ଭୁବନେଶ୍ବର: ଫୁଲବାଣୀ କ୍ରୀଡ଼ା ଛାତ୍ରାବାସ ଦ୍ବାଦଶ ବିଜୁ ପଟ୍ଟନାୟକ ଗୋଲ୍ଡ କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ବିଜେତା ହୋଇଛି। ରବିବାର ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ଏହି ଦଳ ନୟାଗଡ଼ କ୍ରୀଡ଼ା ଛାତ୍ରାବାସ ଦଳକୁ ଟାଇବ୍ରେକର୍ରେ ପରାସ୍ତ କରି ଟ୍ରଫି ହାତେଇଛି। ନିର୍ଧାରିତ ସମୟ ୧-୧ ଗୋଲ୍ରେ ଅମୀମାଂସିତ ରହିବା ପରେ ଫୁଲବାଣୀ ଦଳ ଟାଇବ୍ରେକର୍ରେ ୬-୫ରେ ବାଜି ମାରିଥିଲା। ନିର୍ଧାରିତ ସମୟରେ ନୟାଗଡ଼ ପକ୍ଷରୁ ସୁରଜ ମିଞ୍ଜ୍ (୫୪ ମିନିଟ୍) ଏବଂ ଫୁଲବାଣୀ ପକ୍ଷରୁ ସୁଜିତ ବାର୍ଲା (୬୯ ମିନିଟ୍) ଗୋଲ୍ ସ୍କୋରର୍ ରହିଥିଲେ। ବିଜେତା ଦଳକୁ ୧୦,୦୦୦ ଓ ଉପବିଜେତା ଦଳକୁ ୫୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଉପବିଜେତା ନୟାଗଡ଼ ଦଳର ସୁରଜ ମିଞ୍ଜ୍ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ ବିଜେତା ଫୁଲବାଣୀ ଦଳର ସଦାନନ୍ଦ କଁହର ଶ୍ରେଷ୍ଠ ଗୋଲ୍ରକ୍ଷକ, ନୟାଗଡ଼ର ରବୀନ୍ଦ୍ର ସିଂହ ଶ୍ରେଷ୍ଠ ରକ୍ଷଣଭାଗ ଏବଂ ନୟାଗଡ଼ର ସୁରଜ ନାୟକ ଶ୍ରେଷ୍ଠ ମଧ୍ୟଭାଗ ଏବଂ ଫୁଲବାଣୀର ଏ ଶିବ ପ୍ରସାଦ ଶ୍ରେଷ୍ଠ ଫରୱାର୍ଡ ଭାବେ ପୁରସ୍କୃତ ହୋଇଥିଲେ। ଚନ୍ଦ୍ରକାନ୍ତ ବାରିକ, ଅମିତ ନାୟକ, ରାଜେନ୍ଦ୍ର ବାରିକ, କୀର୍ତ୍ତି ସ୍ବାଇଁ, କମିସନର ମହେଶ୍ବର ସିଂହ ଫାଇନାଲ୍ ମ୍ୟାଚ୍କୁ ପରିଚାଳନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଦ୍ଯାପନୀ ଉତ୍ସବରେ ପ୍ରତିଯୋଗିତା ସମିତିର ଅଧ୍ୟକ୍ଷ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଦିଲୀପ କୁମାର ସାମନ୍ତରାୟ, ଭୁବନେଶ୍ବର କୌଡ଼କୁଦ ସଂଘ ସଂପାଦକ ସୌର୍ଯ୍ୟରଞ୍ଜନ ପରିଜା, ଫାଓ ଉପସଭାପତି ଭକ୍ତବଲ୍ଲଭ ଦାସ, ଅନଙ୍ଗ ଦ୍ବିବେଦୀ, ଗିରିଧାରୀଲାଲ ନାୟକ, ମାନସ ସାମଲ ଏବଂ ଆୟୋଜକ ୟୁନିଟ୍-୬ କ୍ରୀଡ଼ା ସଂଘ ସଭାପତି ତପନ କୁମାର ମହାନ୍ତି, ସମ୍ପାଦକ ଦିଲୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଫାଇନାଲ୍ ପୂର୍ବରୁ ଉର୍ମିଳା ଫୁଟ୍ବଲ ଏକାଡେମି ଓ ଘାଟିକିଆ ମହିଳା ଦଳ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯାଇଥିଲା। ସେଥିରେ ଉର୍ମିଳା ଏକାଡେମି ୨-୦ରେ ବିଜୟୀ ହୋଇଥିଲା।