କଟକ : ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗ (ଖାଉଟି କମିସନ୍)ର ସଭାପତି ଭାବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ୍ ଦୁର୍ଗା ପ୍ରସନ୍ନ ଚୌଧୁରୀ ଯୋଗ ଦେଇଛନ୍ତି। ଆଜି ସେ କଟକସ୍ଥିତ ଖାଉଟି କମିସନରେ ପହଞ୍ଚି ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ କଞ୍ଜୁମର୍ ବାର୍ ଆସୋସିଏସନ୍ ସଭାପତି ଆଇନଜୀବୀ କରୁଣାକର ଜେନା, ସଂପାଦକ ଅଶ୍ବିନୀ ସାହୁ, ବରିଷ୍ଠ ସଦସ୍ୟ ଅକ୍ଷୟ ସାମଲ, ରୋହିଣୀକାନ୍ତ ପଟ୍ଟନାୟକ ପ୍ରମୁଖ ଜଷ୍ଟିସ ଚୌଧୁରୀଙ୍କୁ ସ୍ବାଗତ କରିବା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜାନୁଆରି ୨୩ରେ ସଭାପତି ପଦରୁ ଜଷ୍ଟିସ ବି.କେ.ପଟେଲଙ୍କ ଅବସର ଗ୍ରହଣ ପରେ ଖାଉଟି କମିସନରେ ଏକ ମାସରୁ ଅଧିକ ହେବ ମାମଲା ଶୁଣାଣି ଏକ ପ୍ରକାର ବନ୍ଦ ରହିଥିଲା। ସଭାପତି ଭାବେ ଜଷ୍ଟିସ ଚୌଧୁରୀଙ୍କ ନିଯୁକ୍ତି ପରେ ଏହି ଅଚଳାବସ୍ଥା ଦୂର ହୋଇଛି ଓ ଖାଉଟି ମାମଲା ଗୁଡିକର ତ୍ବରିତ ଶୁଣାଣି ସମ୍ଭବପର ହେବ ବୋଲି ଆଶା ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୧୯୫୬, ଜୁଲାଇ ୩ରେ ଜଷ୍ଟିସ ଚୌଧୁରୀ ଜନ୍ମ ଗ୍ରହଣ କରିଥିଲେ। ୧୯୭୨ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାସ୍ କରିବା ପରେ ରେଭେନ୍ସାରୁ ବି.ଏସ୍ସି. ଡିଷ୍ଟିଙ୍କସନ୍ ସହିତ ପାସ୍ କରିଥିଲେ। ୧୯୭୯ରେ ମଧୁସୂଦନ ଆଇନ କଲେଜରୁ ଏଲଏଲ.ବି. ଡିଗ୍ରି ହାସଲ କରିଥିଲେ। ୧୯୮୦ରେ ସେ ଓକିଲାତି ଲାଇସେନ୍ସ ପାଇ ୧୯୮୧ରୁ ୮୨ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ୧୯୮୨ରେ ସେ ଓଡ଼ିଶା ଜୁଡିସିଆଲ ସର୍ଭିସରେ ଯୋଗ ଦେଇଥିଲେ। ୧୯୮୨ରେ କଟକରେ ସେ ପ୍ରୋବେସନାରି ମୁନସିଫ୍ ଭାବେ ସେ ଯୋଗ ଦେଇଥିଲେ। ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ସେ ଆଇନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବା ପରେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶା ଜୁଡିସିଆଲ ଏକାଡେମିର ନିର୍ଦ୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୧୪ରେ ସେ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ଭାବେ ଯୋଗ ଦେଇଥିଲେ। ୨୦୧୫, ଏପ୍ରିଲ ୧୭ରେ ସେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୮, ଜୁଲାଇ ୩ ପର୍ଯ୍ୟନ୍ତ ସେ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ବିଚାରବିଭାଗରେ ଦୀର୍ଘ ୩୭ ବର୍ଷର ଅଭିଜ୍ଞତା ଥିବା ଜଷ୍ଟିସ ଚୌଧୁରୀଙ୍କୁ ଖାଉଟି କମିସନରେ ସଭାପତି ଭାବେ ଦାୟିତ୍ବ ପ୍ରଦାନକୁ ଆଇନଜୀବୀମାନଙ୍କ ପକ୍ଷରୁ ସ୍ବାଗତ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଖାଉଟି କମିସନରେ ସଭାପତି ଓ ସଦସ୍ୟ ପଦ ପୂରଣ ପ୍ରସଂଗକୁ ନେଇ ଓଡ଼ିଶା କଞ୍ଜୁମର ଆସୋସିଏସନ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ପ୍ରସଂଗରେ ସରକାରଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଖାଉଟି କମିସନ ସଭାପତି ପଦ ପୂରଣ ହୋଇଥିବା ବେଳେ ଏବେ ବି ଦୁଇ ସଦସ୍ୟ ପଦ ମଧ୍ୟରୁ ଗୋଟିଏ ୨୦୧୮ରୁ ଖାଲି ପଡ଼ିଛି। ଏହି ପଦ ପୂରଣ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଓଡ଼ିଶା କଞ୍ଜୁମର ଆସୋସିଏସନ୍ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ ମହାପାତ୍ର ଦାବି କରିଛନ୍ତି। ଏଥି ସହିତ ବିଭିନ୍ନ ଜିଲ୍ଲାରେ ଖାଲି ପଡ଼ିଥିବା ସଭାପତି ଓ ସଦସ୍ୟ ପଦ ପୂରଣ ପାଇଁ ସରକାର ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।