ରାଜ୍ୟ ପର୍ଯ୍ୟଟନ ପାଇଁ ସୁଯୋଗ ଆଣିବ ଚଳଚ୍ଚିତ୍ର ନୀତି

ଭୁବନେଶ୍ବର : ଓଡ଼ିଶା ଚଳଚ୍ଚିତ୍ର ନୀତି ଓଡ଼ିଶାର ଚଳଚ୍ଚିତ୍ର ଭଣ୍ଡାରକୁ ଆହୁରି ସମୃଦ୍ଧ କରିବ। ମାତ୍ର ଏହା ଖାଲି ଚଳଚ୍ଚିତ୍ର ପାଇଁ ସୁଯୋଗ ସୃଷ୍ଟି କରିବ ନାହିଁ, ବରଂ ରାଜ୍ୟ ପର୍ଯ୍ୟଟନର ଭଣ୍ଡାର ପାଲଟିବ। ଚଳଚ୍ଚିତ୍ର ନୀତିରେ ଥିବା ଗୋ-ସ୍ବିଫ୍ଟ (ସିଙ୍ଗିଲ୍‌ ୱିଣ୍ଡୋ ଫର୍‌ ଇନ୍‌ଭେଷ୍ଟର ଫେସିଲିଟେସନ୍‌ ଆଣ୍ଡ୍‌ ଟ୍ରାକିଂ) ବ୍ୟବସ୍ଥା ପର୍ଯ୍ୟଟନ ପାଇଁ ସୁଯୋଗ ଆଣିବ। ଅର୍ଥାତ ପୁଞ୍ଜି ଲଗାଣକାରୀ ନିବେଶକମାନଙ୍କ ପାଇଁ ସିଙ୍ଗିଲ୍‌ ୱିଣ୍ଡୋ ନିବେଶ ସୁଯୋଗ ସୃଷ୍ଟି ହେବ। ଫିଲ୍ମ ସିଟି, ମଲ୍‌ଟିପ୍ଲେକ୍ସ ଏବଂ ସିନେମା ହଲ୍‌ ପାଇଁ ଏହା କାର୍ଯ୍ୟକାରୀ ହେବ।

ଯେଉଁମାନେ ରାମୋଜୀ ଫିଲ୍ମ ସିଟି, ଗୋରେଗାଓଁ ଫିଲ୍ମ ସିଟି ଅବା ନୋଇଡ଼ା ଫିଲ୍ମ ସିଟି ଭଳି ଚଳଚ୍ଚିତ୍ର ନଗରୀ ଓଡ଼ିଶାରେ ପ୍ରତିଷ୍ଠା ପାଇଁ ପ୍ରଥମେ ପ୍ରସ୍ତାବ ଦେବେ ତାଙ୍କୁ ଏହି ଚଳଚ୍ଚିତ୍ର ନୀତି ପରିସରରେ ୩୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ୪୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଏହି ଫିଲ୍ମ ସିଟି କେବଳ ଚଳଚ୍ଚିତ୍ର ସୁଟିଂ ପାଇଁ ବ୍ୟବସ୍ଥିତ ହେବ ନାହିଁ, ବରଂ ୩୦ ପ୍ରତିଶତ ଜମିରେ ପର୍ଯ୍ୟଟନ ଅନୁକୂଳ ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି କହିଛନ୍ତି ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା। ଅର୍ଥାତ ଏହା ମଧ୍ୟରେ ତାରକା ହୋଟେଲ୍‌, ଐତିହ୍ୟ ହୋଟେଲ୍‌, ମୋଟେଲ୍‌, ସମ୍ମିଳନୀ କକ୍ଷ, ରିସୋର୍ଟ, ତମ୍ବୁ ତଳେ ରହଣି ବ୍ୟବସ୍ଥା, ପର୍ଯ୍ୟଟନ ତାଲିମ୍‌ ପ୍ରତିଷ୍ଠାନ, ମନୋରଂଜନ ଉଦ୍ୟାନ, ୱାଟରପାର୍କ, ଥିମ୍‌ ପାର୍କ ଓ ଦୁଃସାହସିକ କ୍ରୀଡ଼ା ବ୍ୟବସ୍ଥା କରାଯିବ। ତେଣୁ ଏହା ହୋଇପାରିଲେ, ସିଧାସଳଖ ରାଜ୍ୟ ପର୍ଯ୍ୟଟନ ପାଇଁ ସୁଯୋଗ ସୃଷ୍ଟି କରିବ। ଏହା ବ୍ୟତୀତ ଇଂରାଜୀ, ହିନ୍ଦୀ, ଅନ୍ତର୍ଜାତୀୟ ଭାଷା ଏବଂ ଅନ୍ୟ ଭାଷାଭାଷୀ ଚଳଚ୍ଚିତ୍ର ନିର୍ମାତା ଯଦି ୫ କିମ୍ବା ୧୦ ପ୍ରତିଶତ ଦୃଶ୍ୟରେ ଓଡ଼ିଶାର ସଂସ୍କୃତି, ପର୍ଯ୍ୟଟନ, ଐତିହ୍ୟ, ଚଳଣିକୁ ସ୍ଥାନିତ କରିବେ, ତେବେ ସେମାନଙ୍କୁ ବିଶେଷ ରିହାତି ପ୍ରଦାନ କରାଯିବ। ଅର୍ଥାତ ଏହା ଜରିଆରେ ବହୁ ଚଳଚ୍ଚିତ୍ର ନିର୍ମାତା ନିଜ ବଜେଟ୍‌କୁ ଗୁରୁତ୍ବ ଦେଇ ଓଡ଼ିଶାକୁ କିଛି ଦୃଶ୍ୟରେ ସ୍ଥାନିତ କରିବେ। ଫଳରେ ଓଡ଼ିଶାର ସମୃଦ୍ଧ ଚିତ୍ରକୁ ଫିଲ୍ମରେ ଦେଖିବା ପରେ ବହୁ ପର୍ଯ୍ୟଟକ ଓଡ଼ିଶାକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବେ। ବିଶେଷକରି ବ୍ୟାଙ୍ଗ୍‌କକ୍‌ ଓ କ୍ବାଲାଲମ୍ପୁରକୁ ସିଧାସଳଖ ବିମାନ ଉଡ଼ାଣ ବ୍ୟବସ୍ଥା ହୋଇଥିବାରୁ ସେଠାରୁ ବହୁ ନିର୍ମାତା ଚଳଚ୍ଚିତ୍ର ନୀତି ଅନୁକରଣ ପୂର୍ବକ ସୁଟିଂ ପାଇଁ ଆସିବାକୁ ଆଗ୍ରହ ପ୍ରକାଶ କରିବେ। ମୋଟାମୋଟି ଭାବେ ରାଜ୍ୟ ପର୍ଯ୍ୟଟନ ଏହା ଦ୍ବାରା ଲାଭବାନ ହେବ। ମେକ୍‌ ଇନ୍‌ ଓଡ଼ିଶାରେ ‘ଚଳଚ୍ଚିତ୍ର ଓ ମନୋରଂଜନ’ ଶିଳ୍ପ ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ବେଳେ ଚଳଚ୍ଚିତ୍ର ନୀତି ସମ୍ବନ୍ଧୀୟ ବିଶେଷ ଆଲୋଚନା ହୋଇଥିଲା। ଏହି ସମୟରେ ‘ଓଏଫ୍‌ଡିସି’ ଓ ‘ଫିକି’ ସମେତ ନୀଳମାଧବ ପଣ୍ଡା, ଅକ୍ଷୟ କୁମାର ପରିଜାଙ୍କ ଭଳି କିଛି ବ୍ୟକ୍ତି ଓ ସଂଗଠନର ପରାମର୍ଶ ନିଆଯାଇଥିଲା। ଏନେଇ ୨୮ ଜାନୁଆରିରେ ଏକ ବୈଠକରେ ଏ  ସମ୍ପର୍କରେ ନିଷ୍ପତ୍ତି ହୋଇଥିବା ବେଳେ ମାତ୍ର ମାସକ ମଧ୍ୟରେ ଚଳଚ୍ଚିତ୍ର ନୀତିକୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିବା ସବୁଠୁ ବଡ଼ କଥା ବୋଲି ଶ୍ରୀ ଚୋପ୍ରା କହିଛନ୍ତି।

ସମ୍ବନ୍ଧିତ ଖବର