ଗରିବ ଓ ନିରାଶ୍ରୟଙ୍କ ପାଇଁ ଗାଁରେ ରନ୍ଧାଖାଦ୍ୟ : ପ୍ରତି ପଞ୍ଚାୟତରେ ଦିଆଯିବ, ୧୦ଲକ୍ଷ ଉପକୃତ ହେବେ
୧୧୪ ପୌରାଞ୍ଚଳର ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ମିଳିବ ୩ହଜାର
ଭୁବନେଶ୍ବର : ଗାଁ ଗଣ୍ଡାରେ ଥିବା ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ପ୍ରତି ପଞ୍ଚାୟତରେ ଶହେରୁ ଦୁଇଶହ ଲୋକଙ୍କ ପାଇଁ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। ଏଥିସହିତ ଷ୍ଟ୍ରିଟ ଭେଣ୍ଡରଙ୍କ ଲାଗି ମଧ୍ୟ ଆର୍ଥିକ ପ୍ୟାକେଜ୍ ଘୋଷଣା ହୋଇଛି। ଏସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା େଦଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାରାତ୍ମକ କରୋନା ବ୍ୟାପିବା ଭୟରେ କେନ୍ଦ୍ର ସରକାର ଯେଉଁ ଲକଡାଉନ୍ ଘୋଷଣା କରିଛନ୍ତି, ଏହାର ସାଂଘାତିକ ପ୍ରଭାବ ଏବେ ସାଧାରଣ ଜନଜୀବନ ଉପରେ ପଡିଲାଣି। ଏତେ ଭୟଙ୍କର ଯେ ଦିନ ମଜୁରିଆ, ଖଟିଖିଆ, ଗରିବ ବ୍ୟକ୍ତିବିଶେଷ ଦୈନନ୍ଦିନ ଗୁଜୁରାଟ ମେଣ୍ଟାଇବା କାଠିକର ପାଠ ହୋଇପଡିଛି। ସ୍ଥିତି ଧୀରେ ଧୀରେ ଆୟତ୍ତ ବାହାରକୁ ଯାଉଥିବା େଦଖି କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ଗତକାଲି ଏକ ବଡ଼ ପ୍ୟାକେଜ ଘୋଷଣା କରିଥିଲେ। ଏହା ମଧ୍ୟ ଅନେକଙ୍କୁ ଆଶ୍ବସ୍ତ କରିପାରିବ ନାହିଁ ବୋଲି ସୂଚନା ମିଳିବା ପରେ ଆଜି ଏ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ରାଜ୍ୟ ସରକାର ପୁଣି ଏକ ଘୋଷଣା କରିଛନ୍ତି।
ଆଜି ଅପରାହ୍ନରେ ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ସୂଚନା ଦେଇଥିଲେ। ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ନବୀନ ନିଜର ବାର୍ତା ରଖିଛନ୍ତି। ସେ କହିଛନ୍ତି, ”ଆପଣମାନେ ଜାଣନ୍ତି ଯେ କରୋନା ବିରୋଧରେ ଆମର ସଂଗ୍ରାମକୁ ଆହୁରି ଜୋରଦାର କରାଯାଇଛି। ଲୋକମାନଙ୍କୁ ଘର ବାହାରକୁ ନ ଆସିବା ପାଇଁ ଅନୁରୋଧ କରାଯାଇଛି। କେବଳ ଘରେ ରହିବା ଦ୍ବାରା ହିଁ ଏହି ସଂଗ୍ରାମକୁ ଆମେ ଜିତିପାରିବା। ଆମର ଏ ସଂଗ୍ରାମ ଗରିବ ଲୋକ, ମଜଦୁର ଭାଇ ଭଉଣୀଙ୍କ ଉପରେ ବିଶେଷ ପ୍ରଭାବ ପକାଇଛି।”
ଗତକାଲି ଗରିବ ଲୋକଙ୍କ ପାଇଁ ୪ମାସର ଆଗୁଆ ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ୩ମାସର ସାମଗ୍ରୀ ଆଗୁଆ ଯୋଗାଣ ନିଷ୍ପତ୍ତି ସହିତ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ସଂପର୍କରେ ମନେ ପକାଇ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ପଞ୍ଚାୟତରେ ଶହେରୁ ଦୁଇଶହ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହା କରାଯିବ। ଲୋକମାନେ ରନ୍ଧାଖାଦ୍ୟ ଘରକୁ ନେଇପାରିବେ। ଏହାଦ୍ବାରା ଦଶଲକ୍ଷ ଗରିବ ଓ ନିରାଶ୍ରୟ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟର ୧୧୪ଟି ପୌରାଞ୍ଚଳର ଷ୍ଟିଟ୍ ଭେଣ୍ଡରଙ୍କ ପାଇଁ ତିନି ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଥିବା ନବୀନ କହିଛନ୍ତି। ଏହାଦ୍ବାରା ରାଜ୍ୟରେ ରେଜିଷ୍ଟ୍ରିଭୁକ୍ତ ଥିବା ୬୫୦୦୦ ଷ୍ଟ୍ରିଟ୍ ଭେଣ୍ଡର ଉପକାର ପାଇବେ ବୋଲି କୁହାଯାଉଛି।