ଏଲ୍‌ଆଣ୍ଡଟି ଭ୍ୟାନ୍‌କୁ ବୋମାମାଡ଼ ବନ୍ଧୁକ ଦେଖାଇ ଲକ୍ଷେ ୬୨ ହଜାର ଲୁଟ୍‌

ନୟାଗଡ଼/ଖଣ୍ଡପଡ଼ା: ଆଜି ଦିନ ଦ୍ବିପ୍ରହରେ ଏଲ୍‌ ଆଣ୍ଡ ଟି କମ୍ପାନି କର୍ମଚାରୀଙ୍କୁ ବୋମାମାଡ଼ କରି ଦୁର୍ବୃତ୍ତ ପ୍ରାୟ ୧ ଲକ୍ଷ ୬୨ ହଜାର ଟଙ୍କା ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏଲ୍ ଆଣ୍ଡ୍ ଟି କମ୍ପାନିର ଟଙ୍କା ଭର୍ତି ଭ୍ୟାନ୍ କଟକ ଜିଲ୍ଲା ନରସିଂହପୁରରୁ ବାହାରି ନୟାଗଡ଼ର ଆନ୍ଧ୍ରବ୍ୟାଙ୍କରେ ଟଙ୍କା ଜମା କରିବାକୁ ଆସୁଥିଲା। ଏହି ଟଙ୍କା ଭ୍ୟାନ୍‌ରେ କମ୍ପାନିର କର୍ମଚାରୀ ତପନ କର, ଗନ୍‌ମ୍ୟାନ୍ ଦୁ‌େର୍ଯ୍ୟାଧନ ବେହେରା ଓ ଡ୍ରାଇଭର୍‌ ଥିଲେ। ଗାଡ଼ି ପ୍ରାୟ ୧ଟା ସମୟରେ ଖଣ୍ଡପଡ଼ା- ନୟାଗଡ଼ ରାସ୍ତାର କଇଥପଲ୍ଲୀ ନିକଟରେ ପହଞ୍ଚିଥିବାବେଳେ ଏହି ଟଙ୍କା ଭ୍ୟାନକୁ ପିଛା କରୁଥିବା ଦୁଇଟି ବାଇକ୍‌ରେ ଚାରି ଜଣ ଦୁର୍ବୃତ୍ତ ଆସି ଗାଡ଼ି ଉପରକୁ ବୋମା ଫିଙ୍ଗିବା ସହ ଗାଡ଼ିରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଏପରିକି ଗନ୍‌ମ୍ୟାନ୍ ଓ କର୍ମଚାରୀ ତପନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇଥିଲେ। ସେମାନଙ୍କଠାରୁ ମୋବାଇଲ ସହ କମ୍ପାନିର ପ୍ରାୟ ୧ ଲକ୍ଷ ୬୨ ହଜାର ଟଙ୍କା ଲୁଟି ନେଇଥିବା ଖଣ୍ଡପଡ଼ା ଥାନାରେ ଅଭିଯୋଗ ହୋଇଛି। ବୋମାମାଡ଼ ଫଳରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏହାର ସୁଯୋଗ ନେଇ ଲୁଟେରାମାନେ ଖସି ଯାଇଥି‌ଲେ। ଖବର ପାଇ ଘଟଣାସ୍ଥଳରେ ଖଣ୍ଡପଡ଼ା ଥାନା ଆଇଆଇସି ବିମଳ ମଲ୍ଲିକ, ଖଣ୍ଡପଡ଼ା ଓ ନୟାଗଡ଼ ଏସ୍‌ଡିପିଓଙ୍କ ସମେତ ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ଓ ଅତିରିକ୍ତ ଏସ୍‌ପି ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର