ଶ୍ରୀନଅରରେ ସୁନିଆ: ଆଜିଠୁ ଗଜପତି ଦିବ୍ୟସିଂହ ଦେବଙ୍କ ୬୨ଅଙ୍କ ଚଳନ

ପୁରୀ,: ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ଆଜି ଶ୍ରୀନଅରରେ ସୁନିଆ ପର୍ବ (ରାଜକୀୟ ନବବର୍ଷ) ପାରମ୍ପରିକ ରୀତିରେ ପାଳିତ ହୋଇଛି। ଆଜିଠୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ନୂତନ ଅଙ୍କ ପ୍ରଚଳନ ଅବସରରେ ଶ୍ରୀନଅର ପକ୍ଷରୁ ନୂତନ ସାଲ ସମ୍ଭତ୍ସର ୧୪୨୭ ଘୋଷଣା କରାଯାଇଛି। ନୂତନ ଅଙ୍କ ୬୨ ଆରମ୍ଭରୁ ପ୍ରତୀକ ସୁବର୍ଣ୍ଣ ମୁଦ୍ରା ଶ୍ରୀନଅର ପକ୍ଷରୁ ପ୍ରଚଳନ କରାଯାଇଛି। ଗଜପତି ମହାରାଜାଙ୍କ ରାଜତ୍ବର ପ୍ରତିବର୍ଷ ନୂତନ ଅଙ୍କ ବା ସାଲ ଘୋଷଣାର ପରମ୍ପରା ରହିଛି। ଏଥି ପାଇଁ ଆଜି ଶ୍ରୀନଅର ଉତ୍ସବମୁଖର ହୋଇ ଉଠିଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉଦ୍ଦେଶ୍ୟରେ ପଇତା ‌ଲାଗି ହେବା ପରେ ଦେବୀ ପୂଜାର୍ଚ୍ଚନା କ‌ରାଯାଇଥିଲା। ସନ୍ଧ୍ୟାରେ ଶ୍ରୀନଅର ପରିସରରେ ସୁନିଆ ପୂଜା ସଂପନ୍ନ ହୋଇଥିଲା। ନୂତନ ଅଙ୍କ ପ୍ରଚଳନ ଅବସରରେ ପଣ୍ଡିତ, ବ୍ରାହ୍ମଣ ଓ ରାଜ ପରିବାର ସଦସ୍ୟମାନେ ଗଜପତି ମହାରାଜାଙ୍କୁ ସୁନିଆ ଭେଟି ପ୍ରଦାନ କରି ତାଙ୍କର ମଙ୍ଗଳ କାମନା କରିଥିଲେ। ଏଥି ସହ ଗଜପତିଙ୍କ ଅଭିଷେକ ଉତ୍ସବ ମଧ୍ୟ ସଂପନ୍ନ ହୋଇଛି। ଓଡ଼ିଶାରେ ଗଣନକାରମାନେ ଲେଖୁଥିବା ଜନ୍ମ ଜାତକରେ ଗଜପତିଙ୍କ ଅଙ୍କ ବ୍ୟବହାର କରିଥାନ୍ତି। ସେହି ଅନୁସାରେ ଏହା ପ୍ରଚଳିତ ହୋଇଆସୁଛି। ଆଜିର ଦିନକୁ ଓଡ଼ିଶାରେ ଏକ ଗୁରୁତ୍ବପୂର୍ଣ୍ଣ ଦିନ ଭାବେ ବିବେଚନା କରାଯାଇଥାଏ।

ସମ୍ବନ୍ଧିତ ଖବର