ଭୁବନେଶ୍ବର : ମଙ୍ଗଳବାର ପୂର୍ବାହ୍ନ ପର୍ଯ୍ୟନ୍ତ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି। ଉତ୍ତର ଓଡ଼ିଶା ସମେତ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ପ୍ରଭାବ ରହିବ। କେତେକ ସ୍ଥାନରେ ଝଡ଼ବର୍ଷାର ବି ସମ୍ଭାବନା ରହିଛି। ଏହାପରେ ପାଗରେ ସାମାନ୍ୟ ପରିବର୍ତନ ହେବ। ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
Sambad is now on WhatsApp
Join and get latest news updates delivered to you via WhatsApp
୨୦ ତାରିଖ ଅପରାହ୍ଣରୁ ପୁଣିଥରେ ପାଗରେ ପରିବର୍ତନ ହେବ। ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ହୋଇପାରେ। ୨୧ ତାରିଖ ସକାଳ ପର୍ଯ୍ୟନ୍ତ ଏଭଳି ସ୍ଥିତି ସୃଷ୍ଟି ହେବ। ଉପକୂଳ ଓଡ଼ିଶାରେ ଅଧିକ ପ୍ରଭାବ ରହିବ। ତେଣୁ ଲୋକେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ପରବର୍ତୀ ଦୁଇ ଦିନ ପଶ୍ଚିମ, ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଗତକାଲି ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା। ଆଜି ୨.୫ ଡିଗ୍ରି ହ୍ରାସ ପାଇ ୩୭.୫ ଡିଗ୍ରିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀରରେ ସର୍ବାଧିକ ୪୪ ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ସମ୍ବଲପୁରରେ ୩୪, ସୋନପୁରରେ ୩୧.୮, ହୀରାକୁଦରେ ୩୦.୬, କେନ୍ଦୁଝରରେ ୨୪.୭, ଫୁଲବାଣୀରେ ୧୯.୮, ବାରିପଦାରେ ୧୫.୬, ଅନୁଗୁଳରେ ୧୧.୮, ବାଲେଶ୍ବରରେ ୧୦.୫, ସୁନ୍ଦରଗଡ଼ରେ ୧୦ ମିମି ବର୍ଷା ହୋଇଛି। ଝଡ଼ବର୍ଷା ଯୋଗୁଁ କେତେକ ସ୍ଥାନରେ ଛୋଟ ଗଛ ଭାଙ୍ଗିଯାଇଛି। ଆଉ କେତେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।