ନେପାଳରେ ୨ ଓଡ଼ିଆ ମୃତ, ଟୁରିଷ୍ଟ ବସ୍ରେ ଥିଲେ ୬୦ ଯାତ୍ରୀ
ପଛପଟୁ ଧକ୍କା ଦେଲା ଟ୍ରକ୍, ୨୧ ଆହତ, ସମସ୍ତେ ପୁରୀ ଓ ଖୋର୍ଦ୍ଧା ଅଞ୍ଚଳର
ଡ଼େଲାଙ୍ଗ/ନିରାକାରପୁର: ନେପାଳରେ ଗତକାଲି ବିଳମ୍ବିତ ରାତିରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଦୁଇ ଜଣ ଓଡ଼ିଆ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଯମୁନା ଗ୍ରାମର ବିଜୟ ଜେନା (୫୨) ଓ ଖୋର୍ଦ୍ଧା ଜିଲ୍ଲା କଁପୁର ପଞ୍ଚାୟତ ମଳିପଡ଼ା ଗ୍ରାମର ଚରଣ ବିଶ୍ୱାଳ (୫୪)। ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। କାଠମାଣ୍ଡୁରୁ ଜନକପୁରୀ ଯାଉଥିବା ବେଳେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍ରେ ମୋଟ୍ ୬୦ ଜଣ ଯାତ୍ରୀ ଥିଲେ। ସମସ୍ତେ ପୁରୀ ଓ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ଯମୁନା ଗ୍ରାମର ବିଜୟ ବିଶ୍ୱାଳଙ୍କ ନେତୃତ୍ବରେ ଡେଲାଙ୍ଗ, ଯମୁନା, ମଳିପଡ଼ା, ଭୁବନେଶ୍ବର ଆଦି ଅଞ୍ଚଳରୁ ପାଖାପାଖି ୬୦ ଜଣ ପର୍ଯ୍ୟଟକ ଗତ ୬ ତାରିଖରେ ନେପାଳ ଓ କାଠମାଣ୍ଡୁ ବୁଲିବାକୁ ଯାଇଥିଲେ। ସେମାନେ ଟ୍ରେନ୍ ଯୋଗେ କୋଲକତା ଏବଂ ସେଠାରୁ ବସ୍ ଯୋଗେ କାଠମାଣ୍ଡୁ ଯାଇ ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲିବା ପରେ ଗତକାଲି ରାତିରେ କାଠମାଣ୍ଡୁରୁ ଜନକପୁରକୁ ଫେରୁଥିଲେ। ବସଟି ଇଷ୍ଟ-ୱେଷ୍ଟ ରାଜପଥରେ ଯାଉଥିବା ବେଳେ ଯାତ୍ରୀମାନେ ଶୋୖଚ କର୍ମ ପାଇଁ କହିବାରୁ ଡ୍ରାଇଭର ବସ୍କୁ ରାସ୍ତାକଡ଼ରେ ପାର୍କିଂ କରିଥିଲା। ଏହି ସମୟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଟୁରିଷ୍ଟ ବସ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବିଜୟ ଜେନା ଓ ଚରଣ ବିଶ୍ବାଳଙ୍କର ମୃତ୍ୟୁ ହୋଇଥିବା ବେଳେ ଚରଣଙ୍କ ବଡ଼ଭାଇ ବଳଭଦ୍ର ବିଶ୍ବାଳ (୬୦), ଭାଉଜ ଗୈାରୀ ବିଶ୍ବାଳ, ସ୍ତ୍ରୀ ମଞ୍ଜୁଲତା ବିଶ୍ବାଳ, ବଡଝିଅ ଲିପିକା ଗୁମାନସିଂହ, ଜ୍ବାଇଁ ପଦ୍ମଚରଣ ଗୁମାନସିଂହ, ନାତି ରୁଦ୍ରପ୍ରସାଦ ଗୁମାନସିଂହ ପ୍ରମୁଖ ଆହତ ହୋଇ ଚନ୍ଦ୍ରାଣୀଗାହାପୁର ହାସପାତାଳରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ୩ ଜଣଙ୍କୁ ବିରଗୁଞ୍ଜସ୍ଥିତ ନ୍ୟୁରୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ସମ୍ପର୍କରେ ମୃତ ଚରଣଙ୍କ ପୁତୁରା ପ୍ରଶାନ୍ତ ବିଶ୍ବାଳ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଜଣାଇ ଚରଣଙ୍କ ମୃତଦେହ ସହିତ ଆହତମାନଙ୍କୁ ଓଡ଼ିଶା ଫେରାଇ ଆଣିବା ନିମନ୍ତେ ଅନୁରୋଧ କରିଛନ୍ତି। ଏ ନେଇ ଜିଲ୍ଲାପାଳ ଭୁପିନ୍ଦର ସିଂହ ପୁନିଆ ମୃତ ଚରଣଙ୍କ ପୁଅଙ୍କ ସହିତ କଥା ହୋଇ ମୃତଦେହ ଓଡ଼ିଶା ଆଣିବା ଦିଗରେ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ୬ ତାରିଖରେ ଓଡ଼ିଶାରୁ ବାହାରିଥିବା ଏହି ଏହି ୬୦ ଜଣିଆ ପର୍ଯ୍ୟଟକ ଦଳ ଆସନ୍ତା ୧୯ ତାରିଖରେ ଓଡ଼ିଶା ଫେରିଥାନ୍ତା।
ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର
ଭୁବନେଶ୍ବର: କାଠମାଣ୍ଡୁରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତାହତ ଓ ଚିକିତ୍ସା ଆଦି ପ୍ରସଙ୍ଗରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଏସ୍ ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ଚିଠି ଲେଖି ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି, ଏହି ବସ୍ ଦୁର୍ଘଟଣାରେ ଓଡ଼ିଶାର ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ଯାତ୍ରୀ ଥିଲା ବେଳେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହା ବାଦ୍ ଅନ୍ୟ କିଛି ଯାତ୍ରୀ ଦୁର୍ଘଟଣାରେ ଆହତ ହୋଇଥିଲା ବେଳେ ସେଠାକାର ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଚାଲିଛି। ଏହି ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ସହ ମୃତ ଲୋକଙ୍କ ମରଶରୀରକୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନଙ୍କ ଅନୁରୋଧ ପରେ ଟ୍ବିଟ୍ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୟଶଙ୍କର ଜଣାଇଛନ୍ତି, ନେପାଳସ୍ଥିତ ଭାରତର କନ୍ସଲ୍ ଜେନେରାଲ୍ ଓ ଅନ୍ୟ ଅଧିକାରୀମାନେ ହସ୍ପିଟାଲ୍ରେ ପହଞ୍ଚି ଆହତଙ୍କ ଚିକିତ୍ସା କାର୍ଯ୍ୟର ତଦାରଖ କରୁଛନ୍ତି। ଅଧିକାରୀମାନଙ୍କର ଆଉ ଏକ ଟିମ୍ ମରଶରୀରକୁ ଓଡ଼ିଶା ପଠାଇବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରୁଛନ୍ତି।