ରାସ୍ତା ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଆସନ୍ତା ୧୭ ତାରିଖରେ ମିଳିତ ଆଲୋଚନା କରିବାକୁ ଘୋଷଣା କରିଛନ୍ତି। ଶ୍ରୀମନ୍ଦିରର ମର୍ଯ୍ୟାଦା, ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି। ଯଦି ସହଯୋଗ ନମିଳିବ ତେବେ ଜନଆନ୍ଦୋଳନ କରିବାକୁ ଚେତାବନୀ ବି ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୭ ତାରିଖ ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ସଂସ୍କାର ନେଇ ଆଲୋଚନା କରିବେ। ଏହି ଆଲୋଚନାରେ ସଂସ୍କାର ମାମଲା ବିଚାର କରୁଥିବା ସୁପ୍ରିମକୋର୍ଟଙ୍କ ବିଚାରପତି କିମ୍ବା ତାଙ୍କର ପ୍ରତିନିଧି, ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା ତାଙ୍କ ପ୍ରତିନିଧି ଉପସ୍ଥିତ ରହିବାକୁ ଶଙ୍କରାଚାର୍ଯ୍ୟ ଅନୁରୋଧ କରିଛନ୍ତି। କେବଳ ସେତିକି ନୁହେଁ, ବାର କାଉନ୍ସିଲର ପଦାଧିକାରୀ, ଆଇନ୍ମନ୍ତ୍ରୀ ବା ଆଇନ୍ ସଚିବ, ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହିବାକୁ ସେ ଆଶା ପ୍ରକଟ କରିଛନ୍ତି। ସେବାୟତମାନେ ମଧ୍ୟ ଉପସ୍ଥିତ ରହିବେ। ସମସ୍ତେ ନିଜ ନିଜର ମତ ଦେବା ସହ ସଂସ୍କାର ପାଇଁ ମତ ରଖିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମନ୍ଦିର ସଂସ୍କାର ପାଇଁ ଏକ ରାସ୍ତା ବାହାରି ପାରିବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଯଦି ଏଥିରେ ସରକାର ସହଯୋଗ ନକରନ୍ତି ତେବେ ଶ୍ରୀମନ୍ଦିର ସଂସ୍କାର ନାମରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନଷ୍ଟଭ୍ରଷ୍ଟ କରୁଥିବା ଶାସନତନ୍ତ୍ର ବିରୋଧରେ ଜନକ୍ରାନ୍ତି ଆରମ୍ଭ କରିବାକୁ ସେ ଅଭିଯାନ ଚଳାଇବେ। ଏହି ପରିପ୍ରେକ୍ଷୀରେ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ଶ୍ରୀମନ୍ଦିର ସଂସ୍କାର ନେଇ ଅନେକ ଯୋଜନା, ବ୍ୟବସ୍ଥା ହୋଇଛି। ତାଳୁଠୁ ତଳିପା ପର୍ଯ୍ୟନ୍ତ ଅନେକ କିଛି ବଦଳିଛି। ଦେଶର ସର୍ବୋଚ୍ଚ ସଂସ୍ଥା, ଅଧିକାରୀ ମଧ୍ୟ ହସ୍ତକ୍ଷେପ କରିଛନ୍ତି। ହେଲେ ୭୦ ବର୍ଷ ମଧ୍ୟରେ ସଂସ୍କାର ହୋଇ ପାରିଲାନାହିଁ। ଆଜି ବି ଶ୍ରୀମନ୍ଦିର ବ୍ୟବସ୍ଥା ଉପରେ ଅପବାଦ ରହିଛି। ସେବାୟତ, ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ। ସମସ୍ତେ ନିନ୍ଦିତ ଓ ଭତ୍ସିତ ହେଉଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଦିଗହରା ହେଉଛି। ସବୁ ବ୍ୟବସ୍ଥା ସତ୍ତ୍ବେ ଏଭଳି ବ୍ୟତିକ୍ରମ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ଶଙ୍କରାଚାର୍ଯ୍ୟ।