ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଅପାର ସଫଳତା ପରେ ଦେଶର କ୍ରୀଡ଼ା କ୍ୟାପିଟାଲ ଭୁବନେଶ୍ବରରେ ଆଉ ଏକ ସର୍ବଭାରତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଓ ହକି ଇଣ୍ଡିଆ ମିଳିତ ଭାବେ ଆୟୋଜନ କରିବାକୁ ଯାଉଥିବା ଖେଲୋ ଇଣ୍ଡିଆ ମହିଳା ହକି (୨୧ ବର୍ଷରୁ କମ୍) ଲିଗ୍ର ତୃତୀୟ ପର୍ଯ୍ୟାୟ ଏଠାରେ ଆୟୋଜିତ ହେବ। ପ୍ରଥମ ଥର ପାଇଁ ଖେଳା ଯାଉଥିବା ଏହି ପ୍ରତିଯୋଗିତା ଚଳିତ ବର୍ଷ ମାର୍ଚରୁ ନଭେମ୍ବର ମାସ ମଧ୍ୟରେ ଭୁବନେଶ୍ବର ସହ ଦିଲ୍ଲୀ ଓ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ମାର୍ଚ ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବା ପରେ ଦ୍ବିତୀୟ ପର୍ଯ୍ୟାୟ ଜୁଲାଇ ୧୩ରୁ ୧୯ ତାରିଖ ମଧ୍ୟରେ ବେଙ୍ଗାଲୁରୁର ସାଇ କେନ୍ଦ୍ର ଓ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୨ରୁ ୨୯ ମଧ୍ୟରେ ଆୟୋଜିତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
୩ ପର୍ଯ୍ୟାୟ, ୩ ସହର
ଖେଲୋ ଇଣ୍ଡିଆ ମହିଳା ହକି (୨୧ ବର୍ଷରୁ କମ୍) ଲିଗ୍ରେ ମୋଟ ୧୪ ଦଳ ଅଂଶଗ୍ରହଣ କରିବେ। ଦଳଗୁଡ଼ିକୁ ‘ଫାଷ୍ଟ କମ୍ ଫାଷ୍ଟ ସର୍ଭିସ’ ଭିତ୍ତିରେ ବଛାଯିବ। ଅର୍ଥାତ୍ ଯେଉଁ ଦଳ ଯେତେ ଶୀଘ୍ର ଅଂଶଗ୍ରହଣ କରିବାର ଆଗ୍ରହ ପ୍ରକାଶ କରିବ ସେତେ ଭଲ। ପ୍ରଥମେ ଆବେଦନ କରିଥିବା ୧୪ ଦଳକୁ ନେଇ ହିଁ ପ୍ରତିଯୋଗିତା ଖେଳାଯିବ। ୧୪ ଦଳକୁ ସାତଟି ଲେଖାଏଁ ଦୁଇଟି ପୁଲ୍ରେ ବିଭକ୍ତ କରାଯିବ ଏବଂ ସେମାନେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ପରସ୍ପର ସହ ମୁକାବିଲା କରିବେ। ଲିଗ୍ ପର୍ଯ୍ୟାୟ ପରେ ରାଉଣ୍ଡ ରବିନ ପର୍ଯ୍ୟାୟ ଆରମ୍ଭ ହେବ। ଉଭୟ ପର୍ଯ୍ୟାୟରେ ଦଳଗୁଡ଼ିକ ୬ଟି ଲେଖାଏଁ ମ୍ୟାଚ୍ ଖେଳିବେ। ପ୍ରଥମ ଦୁଇଟି ପର୍ଯ୍ୟାୟ ଶେଷ ହେବା ପରେ ଫାଇନାଲ୍ ଓ ଅନ୍ୟାନ୍ୟ ସ୍ଥାନ ପାଇଁ ତୃତୀୟ ପର୍ଯ୍ୟାୟରେ କ୍ଲାସିଫିକେସନ୍ ମ୍ୟାଚ୍ ଖେଳାଯିବ। ହକି ଇଣ୍ଡିଆ ସହ ପଞ୍ଜୀକୃତ ହୋଇଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ରାଷ୍ଟ୍ରାୟତ୍ତ ବୃତ୍ତିଗତ ସଂସ୍ଥା ଏଫ୍ଆଇଏଚ୍ ନୀତି ନିୟମରେ ଏହି ପ୍ରତିଯୋଗିତା ଖେଳିବେ। ୨୦୦୦ ମସିହା ଜାନୁଆରି ପହିଲା କିମ୍ବା ତା’ ପରେ ଜନ୍ମଗ୍ରହଣ କରିଥିବା ଖେଳାଳି ହିଁ ଏଥିରେ ଅଂଶଗ୍ରହଣ କରିପାରିବେ।
ପ୍ରତ୍ୟେକ ଦଳରେ ୧୮ ଖେଳାଳି, ୪ ଅଧିକାରୀ
ପ୍ରତ୍ୟେକ ଦଳରେ ୧୮ ଖେଳାଳି ଓ ୪ ଜଣିଆ ପ୍ରଶିକ୍ଷକ ମଣ୍ଡଳି (ମୁଖ୍ୟ ପ୍ରଶିକ୍ଷକ, ପ୍ରବନ୍ଧକ, ଡାକ୍ତର ଓ ଫିଜିଓ) ରହିବେ। ପ୍ରତିଯୋଗିତାର ସମସ୍ତ ଦାୟିତ୍ବ ଖେଲୋ ଇଣ୍ଡିଆ ଓ ସାଇ ନେବେ। ‘‘ଦେଶର ହକି ସ୍ତର ବଢ଼ାଇବା ଲାଗି ହକି ଇଣ୍ଡିଆ ନିୟମିତ ପ୍ରୟାସ କରିଆସୁଛି। ୨୧ ବର୍ଷରୁ କମ୍ ଖେଳାଳିଙ୍କୁ ନିଜ ପ୍ରତିଭାର ପରିପ୍ରକାଶ କରିବା ଲାଗି ଏହା ଏକ ବଳିଷ୍ଠ ମଞ୍ଚ ପ୍ରଦାନ କରିବ। ଏହି ଖେଳାଳିମାନେ ପରେ ଯାଇ ଜାତୀୟ ଦଳର ପ୍ରତିନିଧିତ୍ବ କରିବେ’’ ବୋଲି ପ୍ରତିଯୋଗିତାର ନାମ, ଆକାର ଓ ପ୍ରଣାଳୀ ଘୋଷଣା କରିବା ବେଳେ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି। କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ କେନ୍ଦ୍ର ସରକାର ପ୍ରତିଭା ଚିହ୍ନଟ ଓ ବିକାଶ ଲାଗି ପ୍ରୟାସ କରୁଛନ୍ତି। ମହିଳା ହକିରେ ସଂପ୍ରତି ସର୍ବଭାରତୀୟ ସ୍ତରର ହାତଗଣତି ପ୍ରତିଯୋଗିତା ଆୟୋଜିତ ହେଉଛି। ସେଥିପାଇଁ ଏହି ପ୍ରତିଯୋଗିତାର ପରିକଳ୍ପନା କରାଯାଇଛି। ଏହା ଦ୍ବାରା ଅନେକ ଉଦୀୟମାନ ଓ ଲୁକାୟିତ ହକି ପ୍ରତିଭା ଚିହ୍ନଟ ହୋଇପାରିବେ ବୋଲି ମୁଁ ଆଶା କରୁଛି।