ମାସେ ପରେ ଭଉଣୀକୁ ଫେରି ପାଇଲା ଭାଇ

ଭୁବନେଶ୍ବର: ଦୀର୍ଘ ମାସେ ହେଲା ଗଳି କନ୍ଦିରୁ ନେଇ ସହର ପର୍ଯ୍ୟନ୍ତ ଭଉଣୀକୁ ଖୋଜି ବୁଲୁଥିଲେ। ମାନସିକ ବିକାରଗ୍ରସ୍ତ ଭଉଣୀ କୋଉଠି ରହୁଥିବ, ସେନେଇ ଘରଲୋକ ଚିନ୍ତାରେ ପଡ଼ି ଯାଇଥିଲେ। ଶେଷରେ ଗଙ୍ଗନଗରସ୍ଥିତ ବାସହୀନଙ୍କ ସହର ଆଶ୍ରୟସ୍ଥଳୀରୁ ନିଜ ଭଉଣୀକୁ ଉଦ୍ଧାର କରିଛନ୍ତି ବ୍ରହ୍ମପୁର ତାଲୁକା ଅଞ୍ଚଳର ଅମର ନାୟକ। ମହିଳାଜଣକ ହେଲେ, ରୁବି ନାୟକ। ବୟସ ୩୩ବର୍ଷ। ରୁବି ନିଜ ମା’ଙ୍କ ସହ ଗାଁରେ ରହୁଥିଲେ। ଅଭାବ ଯୋଗୁଁ ରୁବି କିଛି ବର୍ଷ ତଳେ ଜଣେ ମହିଳାଙ୍କ ସହଯୋଗରେ ଓଡ଼ିଶା ବାହାରକୁ ପଳେଇ ଯାଇଥିଲେ। ରୁବିଙ୍କ ଭାଇ ଅମରଙ୍କ କହିବା ମୁତାବକ, ରୁବି ବେଙ୍ଗାଲୁରୁରେ ଏକ ଫ୍ୟାକ୍ଟ୍ରିରେ କାମ କରି କିଛି ଅର୍ଥ ଉପାର୍ଜନ କରିଥିଲେ। ମାତ୍ର ରୋଜଗାର କରିଥିବା ଟଙ୍କା ଯାହା ପାଖରେ ରଖିଥିଲେ ସେ ଆଉ ଦେଲେ ନାହିଁ। ତେଣୁ ୬ ମାସ ତଳେ ଏଇ କଥା ନେଇ ରୁବି ଅଧିକ ଚିନ୍ତିତ ହୋଇ ପଡ଼ିଥିଲେ। ତାଙ୍କ ମାନସିକ ସ୍ଥିତି ବିଗିଡ଼ିବା ଆରମ୍ଭ ହୋଇଥିଲା। ଏନେଇ ଅମର ନିଜ ଭଉଣୀଙ୍କୁ ଡାକ୍ତର ଦେଖାଇ ଚିକିତ୍ସା ଚଲାଇଥିଲେ। ତେବେ ନିକଟରେ ରୁବିଙ୍କ ମା’ଙ୍କୁ ଏକ ଷଣ୍ଢ କଚାଡ଼ି ଦେବାରୁ ତାଙ୍କୁ ଆଣି କଟକ ମେଡିକାଲରେ ଭର୍ତି କରିବାକୁ ପଡ଼ିଥିଲା। ସେଠାରେ ତାଙ୍କ ମା’ଙ୍କର ୧୮ ଦିନ ଚିକିତ୍ସା ଚାଲିଲା। ଫଳରେ ଏହି ସମୟରେ ରୁବିଙ୍କୁ ଧ୍ୟାନ ଦେବା ସମ୍ଭବ ହୋଇପାରିଲା ନାହିଁ ବୋଲି ରୁବିଙ୍କ ଭାଉଜ ଲତା ନାୟକ କହିଛନ୍ତି । ତେଣୁ ରୁବିଙ୍କ ମାନସିକ ସ୍ଥିତି ଆହୁରି ବିଗିଡ଼ିବା ଆରମ୍ଭ ହେଲା। ଏ ଭିତରେ ରୁବିଙ୍କ ମା’ ଭଲ ହୋଇ ଘରକୁ ଫେରି ଯାଇଥିଲେ।

ମାସେ ତଳେ ରୁବି ଓ ତାଙ୍କ ମା’ ଅମରଙ୍କ ନିକଟକୁ ଚକେଇସିଆଣିସ୍ଥିତ ଘରକୁ ଆସିଥିଲେ। ଅମର ଓ ଲିସା ମଞ୍ଚେଶ୍ବର ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିବାରୁ ରୁବିଙ୍କୁ ସମ୍ଭାଳିବା ସମ୍ଭବ ହେଲା ନାହିଁ। ତେଣୁ ସେ ଭଉଣୀକୁ ନେଇ ମିସନ ଆଶ୍ରାକୁ ଯାଉଥିବା ବେଳେ ଆଇଗିଣିଆ ନିକଟରେ ରୁବି କୁଆଡ଼େ ପଳେଇଗଲେ। ଏହା ପରେ ଅମର ନିଜର ବନ୍ଧୁ ଓ ଗାନ୍ଧୀ ମାର୍କେଟରେ ରହୁଥିବା ଭଉଣୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ତେବେ ପୁଲିସକୁ ଏନେଇ ଖବର ଦେଇନଥିଲେ। ସଂଯୋଗବଶତଃ ମାସେ ତଳେ ଗଙ୍ଗନଗର ଆଶ୍ରୟସ୍ଥଳୀ ପକ୍ଷରୁ ଉଦ୍ଧାର ପ୍ରକ୍ରିୟା ଚାଲିଥିବା ବେଳେ ରୁବିଙ୍କୁ ଅଶୋକନଗର ନିକଟରୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା। କୌଣସି ସୂତ୍ରରୁ ରୁବି ଆଶ୍ରୟସ୍ଥଳୀରେ ରହୁଥିବା ଖବର ପାଇ ଅମର ତାଙ୍କୁ ନେବାକୁ ପହଞ୍ଚିଥିଲେ। ସେ ରୁବିଙ୍କ ଆଧାରକାର୍ଡ ଆଣି ତାଙ୍କୁ ଆଶ୍ରୟସ୍ଥଳରୁ ନେଇଛନ୍ତି।

ସମ୍ବନ୍ଧିତ ଖବର