ଭୁବନେଶ୍ବର : ମହିଳାଙ୍କୁ କରୁଥିଲେ ଟାର୍ଗେଟ। ବାଇକ୍ରେ ମହିଳାଙ୍କୁ ପିଛା କରି ଛିନ୍ତାଇ କରିବା ସହ ଏକୁଟିଆ ଦେଖି ଭୟଭୀତ କରାଇ ଲୁଟ୍ କରୁଥିଲେ। ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏଭଳି ଏକ ଲୁଟେରା ଗ୍ୟାଙ୍ଗ୍ କ୍ୟାପିଟାଲ ଥାନା ପୁଲିସ୍ ହାତରେ ଧରାପଡ଼ିଛି। ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ପୁଲିସ୍ ଗୋଟିଏ ବାଇକ୍, ୧୪ଟି ମୋବାଇଲ୍ ଫୋନ୍, ୩୦ଟି ଭ୍ୟାନିଟି, ସୁନା କାନଫୁଲ୍, ପଦକ, ରୁପା ପାଉଁଞ୍ଜି ଆଦି ଗହଣା ଜବତ କରିଛି। ଅଭିଯୁକ୍ତମାନେ ହେଲେ, ଯାଜପୁର ଜିଲ୍ଲା କାଟିଆ ଅଞ୍ଚଳର ତ୍ରିଲୋଚନ ନାଥ ଓରଫ ଚୁଇଁଆ (୧୯), ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳର ସୁଶାନ୍ତ ମହାରଣା ଓରଫ ତପୁ(୨୦) ଏବଂ ଧଉଳି ଇଟିପୁର ଅଞ୍ଚଳର ପ୍ରତ୍ୟୁଷ ଖଟୁଆ ଓରଫ ଲକି(୧୯)। ଚୁଇଁଆ ପଳାସପଲ୍ଲୀ ଓ ତପୁ ଭିମଟାଙ୍ଗୀ ଅଞ୍ଚଳରେ ରହୁଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନା ମୁତାବକ, ଗତ ୭ ତାରିଖ ରାତି ପ୍ରାୟ ୮ଟାରେ ସୂଚୀସ୍ମିତା ଦାସ ନାମକ ଜଣେ ମହିଳା ୟୁନିଟ୍-୧ ମାର୍କେଟ୍ ବିଲ୍ଡିଂରୁ କିଣାକିଣି କରି ସୂର୍ଯ୍ୟନଗରସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ଲକି ଓ ଚୁଇଁଆ ଏକ ବାଇକ୍ରେ ତାଙ୍କ ପିଛା କରିଥିଲେ। ସେ ଭେନସ୍ ହୋଟେଲ୍ ନିକଟରେ ଯାଉଥିବା ସମୟରେ ତାଙ୍କ ଭ୍ୟାନିଟି ଝାମ୍ପି ନେଇଥିଲେ। ସେଥିରେ ୪ହଜାର ଟଙ୍କା, ମୋବାଇଲ୍ ଫୋନ୍ ଓ କେତେକ ଆବଶ୍ୟକ କାଗଜପତ୍ର ଥିଲା। ଏନେଇ ସୂଚୀସ୍ମିତା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ମୋବାଇଲ ନମ୍ବର ଟ୍ରାକିଂ କରି ପୁଲିସ ଲକିର ଠିକଣା ଠାବ କରିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ ଇଟିପୁରସ୍ଥିତ ଲକି ଘରେ ଚଢ଼ଉ କରି ତାକୁ ଗିରଫ କରିବା ସହ ମୋବାଇଲ୍ ଜବତ କରିଥିଲା। ତାକୁ ଥାନାକୁ ଆଣି ପଚରାଉଚରା ପରେ ଚୁଇଆଁ ଓ ତପୁର ଠିକଣା ଠାବ କରିଥିଲା।