କରୋନା ସଂକ୍ରମଣର ପ୍ରତିରୋଧ ପାଇଁ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି, ଜାରି ହେଲା ଜିଲ୍ଲାୱାରି ହେଲ୍ପଲାଇନ୍ ନମ୍ବର
ଖୋର୍ଦ୍ଧା : କୋଭିଡ୧୯ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ ମୁତାବକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସହ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ ସମେତ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ପରିବାର ସଦସ୍ୟ ୯୪୩୯୯୯୪୫୦୪ ଓ ୯୪୩୯୯୯୭୦୯୧କୁ ଫୋନ୍ କରି ସହାୟତା ନେଇପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଏନେଇ ସୂଚନା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱମୋହନ ପତି କହିଛନ୍ତି ଯେ ଓଡ଼ିଶା କୋଭିଡ୧୯ ରେଗୁଲେସନ୍ ୨୦୨୦ ଅନୁଯାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ଏକାନ୍ତବାସ ୱାର୍ଡ ଖୋଲାଯାଇଛି । ସେଠାରେ ୨୪ ଘଂଟା ଡାକ୍ତର, ପାନୀୟ ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟସେବା ଉପକରଣ ଏବଂ ଔଷଧ ମହଜୁଦ ରହିଛି । କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍କୁ ପଠାଇବା ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି।
ଡା ପତି କହିଛନ୍ତି ଯେ କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୁହେଁ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜ୍ୱର, କାଶ, ସର୍ଦ୍ଦିରୋଗର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ, ସାନିଟାଇଜର, ହ୍ୟାଣ୍ଡୱାସ, ମାସ୍କ ଆଦି ଯୋଗାଇଦିଆଯାଇଛି । ଏହା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବ୍ୟାନ୍ର, ଲିଫ୍ଲେଟ୍, ପୋଷ୍ଟର ଓ ହୋର୍ଡିଂ ଆଦି ଯୋଗାଇଦିଆଯାଇଛି । ବ୍ଲକସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ସଚେତନତା ବୈଠକ ଆୟୋଜିତ ହେଉଛି।