ଜାତୀୟ ମହିଳା ହକିଦୁଇ : ଓଡ଼ିଶା ଦଳ ବିଜୟୀ

ଭୁବନେଶ୍ବର: ହରିୟାଣାରେ ଚାଲିଥିବା ଜାତୀୟ ମହିଳା ହକିର ମଙ୍ଗଳବାର ମ୍ୟାଚ୍‌ରେ ଓଡ଼ିଶାର ଦୁଇ ଦଳ ଗାଙ୍ଗପୁର-ଓଡ଼ିଶା ଏବଂ ଓଡ଼ିଶା ବିଜୟୀ ହୋଇଛନ୍ତି। ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଓଡ଼ିଶା ୩-୦ ଗୋଲ୍‌ରେ ହକି କୁର୍ଗକୁ ପରାସ୍ତ କରି ଲଗାତାର ଦ୍ବିତୀୟ ବିଜୟ ପାଇ କ୍ବାର୍ଟର୍‌ ଫାଇନାଲ୍‌ ଖେଳିବା ଆଶା ଉଜ୍ଜୀବିତ ରଖିଛି। ‌ଓଡ଼ିଶା ପକ୍ଷରୁ ଏହି ୩ ଗୋଲ୍‌ ଅସ୍ମିତା ବାର୍ଲା‌ (୧୮ ମିନିଟ୍‌), ରଶ୍ମିତା ମିଞ୍ଜ (୫୬) ଓ ଖୁସ୍‌ବୁ କୁଜୁର (୬୦ ମିନିଟ୍‌) ଦେଇଥିଲେ। ଏହି ବିଜୟ ସହ ଓଡ଼ିଶା ୪ ମ୍ୟାଚ୍‌ରୁ ୨ ଲେଖାଏଁ ବିଜୟ-ପରାଜୟ ସହ ଆର୍‌ଏସ୍‌ପି (୯) ଓ କର୍ଣ୍ଣାଟକ (୬) ପଛକୁ ତୃତୀୟ ସ୍ଥାନରେ ରହିଛି। ପରାଜୟ ସହ କୁର୍ଗ ତାଲିକାର ଶେଷ ସ୍ଥାନରେ ରହି ଅଭିଯାନ ‌ଶେଷ କରିଛି। ‌ସେହିଭଳି ଗ୍ରୁପ୍‌-ବି’ରେ ଗାଙ୍ଗପୁର-ଓଡ଼ିଶା ୩-୧ ଗୋଲ୍‌ରେ ଭୋପାଳକୁ ହରାଇଛି। ଏହା ଗାଙ୍ଗପୁରର ୪ ମ୍ୟାଚ୍‌ରୁ ପ୍ରଥମ ବିଜୟ। ଏହି ବିଜୟ ସହ ଗାଙ୍ଗପୁର ଦଳ ମୋଟ ୪ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି। ଏହି ଓଡ଼ିଶା ପକ୍ଷରୁ ଅଧିନାୟିକା ଏଲିନ୍‌ ଲାକ୍ରା (୩, ୫୧ ମିନିଟ୍‌) ଦୁଇଟି ଏବଂ ମନୀଷା ଓରାମ (୫୬ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ। ଭୋପାଲ ପକ୍ଷରୁ ଲାନ୍‌ଲେଇବି ଚାନୁ (୨୬ ମିନିଟ୍‌) ‌ଗୋଟିଏ ଗୋଲ୍‌ ଶୁଝାଇବାକୁ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର