ଭାରତ ପ୍ରଥମ ଥର ଫାଇନାଲ୍‌ରେ, ରବିବାର ଅଷ୍ଟ୍ରେଲିଆ ସହିତ ଟ୍ରଫି ଲଢ଼େଇ

ସିଡନି: ଭାରତୀୟ ମହିଳା କ୍ରିକେଟ୍‌ ଦଳ ଗୁରୁବାର ପଡ଼ିଆକୁ ଓହ୍ଲାଇନଥିଲେ ମଧ୍ୟ ନୂଆ ଇତିହାସ ରଚିଛି। ପ୍ରଥମ ଥର ପାଇଁ ଆଇସିସି ଟି-୨୦ ବିଶ୍ବକପ୍‌ର ଫାଇନାଲକୁ ଉଠିଛି। ପୂର୍ବରୁ ଭାରତୀୟ ମହିଳା ଦଳ ୫୦ ଓଭରିଆ ଏକଦିବସୀୟ ଆଇସିସି ବିଶ୍ବକପ୍‌ରେ ଦୁଇ ଥର ଫାଇନାଲ୍‌ ଖେଳି ଉଭୟ ଥର ଉପବିଜେତା ହୋଇଥିଲା। ଏବେ ୧୧ ବର୍ଷର ପୁରୁଣା ଟି-୨୦ ବିଶ୍ବକପ୍‌ରେ ଭାରତ ପ୍ରଥମ ଥର ଫାଇନାଲ୍‌ ଖେଳିବାକୁ ଯାଉଛି। ରବିବାରର ଫାଇନାଲରେ ଭାରତ ଭେଟିବ ବିଜେତା ଅଷ୍ଟ୍ରେଲିଆକୁ। ଲିଗ୍‌ ପର୍ଯ୍ୟାୟରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିବାରୁ ହରମନପ୍ରୀତ୍ କୌରଙ୍କ ଦଳର ଆତ୍ମବିଶ୍ବାସ ନିଶ୍ଚିତ ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ ୮)ରେ ଉଚ୍ଚରେ ରହିବ। ସିଡନିରେ ଗୁରୁବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ‌ହୋଇଥାନ୍ତେ। ବର୍ଷା କିନ୍ତୁ ଟସ୍ ବି ପକାଇ ଦେଇନଥିଲା। ଫଳରେ ପୁଣି ଅଜବ ନିୟମ ଅନୁସାରେ ଲିଗ୍ ପର୍ଯ୍ୟାୟରେ ଭାରତ ଅପରାଜିତ ରହିବା ସହ ଗ୍ରୁପ୍ ବିଜେତା ଥିବାରୁ ସିଧାସଳଖ ଫାଇନାଲ୍ ଯୋଗ୍ୟତା ଅର୍ଜନ କରିନେଇଥିଲା। ବିଶ୍ବକପ୍‌ ପୂର୍ବରୁ ଏକ ତ୍ରିରାଷ୍ଟ୍ରୀୟ ଖେଳି ଭାରତୀୟ ମହିଳା ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଦଳକୁ ହରାଇଥିବାରୁ ଏବେ ରବିବାରର ଫାଇନାଲ୍ ମଧ୍ୟ ଭାରତ ପାଇଁ ସୁବର୍ଣ୍ଣ ସ‌ୁଯୋଗ ଆଣିଦେଇଛି।

ଗୁରୁବାର ଦ୍ବିତୀୟ ସେମିଫାଇନାଲ୍‌ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ବିଜେତା ଅଷ୍ଟ୍ରେଲିଆ ଉନ୍ନତ କ୍ରିକେଟ୍‌ ଖେଳିବା ସହିତ ଡିଏଲ୍‌ ନିୟମ ବଳରେ ଗ୍ରୁପ୍‌ ‘ବି’ ଟପ୍ପର ଦକ୍ଷିଣ ଆଫ୍ରିକାକୁ ୫ ରନ୍‌ ବ୍ୟବଧାନରେ ହରାଇ ଦେଇଥିଲା। ବର୍ଷା କାରଣରୁ ବିଳମ୍ବରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିର୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୩୪ ରନ୍ କରିଥିଲା। ପ୍ରାରମ୍ଭିକ ବ୍ୟାଟର୍‌ ଆଲିସା ହିଲି (୧୮, ୧୩ ବଲ୍‌) ଏବଂ ବେଥ୍‌ ମୁନି (୨୮, ୨୪ ବଲ୍‌)ଙ୍କ ମୂଳଦୁଆ ପରେ ଅଧିନାୟିକା ମେଗ୍ ଲାନିଂ (୪୯*, ୪୯ ବଲ୍‌, ୪ ଚୌକା, ୧ ଛକା) ଦାୟିତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ଦକ୍ଷିଣ ଆଫ୍ରିକାର ନାଦିନ୍‌ ଡି କ୍ଲର୍କ ସଫଳ ବୋଲର ଭାବେ ୪ ଓଭରରେ ୧୯ ରନ୍ ବିନିମୟରେ ୩ ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ପାଳି ପରେ ପୁଣି ବର୍ଷା ବାଧା ଆଣିବାରୁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୩ ଓଭରରେ ୯୮ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୨୪ ରନ୍‌ରେ ୩ ୱିକେଟ୍ ହରାଇ ଦେବା ପରେ ଦକ୍ଷିଣ ଆଫ୍ରିକା ପାଇଁ ଲୌରା ଉଲ୍‌ଭର୍ଟ (୪୧*, ୨୭ ବଲ୍‌, ୩ ଚୌକା, ୨ ଛକା) ବଢ଼ିଆ ଲଢ଼ିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ। ଅଷ୍ଟ୍ରେଲିଆ ବୋଲରମାନେ ବିଜୟ ଛଡ଼ାଇନେଇଥି‌ଲେ। ଶେଷ ଓଭରରୁ ୧୯ ରନ୍‌ ଆବଶ୍ୟକ ହେଉଥିବା ବେଳେ ଦକ୍ଷିଣ ଆଫ୍ରିକା ୧୩ ରନ୍‌ କରିପାରିଥିଲା।

କୋହଲି କହିଲେ ‘ତୁମ ପାଇଁ ଗର୍ବିତ’
ଭାରତୀୟ ମହିଳା କ୍ରି‌କେଟ୍ ଦଳ ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିବା ପରେ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି। ଏଥିରେ ଭାରତୀୟ କ୍ରି‌କେଟ୍ ଜଗତର ବହୁ କିଂବଦନ୍ତି ଓ ମହାନ ତାରକା ସାମିଲ ହୋଇଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ଭାରତୀୟ ମହିଳା ଦଳକୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲକୁ ଉନ୍ନୀତ ହୋଇଥିବା ଭାରତୀୟ ମହିଳା ଦଳକୁ ହୃଦୟର ଗଭୀର କୋଣରୁ ଅଭିନନ୍ଦନ। ତୁମ ପାଇଁ ଆମେ ଗର୍ବିତ। ଫାଇନାଲ୍ ପାଇଁ ଅଶେଷ ଅଶେଷ ଶୁଭେଚ୍ଛା। ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହବାଗ, ଭିଭିଏସ୍ ଲକ୍ଷ୍ମଣଙ୍କ ସହ ଦୁଇ ମହାନ ମହିଳା କ୍ରିକେଟ୍ ତାରକା ମିତାଲି ରାଜ୍ ଓ ଝୁଲଣ ଗୋସ୍ବାମୀ ମଧ୍ୟ ଭାରତୀୟ ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସେହବାଗ ଟ୍ବିଟ୍ କରିଛନ୍ତି ଯେ ସେମିଫାଇନାଲ୍ ଦେଖିବାକୁ ବହୁତ ଇଚ୍ଛା ଥିଲା। ହେଲେ ଇନ୍ଦ୍ର ଦେବତାଙ୍କ ଆଗରେ କାହାର କି ବଳ ଅଛି। ଗ୍ରୁପ୍ ପର୍ଯ୍ୟାୟର ସବୁ ମ୍ୟାଚ୍‌ ଜିତିବାର ଉପହାର ଭାରତକୁ ମିଳିଲା। ମିତାଲି କହିଛନ୍ତି, ଭାରତକୁ ଫାଇନାଲରେ ଦେଖି ମୁଁ ଉଲ୍ଲସିତ। ଭାରତ ଫାଇନାଲକୁ ଯିବାର ହକ୍‌ଦାର ଥିଲା ବୋଲି ଝୁଲଣ ମତ ରଖିଛନ୍ତି। ଲକ୍ଷ୍ମଣ ଭାରତୀୟ ଦଳର ସ୍ଥିର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି

ଆମର କିଛି କରିବାର ନ ଥିଲା: ହରମନପ୍ରୀତ୍‌
ଫାଇନାଲ୍ ପ୍ରବେଶ କାରଣରୁ ଖୁସି ହୋଇଥିବା ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ୍ କୌର୍‌ କହିଛନ୍ତି, ‘ବର୍ଷା ନିୟମକୁ ନଜରରେ ରଖି ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ଶୀର୍ଷରେ ଅଭିଯାନ ଶେଷ କରିବାକୁ ଚେଷ୍ଟା କରିଥିଲା। ଯାହାକି ଶେଷରେ ମୂଲ୍ୟବାନ ସାବ୍ୟସ୍ତ ହେଲା’’। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇବା ପରେ ଭାରତ ବାଂଲାଦେଶ, ନ୍ୟୁଜିଲାଣ୍ଡ୍ ଏବଂ ଶ୍ରୀଲଙ୍କାକୁ ମଧ୍ୟ ଭଲ ଭାବରେ ହରାଇଥିଲା। ଏବେ ପ୍ରଥମ ଥର ଫାଇନାଲ୍‌କୁ ଉଠିଥିବାରୁ ଭାରତୀୟ ମହିଳା ଦଳ ଅପୂର୍ବ ସଫଳତା ପାଇଛି। ବର୍ଷା ନିୟମକୁ କିନ୍ତୁ ହରମନପ୍ରୀତ୍‌ ସମର୍ଥନ କରିନଥିଲେ। ଆମ ହାତରେ କିଛି ନଥିଲା, କିଛି ବି କରିବାର ନ ଥିଲା ବୋଲି କହିଥିଲେ ହରମନପ୍ରୀତ୍। ଫାଇନାଲରେ ଆମେ ଭଲ କ୍ରିକେଟ୍‌ ଖେଳିବାକୁ‌ ଚେଷ୍ଟା କରିବୁ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି। ଫାଇନାଲ୍ ମ୍ୟାଚ୍‌ ପାଇଁ କୌରଙ୍କ ପିତାମାତା ଏବଂ ଭାଇ ମଧ୍ୟ ସିଡନି ପହଞ୍ଚିଛନ୍ତି। ‘‘ମୁଁ ସ୍କୁଲ୍‌ରେ ଖେଳୁଥିବା ବେଳେ ଡାଡ୍ ଦେଖୁଥିଲେ, ମା’ କିନ୍ତୁ କେବେ ବି‌ ମୋ‌ ଖେଳ ଦେଖିନାହାନ୍ତି। ପ୍ରଥମ ଥର ମୋ ‌ଖେଳ ଦେଖିବାକୁ ଆସିଛନ୍ତି। ସମସ୍ତଙ୍କ ପରିବାରଠାରୁ ଏଭଳି ସମର୍ଥନ ମିଳିଲେ ବିଶ୍ବକପ୍‌ ଜିତିବା ସମ୍ଭବ ହେବ’’ ବୋଲି କୌର ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର