ଚେନ୍ନାଇରେ ପ୍ଲେ ଅଫ୍‌କୁ ନେଇ ପ୍ରଶ୍ନବାଚୀ

ଚେନ୍ନାଇ: ଚେନ୍ନାଇରେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍ ଖେଳାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପରମ୍ପରା ଅନୁଯାୟୀ ପୂର୍ବ ସଂସ୍କରଣ ବିଜେତା ଦଳର ସହରରେ ଅନ୍ୟୁନ ଦୁଇଟି ପ୍ଲେ ଅଫ୍ ଖେଳା ଯାଇଥାଏ। ହେଲେ ଚେନ୍ନାଇର ଚେପକ ଷ୍ଟାଡିୟମର ତିନିଟି ଷ୍ଟାଣ୍ଡ୍‌କୁ ସ୍ଥାନୀୟ ମହାନଗର ନିଗମ ସିଲ୍ କରିଦେଇଥିବାରୁ ମ୍ୟାଚ୍ ବେଳେ ଏହି ଷ୍ଟାଣ୍ଡ୍‌ଗୁଡ଼ିକ ଫାଙ୍କା ପଡ଼ୁଛି। ଏଣୁ ବିସିସିଆଇର ରାଜସ୍ବ ହାନି ହେଉଛି। ତା’ ଛଡ଼ା‌ ପାଖାପାଖି ୧୨,୦୦୦ ଦର୍ଶକ ମ୍ୟାଚ୍ ଦେଖିବାରୁ ବଞ୍ଚିତ ହେଉଛନ୍ତି। ସେଥିପାଇଁ ବିସିସିଆଇ ପ୍ଲେ ଅଫ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି। ଏଥିନେଇ ବିସିସିଆଇ ପରିଚାଳନା ଲାଗି ଉଚ୍ଚତମ ନ୍ୟାୟାଳୟ ଗଠନ କରିଥିବା ପ୍ରଶାସନିକ ସମିତି (ସିଓଏ)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସୋମବାର ବସିଥିଲା। ବୈଠକରେ ଅନ୍ୟାନ୍ୟ ବିଷୟ ସହ ଚେନ୍ନାଇକୁ ପ୍ଲେ ଅଫ୍ ଆୟୋଜନ ଅଧିକାର ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା। ଚେପକର ପୂର୍ଣ୍ଣ ଉପଯୋଗ ହୋଇ ପାରୁ ନଥିବାରୁ ପ୍ରସାରଣକାରୀ ସଂସ୍ଥା ସେଠାରେ ପ୍ଲେ ଅଫ୍ କରାଇବା ସପକ୍ଷରେ ନାହାନ୍ତି। ଚେପକର ୩ ଷ୍ଟାଣ୍ଡ ସିଲ୍ ହେବାର ୮ ବର୍ଷ ବିତିଗଲାଣି। ତାମିଲନାଡୁ ସଂଘ ଏହାକୁ ଏ ପର୍ଯ୍ୟନ୍ତ ମୁକୁଳାଇ ପାରି ନାହିଁ। ଯାହା ଷ୍ଟାଡିୟମ ବିପକ୍ଷରେ ଯାଇଛି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର