ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଦୁଇ ହଜାର ଟଙ୍କିଆ ଛପାଇବା ବନ୍ଦ କରିପାରେ ବୋଲି ଏସ୍ବିଆଇର ଏକ ରିପୋର୍ଟରେ ଆକଳନ କରାଯାଇଛି। ଏଥିରେ କୁହାଯାଇଛି ଯେ ହୁଏତ ରିଜର୍ଭ ବ୍ୟାଙ୍କ ଯେତିକି ଦୁଇ ହଜାର ଟଙ୍କିଆ ଛପାଇଛି ତାହା ଆଉ ବଜାରକୁ ଛାଡ଼ିବ ନାହିଁ। ଏହା ଏହି ବଡ଼ ନୋଟ୍ ଛପାଇବା ବନ୍ଦ କରିହେବ। ନିକଟରେ ଲୋକସଭାରେ ଅର୍ଥ ମନ୍ତ୍ରଣାଳୟ ଏକ ରିପୋର୍ଟ ଉପସ୍ଥାପନ କରି ଜଣାଇଛି ଯେ ଡିସେମ୍ବର ୮ ସୁଦ୍ଧା ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୬,୯୫୭ ନିୟୁତ ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ଏବଂ ୩୬୫୪ ନିୟୁତ ଖଣ୍ଡ ଦୁଇ ହଜାର ଟଙ୍କିଆ ନୋଟ୍ ଛପାଯାଇଥିଲା। ଛପା ହୋଇଥିବା ଏହି ଉଭୟ ପ୍ରକାର ନୋଟ୍ର ମୂଲ୍ୟ ହେଉଛି ୧୫,୭୮,୭୦୦ କୋଟି ଟଙ୍କା। ଆର୍ବିଆଇ ଯେତିକି ପରିମାଣର ବଡ଼ ନୋଟ୍ ଛପାଇଛି ସେସବୁ ନୋଟ୍କୁ ବଜାରକୁ ଛାଡ଼ିନାହିଁ। କାରଣ ଡିସେମ୍ବର ୮ରେ ବଜାରରେ ପ୍ରଚଳନରେ ଥିବା ବଡ଼ ନୋଟ୍ ପରିମାଣ ହେଉଛି ୧୩,୩୨,୪୦୦ କୋଟି ଟଙ୍କା। ଛପା ହୋଇଥିବା ବଡ଼ ନୋଟ୍ ମୂଲ୍ୟରୁ ଯଦି ପ୍ରଚଳନରେ ଥିବା ମୋଟ ନୋଟ୍ ମୂଲ୍ୟକୁ ବିଯୁକ୍ତ କରାଯିବ ତେବେ ୨୪୬୩୦ କୋଟି ଟଙ୍କାର ନୋଟ୍ ଆର୍ବିଆଇ ନିଜ ପାଖରେ ରଖି ଦେଇଛି ବୋଲି ସ୍ପଷ୍ଟ ଭାବେ ଜଣାପଡୁଛି। ଏହି ନୋଟ୍ଗୁଡ଼ିକୁ ଆର୍ବିଆଇ ବଜାରକୁ ଛାଡ଼ିନାହିଁ। ଏସ୍ବିଆଇର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ସୌମ୍ୟକାନ୍ତି ଘୋଷ କହିଛନ୍ତି ଯେ ଏହି ସବୁ ନୋଟ୍ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଛପାଇଥିଲେ ମଧ୍ୟ ତାହା ବଜାରକୁ ଛାଡ଼ିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏସ୍ବିଆଇ ଏହାର ଇକୋଫ୍ଲାସ୍ ରିପୋର୍ଟରେ କହିଛି ଯେ ଯେହେତୁ ଦୁଇ ହଜାର ଟଙ୍କିଆ ନୋଟ୍କୁ ନେଇ କାରବାର କରିବା ସହଜ ନୁହେଁ, ସେଥିପାଇଁ ଜାଣିଶୁଣି ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍ କମ୍ ଛପାଇଥିବ। ବିମୁଦ୍ରାକରଣ ପରେ ଟଙ୍କାକୁ ନେଇ ସୃଷ୍ଟି ହୋଇଥିବା ଅଭାବ ପୂରଣ କରିବା ପାଇଁ ଅଧିକ ଦୁଇ ହଜାର ଟଙ୍କିଆ ଛପା ଯାଇଥିଲା। ଏହା ପରେ ରିଜର୍ଭ ବ୍ୟାଙ୍କ ଏତେ ବଡ଼ ନୋଟ୍ ଛପାଇବାକୁ ଉଚିତ ମଣିନଥିବ। ଏହା ପରେ ଛୋଟ ନୋଟ୍ ଛପାଇବା ଉପରେ ରିଜର୍ଭ ବ୍ୟାଙ୍କ ଅଧିକ ଗୁରୁତ୍ୱ ଦେଇଥାଇପାରେ ବୋଲି ରିପୋର୍ଟରେ କୁହାଯାଇଛି।