ଜାତୀୟ ଉପକନିଷ୍ଠ ଭଲି: ବାଳକରେ ଚଣ୍ଡିଗଡ, ବାଳିକାରେ ପଶ୍ଚିମବଙ୍ଗ ବିଜେତା

ଭୁବନେଶ୍ବର: ଓଡ଼ିଶା ଭଲିବଲ୍‌ ସଂଘ (ଓଭିଏ) ଓ କିଟ୍‌ ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ ଭାରତୀୟ ଭଲିବଲ୍‌ ମହାସଂଘ (ଭିଏଫ୍ଆ‌ଇ) ଆନୁକୂଲ୍ୟରେ କିଟ୍‌ ଭଲିବଲ୍‌ ଷ୍ଟାଡିୟମରେ ଆୟୋଜିତ ୪୧ତମ ଜାତୀୟ ଉପକନିଷ୍ଠ ଭଲିବଲ୍ ପ୍ରତିଯୋଗିତାର ବାଳକରେ ଚଣ୍ଡିଗଡ ଏବଂ ବାଳିକାରେ ପଶ୍ଚିମବଙ୍ଗ ବିଜୟୀ ହୋଇଛନ୍ତି। ଉତ୍ତର ପ୍ରଦେଶ, ଗୁଜରାଟ ବାଳକ ଏବଂ ହରିଆଣା, ରାଜସ୍ଥାନ ବାଳିକାରେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଗୁରୁବାର ଫାଇନାଲରେ ଚଣ୍ଡିଗଡ ଏକତରଫା ଭାବେ ୩-୦ରେ ଉତ୍ତର ପ୍ରଦେଶକୁ ହରାଇ ବାଳକ ବର୍ଗ ବିଜେତା ମୁକୁଟ ପିନ୍ଧିଥିଲା। ଅନ୍ୟପକ୍ଷରେ ଗୁଜରାଟ ୩-୦ରେ ଦିଲ୍ଲୀକୁ ପରାସ୍ତ କରି ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା। ପଶ୍ଚିମବଙ୍ଗ-ହରିଆଣା ବାଳିକା ବର୍ଗ ଫାଇନାଲରେ ପଶ୍ଚିମବଙ୍ଗ ୩-୦ରେ ବିଜୟୀ ହୋଇ ଲଗାତାର ତୃତୀୟ ଥର ପାଇଁ ବିଜେତା ହୋଇଥିଲା। ତୃତୀୟ/ଚତୁର୍ଥ ସ୍ଥାନ ମୁକାବିଲାରେ ତାମିଲନାଡୁକୁ ୩-୧ରେ ହରାଇ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଥିଲା। ଆଇଜି ପୁଲିସ ଅମିତାଭ ଠାକୁର ମୁଖ୍ୟ ଅତିଥି, କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ, ଭାରତୀୟ ଭଲିବଲ୍ ମହାସଂଘ ସଭାପତି ଭି ବାସୁଦେବନ୍, ଉପସଭାପତି ରତିନ୍ଦ୍ରନାଥ ରାୟ ଚୌଧୁରୀ, କୋଷାଧ୍ୟକ୍ଷ ଶେଖର ବୋଷ, ଓଡ଼ିଶା ଭଲିବଲ୍ ସଂଘର କାର୍ଯ୍ୟକାରୀ ସଭାପତି ସଞ୍ଜୟ ଦାସ, ସଂପାଦକ ଗଗନେନ୍ଦୁ ଦାସ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଓଏମସି ପ୍ରତିଯୋଗିତାର ମୁଖ୍ୟ ପ୍ରାୟୋଜକ ଥିଲା ବେଳେ କ୍ରୀଡ଼ା ଓ ଯୁବସେବା ବିଭାଗ, ନାଲକୋ, ପାରାଦ୍ବୀପ ବନ୍ଦର, ପିପିଏଲ୍ଏ ଏମଜିଏମ୍ ଗ୍ରୁପ୍ ସହପ୍ରାୟୋଜକ ଥିଲେ।

ସମ୍ବନ୍ଧିତ ଖବର