ମହାରାଷ୍ଟ୍ର, ହରିୟାଣାରେ ଆଜି ଭୋଟ୍: ୧୭ଟି ରାଜ୍ୟର ୫୧ ବିଧାନସଭା ଆସନରେ ଉପନିର୍ବାଚନ
ମହାରାଷ୍ଟ୍ରରେ ୧୪୨ କୋଟି ଟଙ୍କା ଏବଂ ୯୭୫ ବେଆଇନ ଅସ୍ତ୍ର ଜବତ
ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ହରିୟାଣାରେ ଆସନ୍ତାକାଲି (ସୋମବାର) ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପୋଲିଂ ବୁଥ୍ଗୁଡ଼ିକରେ ପର୍ଯ୍ୟାପ୍ତ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ସହିତ ଆସନ୍ତାକାଲି ୧୭ଟି ରାଜ୍ୟର ୫୧ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ହେବ । ଏଥିରେ ଉତ୍ତର ପ୍ରଦେଶରେ ୧୧ଟି ବିଧାନସଭା ଆସନ, ଗୁଜରାଟର ୬ ଆସନ, କେରଳ ଏବଂ ବିହାରର ୫ଟି ଲେଖାଏଁ ଆସନ, ସିକ୍କିମର ୩ ଆସନ, ପଂଜାବ ଏବଂ ଆସାମର ୪ଟି ଲେଖାଏଁ ଆସନ, ତାମିଲନାଡ଼ୁ, ରାଜସ୍ଥାନ, ହିମାଚଳ ପ୍ରଦେଶର ୨ଟି ଲେଖାଏଁ ଆସନ ଏବଂ ଓଡ଼ିଶା, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ମେଘାଳୟ, ପୁଡ଼ୁଚେରି ଏବଂ ଅରୁଣାଚଳ ପ୍ରଦେଶର ଗୋଟିଏ ଲେଖାଏଁ ବିଧାନସଭା ଆସନ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମହାରାଷ୍ଟ୍ର ଏବଂ ହରିୟାଣାରେ ବିଜେପି କ୍ଷମତାରେ ଥିବା ବେଳେ ଏହି ଦୁଇ ରାଜ୍ୟକୁ ପୁଣି ନିଜ ଦଖଲକୁ ନେବାପାଇଁ ଜୋର୍ଦାର ପ୍ରୟାସ କରିଛି। ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ଆସନ ପାଇଁ ୩୨୩୯ ପ୍ରାର୍ଥୀ ମଇଦାନରେ ଅଛନ୍ତି। ରାଜ୍ୟରେ ମୋଟ ୮ କୋଟି ୯୫ ଲକ୍ଷ ୬୨ ହଜାର ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ହରିୟାଣାରେ ୯୦ ବିଧାନସଭା ଆସନ ପାଇଁ ୧୧୬୯ ପ୍ରାର୍ଥୀଙ୍କ ଭାଗ୍ୟ ଫଏସଲା ହେବ। ରାଜ୍ୟର ୨୯୨୩ ମତଦାନ କେନ୍ଦ୍ର ସମ୍ବେଦନଶୀଳ ବୋଲି କୁହାଯାଇଛି। ସେଥରୁ ୮୩ଟି ଅତି ସମ୍ବେଦନଶୀଳ ଥିବାରୁ ସେଠାରେ ପର୍ଯ୍ୟାପ୍ତ ସୁରକ୍ଷା ବନ୍ଦୋବସ୍ତ ହୋଇଛି।
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ଙ୍କଠାରୁ ଆରମ୍ଭ କରି ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, ପୂର୍ବ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚୌହାନ, ଏନ୍ସିପିର ବରିଷ୍ଠ ନେତା ଅଜିତ ପାୱାର, ଜୟନ୍ତ ପାଟିଲ, ଶିବସେନା ନେତା ଆଦିତ୍ୟ ଠାକ୍ରେ, ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ପ୍ରମୁଖ ମଇଦାନରେ ଅଛନ୍ତି। ହରିୟାଣାରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, କୁମାରୀ ସୈଲଜା, ପୂର୍ବ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦା, ଅନିଲ ବିଜ, ରଣଦୀପ ସୁର୍ଯେୱାଲା ଏବଂ କ୍ୟାପ୍ଟେନ୍ ଅଭମନ୍ୟୁ ପ୍ରମୁଖ ମଇଦାନରେ ଅଛନ୍ତି। ମହାରାଷ୍ଟ୍ରରେ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ନିର୍ବାଚନ କମିସନଙ୍କ ଦ୍ବାରା ଧରପଗଡ଼ରେ ୧୪୨ କୋଟି ଟଙ୍କା ନଗଦ ଏବଂ ୯୭୫ଟି ବେଆଇନ ଅସ୍ତ୍ର ଜବତ ହୋଇଛି।