କରୋନା ଲଢେଇରେ କ୍ରିକେଟର୍‌ ଅଥର୍ବଙ୍କ ମା’ ବୈଦେହୀ

ମୁମ୍ବାଇ,: ଅନ୍ଧେରୀ ଇଷ୍ଟସ୍ଥିତ ତାଙ୍କ କଲୋନିରେ ଯେତେ‌େବଳେ ସମସ୍ତେ ନିଘୋଡ଼ ନିଦରେ ଶୋଇଯାଇଥାନ୍ତି, ସେତେବେଳେ ୪୩ ବର୍ଷିୟ ବୈଦେହୀ ଅନକୋଲକର ସକାଳ ୪ଟା ୪୫ ମିନିଟ୍‌ରୁ କାମରେ ବାହାରିପଡ଼ିଥାନ୍ତି। ଅନ୍ଧାରୁଆ ରାସ୍ତାରେ ୧୦ମିନିଟ୍‌ ଧରି ଚାଲିବା ପରେ ବସ୍‌ ଷ୍ଟାଣ୍ଡରେ ପହଞ୍ଚିଥାନ୍ତି। ବୈଦେହୀ ମୁମ୍ବାଇ ବସ୍‌ ଟ୍ରାନ୍ସପୋର୍ଟ ସର୍ଭିସ୍‌ରେ ଜଣେ କଣ୍ଡକ୍ଟର ଭାବେ କାର୍ଯ୍ୟରତ। ଏବେ ତାଲାବନ୍ଦ ବେଳେ ଜରୁରୀକାଳୀନ ସେବା ପାଇଁ ବସ୍‌ ପରିବହନକୁ ଆରମ୍ଭ କରାଯାଇଛି। ଏହି ସମୟରେ ଚାରିଆଡ଼େ ଶୂନ୍‌ଶାନ୍‌ ଥିବାରୁ ସକାଳେ କ୍ରିକେଟର୍‌ ପୁଅ ଅଥର୍ବକୁ ବସଷ୍ଟାଣ୍ଡରେ ଛାଡ଼ିଦେବା ପାଇଁ ସେ କହିଥାନ୍ତି। ଅଥର୍ବ ମଧ୍ୟ ସକାଳୁ ଉଠିପଡି ସାଙ୍ଗଠୁ ବାଇକ୍‌ ଆଣିବା ପରେ ମୋତେ ମୋ’ କାମ‌ ପାଖରେ ଛାଡ଼ିଦେଉଥିବା ବୈଦେହୀ କହିଛନ୍ତି। ‌ଦୁଇ ମାସ ତଳେ, ଭାରତୀୟ କ୍ରିକେଟ ଦଳ ପକ୍ଷରୁ ଦକ୍ଷିଣ ଆଫ୍ରିକାରେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଖେଳୁଥିବାବେଳେ ଅଥର୍ବଙ୍କ ସଫଳତା ପାଇଁ‌ ବୈଦେହୀ ପ୍ରାର୍ଥନା କରୁଥିଲେ। ଫାଇନାଲ୍‌ ମ୍ୟାଚରେ ଯଦିଓ ଭାରତ ପରାସ୍ତ ହୋଇଥିଲା, କିନ୍ତୁ ଅଲରାଉଣ୍ଡର ଅଥର୍ବ କିଛି ସ୍ମରଣୀୟ ମୁହୂର୍ତ୍ତ ବିତାଇଥିଲେ। ତାଙ୍କ କ୍ରିକେଟ ଯାତ୍ରାରେ ମା’ ବୈଦେହୀଙ୍କ ସମାନ ଅବଦାନ ରହିଥିବା ‌ଅଥର୍ବ କହିଛନ୍ତି। ୧୦ ବର୍ଷ ତଳେ ବାପାଙ୍କ ଦେହାନ୍ତ ହୋଇଯିବା ପରେ ମା’ ଅନେକ କଷ୍ଟ ସହି ଅଥର୍ବ ଓ ତାଙ୍କ ସାନ ଭାଇକୁ ପାଳିଥିବା ସେ କହିଛନ୍ତି।

ଏଭଳି ମହାମାରୀ ସମୟରେ ମା’ ବାହାରକୁ କାମରେ ଯାଉଥିବା ନିଶ୍ଚିତ ଭାବେ ଚିନ୍ତାଜନକ। ବାହାରେ ବିପଦ ଥିବାରୁ ମୁଁ ତାଙ୍କୁ କେବେହେଲେ ପଦାକୁ ନଯିବାକୁ ଅନୁରୋଧ କରନ୍ତି ଓ ଘରେ ରହିବାକୁ କହିଥାନ୍ତି ବୋଲି ଅଥର୍ବ ଦୁଃଖର ସହ କହିଛନ୍ତି। କାରଣ ୧୦ଦିନ ତଳେ ତାଙ୍କର ବସ୍ତି ଥଇଥାନ ପ୍ରାଧିକରଣ (ଏସ୍‌ଆର୍‌ଏ) ଆପାର୍ଟମେଣ୍ଟରେ ରହୁଥିବା ଜଣେ ସୁରକ୍ଷାକର୍ମୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ। ଏବେ ଅନକୋଲକର ପରିବାର ଗୃହାବଦ୍ଧ ରହିଥିଲାବେଳେ ବୈଦେହୀ ଆସନ୍ତା ସପ୍ତାହରୁ କାମକୁ ଯିବା ପାଇଁ ଯୋଜନା କରୁଛନ୍ତି। ବୈଦେହୀଙ୍କ କହିବାନୁସାରେ ସେ ଏବେ ଜରୁରୀକାଳୀନ ସେବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେଣୁ ତାଙ୍କୁ ଅନେକ ଭୟ ଘାରିଛି। ଯାତ୍ରୀମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ କର୍ମୀ, ପୁଲିସ୍‌ କର୍ମଚାରୀଙ୍କ ଭଳି ଅନେକ ଅଛନ୍ତି। ସେମାନେ ମଧ୍ୟ ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି। ଗତ ସପ୍ତାହରେ ଗୋରେଗାଓଁସ୍ଥିତ ‘ବେଷ୍ଟ’ ବସ୍‌ର କଣ୍ଡକ୍ଟର କରୋନାରେ ସଂକ୍ରମିତ ହୋଇଥି‌ବା ସେ କହିଛନ୍ତି। ବୈଦେହୀଙ୍କ ଅଞ୍ଚଳ ବନ୍ଦ ହେବା ପୂର୍ବରୁ ସେ ରହୁଥିବା ମାରୋଲ ଷ୍ଟାଣ୍ଡରୁ ଅରୋଲି କିମ୍ବା ବୈଶାଳୀନଗର ପର୍ଯ୍ୟନ୍ତ ଦୁଇଥର ଯିବାଆସିବା କରନ୍ତି। ଯେଉଁଥିପାଇଁ‌ ସେ ସକାଳ ଚା’ପିଇବା ମଧ୍ୟ ହାତଛଡ଼ା କରିଥାନ୍ତି। ଆଗରୁ ବାହାରେ ଖାଇବାକୁ ପଡୁଥିଲାବେଳେ ପରେ ସହକର୍ମୀମାନେ ସାଙ୍ଗରେ ଟିଫିନ୍‌ ଆଣୁଥିବାରୁ ସେଥିରୁ ସେ ଭୋକ ମେଣ୍ଟାଉଥିଲେ। ସମସ୍ତ କଣ୍ଡକ୍ଟର ମାସ୍କ ପିନ୍ଧୁଥିବାବେଳେ ୩ରୁ ୪ଟି ଟିକଟ କାଟିବା ପରେ ସାନିଟାଇଜରରେ ହାତ ଧୋଉଛନ୍ତି। ହେଲେ ଏତିକି ପ୍ର‌ତିଷେଧକ ଯଥେଷ୍ଟ ନୁହେଁ। ଯଦିଓ ସେ ପରାମର୍ଶ ଦେବା ପାଇଁ କେହି ନୁହଁନ୍ତି, ତଥାପି ସମସ୍ତ ଯାତ୍ରୀଙ୍କ ପାଇଁ ମାଗଣା ଯାତ୍ରା ସୁବିଧା କରାଯିବାକୁ ସେ ପରାମର୍ଶ ଦେବେ। ଯାହାଫଳରେ ଟିକଟ ଓ ଟଙ୍କା ଦେଣନେଣର ଅବକାଶ ରହିବନି ଏବଂ ସଂକ୍ରମଣର ଭୟ ରହିବ ନାହିଁ। ତଥାପି ଏବେ ତାଲାବନ୍ଦ ଚାଲିଥିବାରୁ ଜରୁରୀକାଳୀନ ସେବାରେ ନିୟୋଜିତ ହୋଇଥିବା ଖୁବ୍‌ କମ୍‌ ଯାତ୍ରୀ ଯାତାୟତ କରୁଥିବା ବୈଦେହୀ କହିଛନ୍ତି।

ଅନେକ ବସ୍‌ କର୍ମଚାରୀ ଏଭଳି ଭାବନା ସହ ଏକମତ ଥିବାବେଳେ ଏହି ପଦକ୍ଷେପ ସେମାନଙ୍କ ଜୀବନ ପ୍ରତି ବିପଦ ରହୁଥିବା କହିଛନ୍ତି। ଅନେକ ବସ୍‌ ନିୟମିତ କ୍ଷମତାଠୁ ଅଧାରୁ କମ୍‌ ଯାତ୍ରୀ ନେଉଥିବାବେଳେ ସଂଧ୍ୟା ସମୟରେ କିଛି ବସ୍‌ ଅଧିକ ଯାତ୍ରୀ ନେଉଥିବା କୁହାଯାଉଛି। ଏଭଳିସ୍ଥିତିରେ ବୈଦେହୀଙ୍କୁ ସପ୍ତାହରେ ତିନିଦିନ କାମକୁ ଯିବା ପାଇଁ ଅନୁମତି ମିଳିଛି। ତେବେ ପରିସ୍ଥିତି ଦିନକୁ ଦିନ ବଦଳୁଥିବାରୁ କାର୍ଯ୍ୟସୂଚୀ ଓ ବସ୍‌ ରୁଟ୍‌ରେ ପରିବର୍ତ୍ତନ ହେଉଛି। ତେଣୁ ବୈଦେହୀଙ୍କ ଅନେକ ସହଯୋଗୀ ସକାଳ ୩ଟାରୁ କାମରେ ବାହାରିବାକୁ ପଡୁଥିବା ସେ କହିଛନ୍ତି। ଏଭଳି କଷ୍ଟକର ସମୟରେ ବସ୍‌ ଡ୍ରାଇଭରର ଓ କଣ୍ଡକ୍ଟରମାନେ ମଧ୍ୟ କରୋନା ଯୋଦ୍ଧା। ସମାଜ ପାଇଁ କିଛି ଭଲ କରିବାକୁ ଆମେ ଉଦ୍ୟମରତ। ଏଭଳି ଭାବନା ଆମକୁ ଆଗକୁ ଯିବା ପାଇଁ ପ୍ରେରଣା ଦେଉଛି ଏବଂ ଭୟକୁ ଦୂରେଇ ରଖିପାରୁଛୁ ବୋଲି ବୈଦେହୀ କହିଛନ୍ତି।

ସମ୍ବନ୍ଧିତ ଖବର