ତିନି ରଥରେ ଲାଗିଲା କନକମୁଣ୍ଡି ଓ ଧ୍ୱଜବତା, ଆଗେଇ ଚାଲିଛି ରଥକନା କାମ

ପୁରୀ : ଗତକାଲି ତିନିରଥର ଦୁଆରଘଡ଼ା ଓ ଏଥିରେ ନାଟଗୋଡ଼ ଲାଗିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। ଆଜି ତିନିରଥର ଦୁଆରଘଡ଼ାକୁ ବାନ୍ଧି ରଖିବା ଧ୍ବଜାବତା ଲାଗିଛି। ପ୍ରତିରଥରେ ୪ଟି ଲେଖାଏଁ ୧୨ଟି ଧ୍ବଜାବତା ଲଗାଯାଇଛି। ସେପଟେ ପଟାବାଡ଼ିଆ କାର୍ଯ୍ୟ ଆଜି ସଂପୂର୍ଣ୍ଣ ହୋଇଛି। ରଥରେ ଶ୍ରୀବିଗ୍ରହମାନଙ୍କ ବିଜେ ସ୍ଥଳ ସିଂହାସନ ସଂପୂର୍ଣ୍ଣ ହୋଇ ଗାଈପଲ୍ଲ ବାଡ଼ିଆ ଶେଷ ହୋଇଛି। ଏଥିରେ ଚିତ୍ରକର ସେବକମାନେ ପ୍ରାଇମର ଦେଇ ଗାଈପଲ୍ଲ ଚିତ୍ର କରିବେ।

ଗାଈପଲ୍ଲ ବିଜେସ୍ଥଳ ତାଳଧ୍ବଜ ରଥ ଓ ଏବଂ ନନ୍ଦିଘୋଷ ରଥର ଚାରିପାର୍ଶ୍ବ କୋଣଗୁଡ଼ିକରେ ତିନିକୋଣ ବିଶିଷ୍ଟ ହୋଇଥିବାବେଳେ ଦେବୀଦଳନ ରଥର ଚାରିପାର୍ଶ୍ବର କୋଣ ଦୁଇକୋଣ ବିଶିଷ୍ଟ। ଏହାର ଚାରିପାର୍ଶ୍ବରେ ବାହ୍ୟପଟାରେ ଗାଈପଲ୍ଲ ଚିତ୍ର କରାଯାଇଥାଏ। ରଥରେ ମହାପ୍ରଭୁ ବିଜେ କରିବା ପରେ ନିତ୍ୟ ବୃନ୍ଦାବନରେ ବିଜେ କଲା ଭଳି ଲାଗିଥାନ୍ତି। ସେ ପଟେ ତିନି ରଥର ବିଜେ ଆସ୍ଥାନ ଉପରେ କନକମୁଣ୍ଡି ଲଗାଯାଇଛି। ଏଥିରେ ପଟା ପଡ଼ି କନକମୁଣ୍ଡି ସଂଯୋଗ କରାଯାଇଛି। ଏହା ଉପରେ ପିତଳ ଚଦର ପଡ଼ିବ। ବର୍ଷା ସମୟରେ ଶ୍ରୀବିଗ୍ରହଙ୍କ ଉପରେ ଯେପରି ପାଣି ନପଡ଼ିବ, ସେଥିପାଇଁ କନକମୁଣ୍ଡି ଲଗାଯିବା ସହ ଏଥିରେ ପିତଳର ଚଦର ଦିଆଯାଇଥାଏ।

ପ୍ରତି ରଥର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଭୂଇଁରେ ‌ପ୍ରତି କୋଣରେ ତିନୋଟି ଲେଖାଏଁ ମୋଟ ୧୨ଟି କଣି ଫାଉଡ଼ା ସଂଯୋଗ କରାଯାଇଛି। ଏହାପ‌ରେ ରଥର ଭୂଇଁ ଚଉତା ଠାରୁ ରଥର ପୋଟଳ ପର୍ଯ୍ୟନ୍ତ ୧୦ ଫୁଟିଆ ପତଳା ବଟନ୍‌ ସଂଯୋଗ କରାଯାଇଛି। ତିନି ରଥରେ ପ୍ରଭାରେ ରୂପକାର ସେବକମାନେ ଖୋଦେଇ କାମ ଆଜି ସଂପୂର୍ଣ୍ଣ କରିଛନ୍ତି। ତଳେ ମଗରମୁଖ ଓ ଦୁଇପାର୍ଶ୍ବରେ ପଦ୍ମଫୁଲ ଡାଳି ଖୋଦେଇ ହୋଇଛି। ଉପରେ ରାହୁ ମୁଖ ଖୋଦେଇ ପରେ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଛି।

ତିନି ରଥରେ ପ୍ରଭା ସଂଯୋଗ ପାଇଁ ୨ଟି ଲେଖାଁଏ ଧୂଳିଦଣ୍ଡା ପ୍ରସ୍ତୁତ ହୋଇ ରହିଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ ରୂପକାର ଓ ଚିତ୍ରକର ସେବକମାନେ ପାର୍ଶ୍ବ ଦେବାଦେବୀ, ସଖୀ, ହଂସପଟା ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ରଥ ଚାରିପଟେ ରଙ୍ଗ କାର୍ଯ୍ୟ ବି ଜାରି ରହିଛି। ଦରଜୀ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ତିନି ରଥର କନା କାଟିବା ଓ ସିଲାଇ କରିବା କାମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର