ନୂଆଦିଲ୍ଲୀ: ବିଶ୍ୱର ଦୁଇ ଉଦୀୟମାନ ରାଷ୍ଟ୍ର ଭାରତ ଏବଂ ଚୀନ୍ ୧୯୮୦ ପରେ ସେମାନଙ୍କ ବଜାରକୁ ଉନ୍ମୁକ୍ତ କରିବା ଆରମ୍ଭ କରିଥିଲେ। ଉଦାରୀକରଣ ପଥରେ ଏହି ଦୁଇ ରାଷ୍ଟ୍ର ଆଗକୁ ବଢ଼ିଥିଲେ। ଏହା ପରଠାରୁ ଦୁଇ ଦେଶରେ ଅର୍ଥନୈତିକ ଅସମାନତା ବଢ଼ିଛି। କିନ୍ତୁ ଭାରତରେ ଏହି ଅସମାନତା ଚୀନ୍ ତୁଳନାରେ ବହୁତ ଅଧିକ। ଭାରତରେ ଆୟ ଅସମାନତା ଐତିହାସିକ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ଭାରତର ଜାତୀୟ ଆୟର ୨୨% ଏକ ପ୍ରତିଶତ ଶ୍ରେଷ୍ଠ ଧନୀଙ୍କ ପାଖରେ ରହିଛି। ଶ୍ରେଷ୍ଠ ୧୦% ଧନୀ ଲୋକଙ୍କ ପାଖରେ ଜାତୀୟ ଆୟର ୬୫% ରହିଛି। ଅର୍ଥାତ ବଳକା ୯୦% ଲୋକଙ୍କ ପାଖରେ ମାତ୍ର ୪୬% ଜାତୀୟ ଆୟ ରହିଛି। ୧୯୪୭ରେ ଭାରତ ସ୍ୱାଧୀନ ହେବାର ପରବର୍ତି ୩୦ ବର୍ଷ ଭିତରେ ଅର୍ଥନୈତିକ ଅସମାନତା ଏତେ ଅଧିକ ନଥିଲା। ଏହି ସମୟରେ ଅସମାନତା ବହୁତ କମିଯାଇଥିଲା। ଏଭଳି ଏକ ସମୟ ସେତେବେଳେ ଆସିଥିଲା ଯେତେବେଳେ ତଳ ସ୍ତରରେ ଥିବା ୫୦% ଲୋକଙ୍କ ଆୟର ଅଭିବୃଦ୍ଧି ହାର ଦେଶର ଜାତୀୟ ଆୟ ବୃଦ୍ଧି ହାରଠାରୁ ଅଧିକ ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ବିଶ୍ୱ ସ୍ତରୀୟ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ତଳ ସ୍ତରରେ ବାସ କରୁଥିବା ୫୦% ଲୋକମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିରେ ବିପୁଳ ପରିମାଣର ନିବେଶ କରିଥିଲା। ସେଥିରେ ସେଠାରେ ଅର୍ଥନୈତିକ ଅସମାନତା ଭାରତ ତୁଳନାରେ କମ୍ ରହିଛି। ‘ଓ୍ଵାର୍ଲଡ୍ ଇନ୍ଇକ୍ୱାଲିଟି ରିପୋର୍ଟ-୨୦୧୮’ ନାମକ ଏହି ରିପୋର୍ଟ ବିଷୟରେ ଏହାର ସାଧାରଣ ସଂଯୋଜକ ଲୁକାସ୍ ଚାନ୍ସେଲ୍ କହିଛନ୍ତି ଯେ, ଦେଶ ଦେଶ ମଧ୍ୟରେ ଅସମାନତା ଭିନ୍ନ ଭିନ୍ନ ପ୍ରକାରର ରହିଛି। କେତେକ ଦେଶର ଅଭିବୃଦ୍ଧି ସମାନ ସ୍ତରରେ ରହିଥିଲେ ମଧ୍ୟ ସେହି ସବୁ ଦେଶଗୁଡ଼ିକରେ ଅସମାନତାର ସ୍ତର ସମାନ ନଥାଏ। ଅର୍ଥନୈତିକ ଅସମାନତା ଦୂର କରିବାରେ ଜାତୀୟ ନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି।