ସିବିଏସ୍ଇ ପରୀକ୍ଷା ବାତିଲ : ସିବିଏସ୍ଇ, ଆଇସିଏସ୍ଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ବାତିଲ
୧୩ ସୁଦ୍ଧା ସିବିଏସଇ ଦଶମ ରେଜଲ୍ଟ!
ନୂଆଦିଲ୍ଲୀ : ସିବିଏସ୍ଇ ଓ ଆଇସିଏସ୍ଇ ପକ୍ଷରୁ ଆସନ୍ତା ଜୁଲାଇ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସୁପ୍ରିମ କୋର୍ଟଙ୍କୁ ଏସଂପର୍କରେ ଅବଗତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସିବିଏସ୍ଇର ଦଶମ ପରୀକ୍ଷାକୁ ବାତିଲ କରି ଦିଆଯାଇଥିବା ବେଳେ ଦ୍ବାଦଶ ପରୀକ୍ଷାକୁ କରୋନା ପରିସ୍ଥିତି ସୁଧୁରିଲା ପରେ କରାଯିବାର ସମ୍ଭାବନା ରହିଛି। ତେବେ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଇଚ୍ଛାଧୀନ। ସିବିଏସ୍ଇର ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପରେ ଚାହିଁଲେ ପରୀକ୍ଷା ଦେଇ ପାରିବେ କିମ୍ବା ପୂର୍ବର ୩ଟି ଇଣ୍ଟରନାଲ ପରୀକ୍ଷାର ଆକଳନ ଭିତ୍ତିରେ ସେମାନଙ୍କ ମୂଲ୍ୟାୟନ କରାଯିବ। କିନ୍ତୁ ସିବିଏସ୍ଇର ଦଶମ କିମ୍ବା ଆଇସିଏସ୍ଇର ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଏହି ବିକଳ୍ପ ଉପଲବ୍ଧ ହେବନାହିଁ।
ଦିଲ୍ଲୀ, ମହାରାଷ୍ଟ୍ର ଓ ଓଡ଼ିଶା ସରକାର ପରୀକ୍ଷା ଆୟୋଜନ ପାଇଁ ସେମାନଙ୍କ ଅସମର୍ଥତା ବ୍ୟକ୍ତ କରିବା ପରେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ସୁପ୍ରିମ୍ କୋର୍ଟଙ୍କ ନିକଟରେ ପରୀକ୍ଷା ବାତିଲ କରିବା ନେଇ ସୂଚନା ଦେଇଛନ୍ତି।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରୀକ୍ଷା ବାତିଲ କରିବା ପାଇଁ ଅଭିଭାବକମାନେ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ପରୀକ୍ଷାକୁ ବାତିଲ କରିବା ପାଇଁ ସେମାନେ ନିବେଦନ କରିଥିଲେ। ତେବେ ସିବିଏସ୍ଇ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲା। ତେଣୁ ଆଜି ସିବିଏସ୍ଇ ପକ୍ଷରୁ ଦଶମ ଶ୍ରେଣୀ ପାଇଁ ହେବାକୁ ଥିବା ଅବଶିଷ୍ଟ ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ ଦ୍ବାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ପାଇଁ ଇଚ୍ଛାଧୀନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଭ୍ୟନ୍ତରୀଣ ମୂଲ୍ୟାୟନ ଯୋଜନା ସଂକ୍ରାନ୍ତ ବିସ୍ତୃତ ସୂଚନା ଏବଂ ୨୦୨୦ ବର୍ଷର ପରୀକ୍ଷା ଫଳ ପ୍ରକାଶ କରିବାର ସମୟ ସାରଣୀ ସମ୍ପର୍କିତ ଯୋଜନା ବିଷୟରେ ସିବିଏସ୍ଇ ଆସନ୍ତାକାଲି ସୁଦ୍ଧା ପ୍ରକାଶ କରିବ। ତେଣୁ ଦଶମ ଶ୍ରେଣୀ ସିବିଏସ୍ଇ ପରୀକ୍ଷା ଫଳ ଆସନ୍ତା ୧୩ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଆଇସିଏସ୍ଇ ପକ୍ଷରୁ ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ଆଭ୍ୟନ୍ତରୀଣ ମୂଲ୍ୟାୟନ ଆଧାରରେ କରାଯିବ। ତେଣୁ ଆଇସିଏସ୍ଇର ଦଶମ ଓ ଦ୍ବାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ହେବାର ନାହିଁ ବୋଲି ସ୍ପଷ୍ଟ ହୋଇଛି।