ଏନ୍କାଉଣ୍ଟର୍ରେ କୁଖ୍ୟାତ ଆତଙ୍କବାଦୀ ଜାକିର ମୁସା ନିହତ
ଶ୍ରୀନଗର: ଆର୍ମି, ସିଆର୍ପିଏଫ୍ ଓ ରାଜ୍ୟ ପୁଲିସର ମିଳିତ ଅଭିଯାନରେ ଦକ୍ଷିଣ କଶ୍ମୀରର ପୁଲ୍ଓ୍ଵାମା ଜିଲ୍ଲାରେ ଉପତ୍ୟକାର ମୋଷ୍ଟ୍ ଓ୍ଵାନ୍ଟେଡ୍ ଆତଙ୍କବାଦୀ ଜାକିର ମୁସା ଗୁରୁବାର ଦିନ ନିହତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦାଦସର ଗାଁରେ ଜାକିର ମୁସା ଏବଂ ତା’ର ସହଯୋଗୀମାନେ ଉପସ୍ଥିତ ଥିବାର ସୂଚନା ପାଇ ସେନା, ପୁଲିସ ଓ ସିଆର୍ପିଏଫ୍ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଅଭିଯାନ ଆରମ୍ଭ କରିଥିଲେ। ଅଭିଯାନକାରୀମାନେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ଘର ପାଖାପାଖି ହେବାମାତ୍ରେ ସେମାନେ ଗୁଳି ଚଳାଇବାରୁ ଏମାନେ ପାଲଟା ଗୁଳି ଚଳାଇଥିଲେ। ଗୁଳି ବିନିମୟ ସମୟରେ ମୁସା ସେହି ଘର ଭିତରେ ହିଁ ନିହତ ହୋଇଥିଲା।
ଏନ୍କାଉଣ୍ଟ୍ର ସ୍ଥଳକୁ ଅନେକ ଯୁବକ ମାଡ଼ି ଆସିବାରୁ ଅଭିଯାନକାରୀ ଦଳ ସେମାନଙ୍କ ଉପରକୁ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।
ପ୍ରତିଷେଧ ବ୍ୟବସ୍ଥା ଅନୁସାରେ କଶ୍ମୀରର ଉପଖଣ୍ଡୀୟ ପ୍ରଶାସନ ଦକ୍ଷିଣ କଶ୍ମୀର ଓ ଶ୍ରୀନଗରରେ ଇଣ୍ଟର୍ନେଟ୍ ସେବା ବନ୍ଦ କରାଯାଇଛି ଏବଂ ଶୁକ୍ରବାର ଦିନ ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।
ଜାକିର ରଶିଦ ଭଟ ଓରଫ ଜାକିର ମୁସା ୨୦୧୩ରେ ୧୯ ବର୍ଷ ବୟସରେ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲା। ପୂର୍ବରୁ ସେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦୀନରେ ଯୋଗ ଦେଇଥିଲା ।