କଟକ ବଡ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ମହିଳା ମୃତ : ଶବ ବ୍ୟବଚ୍ଛେଦ ପାଇଁ ଟଙ୍କା ମାଗିଲେ

ଅଭିଯୋଗ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

କଟକ : କଟକ ବଡ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ଜୀବନ ଯାଇଛି। ପ୍ରଥମେ ଚିକିତ୍ସା ଅବହେଳାରୁ ମହିଳାଙ୍କ ସଂକ୍ରମଣ ହେବାରୁ ତାଙ୍କ ହାତ କଟି ଦିଆଯାଇଥିଲା। ଆଉ ଶେଷରେ ସେ ଆଜି କଟକ ବଡ଼ଡାକ୍ତରଖାନା ସେଣ୍ଟ୍ରାଲ ଆଇସିୟୁରେ ଆଖି ବୁଜିଲେ। କିନ୍ତୁ ‌ମୃତ୍ୟୁ ପରେ ବି ଫଟୋ ଉଠାଇବା ପାଇଁ ପୁଲିସ ଓ ଶବ ବ୍ୟବଚ୍ଛେଦ କରିବା ପାଇଁ ଦାୟିତ୍ବରେ ଥିବା କର୍ମଚାରୀ ତାଙ୍କ ସଂପର୍କୀୟଙ୍କୁ ଟଙ୍କା ମାଗିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଟଙ୍କା ନଦେବାରୁ ମୃତଦେହକୁ ଅଲଗା ରଖା ଯାଇଥିବା ବେଳେ ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ବିଳମ୍ବରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏଭଳି ଘଟଣା ସଂପର୍କରେ ମୃତ ମହିଳାଙ୍କ ପୁଅ ଆଜି ଏସସିବି ଗସ୍ତରେ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ନିକଟରେ ଅଭିଯୋଗ କରିବା ପରେ ମନ୍ତ୍ରୀ ତିନି ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ଏସ୍‌ସିବି ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ଭାଲୁକା ଗ୍ରାମର ସାବିତ୍ରୀ ସାହୁ(୫୫)ଙ୍କ ବ୍ରେନ୍‌ ଷ୍ଟ୍ରାକ୍‌ ହେବାରୁ ଏସ୍‌ସିବି ନ୍ୟୁରୋଲୋଜି ବିଭାଗରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଠିକ୍‌ ଭାବାର ଚିକିତ୍ସା କରାନଯିବାରୁ ତାଙ୍କ ଶରୀରରେ ସଂକ୍ରମଣ ହୋଇ ଯାଇଥିଲା। ଏଭଳି ସ୍ଥିତିରେ ପ୍ରଥମେ ତାଙ୍କର ଗୋଟିଏ ହାତ କାଟି ଦିଆଯାଇଥିଲା। ଅବସ୍ଥା ଦିନକୁ ଦିନ ଗୁରୁତର ହେବାରୁ ତାଙ୍କୁ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସାବିତ୍ରୀଙ୍କ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପାଇଁ ବ୍ୟବଚ୍ଛେଦ ଗୃହକୁ ନେବା ସମୟରେ ଫଟୋ ଉଠାଇବା ପାଇଁ ପୁଲିସ ତାଙ୍କ ପୁଅ କୃଷ୍ଣଚନ୍ଦ୍ରଙ୍କୁ ଶହେ ଟଙ୍କ‌ା ମାଗିଥିଲା। ଏହାପରେ ବ୍ୟବଚ୍ଛେଦ କରୁଥିବା ଲୋକମାନେ ମଧ୍ୟ ୩ଶହ ଟଙ୍କା ମାଗିଥିଲେ। ସେ ଟଙ୍କା ଦେଇ ନପାରିବାରୁ ତାଙ୍କ ମାଙ୍କ ଶବକୁ ବ୍ୟବଚ୍ଛେଦ ନକରି ଅଲଗା ରଖି ଦେଇଥିଲେ। ପରେ ଏ ସଂପର୍କରେ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିବା ପରେ ତାଙ୍କ ମାଙ୍କ ଶବକୁ ଅପରାହ୍ନରେ ବ୍ୟବଚ୍ଛେଦ କରାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ପୁଅ କୃଷ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି। ସେହିଭଳି ମୋ ସରକାର ଯୋଜନାରେ ଥିବା ଟୋଲ ଫି ନମ୍ବରକୁ କୃଷ୍ଣଚନ୍ଦ୍ର ୬ ଥର ଫୋନ କରିଥିଲେ ବି ପ୍ରତ୍ୟେକ ଥର ତାଙ୍କ ଅଭିଯୋଗକୁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି, ଯଦି ସମସ୍ୟା ହେଉଛି ଘରୋଇ ହସ୍ପିଟାଲକୁ ରୋଗୀଙ୍କୁ ନେଇ ଯାଆନ୍ତୁ ବୋଲି ପରାମର୍ଶ ମିଳେ ବୋଲି କୃଷ୍ଣଚନ୍ଦ୍ର ଆଜି ମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ମନ୍ତ୍ରୀ କ୍ଷୁବ୍ଧ ହେବା ସହ ଯିଏ ଚିକିତ୍ସାରେ ଅବହେଳା କରିଛି ସେ ସଂପର୍କରେ ତଦନ୍ତ କରାଯିବ ଓ ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିସୂଚନା ଦେଇଛନ୍ତି। ଏଥିସହ ବ୍ୟବଚ୍ଛେଦ ପାଇଁ କିଏ ଟଙ୍କା ମାଗିଥିଲା ତାର ତଦନ୍ତ କରି ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ମାଙ୍କ ଚିକିତ୍ସା ଅବହେଳା ମୃତ୍ୟୁକୁ ନେଇ ପୁଅ କୃଷ୍ଣଚନ୍ଦ୍ର ଆଜି ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର