ଲକ୍ଷ୍ନୌ,: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଭାରତ ‘ଏ’-ଫ୍ରାନ୍ସ ‘ଏ’ ମହିଳା ହକି ଶୃଙ୍ଖଳାରେ ଘରୋଇ ଭାରତ ‘ଏ’ ଦ୍ବିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ଭାରତ-‘ଏ’ ୦-୧ ଗୋଲ୍ରେ ଫ୍ରାନ୍ସଠୁ ହାରି ଯାଇଥିଲା ବେଳେ ରବିବାର ଦ୍ବିତୀୟ ମ୍ୟାଚ୍କୁ ୩-୨ ଗୋଲ୍ରେ ଜିତି ନେଇ ଶୃଙ୍ଖଳାକୁ ୧-୧ ସ୍ତରକୁ ଆଣିଥିଲା। ମଙ୍ଗଳବାର ତୃତୀୟ ମ୍ୟାଚ୍କୁ ୨-୦ ଗୋଲ୍ରେ ଅତିଥି ଫ୍ରାନ୍ସ-ଏକୁ ପରାସ୍ତ କରି ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇ ଯାଇଛି। ଏହି ୪ ଟିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ବୁଧବାର ଖେଳାଯିବ। ମଙ୍ଗଳବାର ମୁକାବିଲାର ପ୍ରଥମ ଦୁଇ କ୍ବାର୍ଟର୍ ଗୋଲ୍ ଶୂନ୍ୟଭାବେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟର୍ରେ ସ୍ଥାନୀୟ ଝିଅ ମମ୍ତାଜ ଖାନ୍ (୪୨ ମିନିଟ୍) ଗୋଲ୍ ଦେଇ ଭାରତକୁ ଆଗୁଆ କରିଥିଲେ। ଚତୁର୍ଥ କ୍ବାର୍ଟର୍ର ଶେଷ ମିନିଟ୍ରେ ଶର୍ମିଳା ଦେବୀ (୬୦ ମିନିଟ୍)ଙ୍କ ଗୋଲ୍ ଭାରତର ବିଜୟ ବ୍ୟବଧାନକୁ ୨-୦ କରିଥିଲା।