ରାଜଧାନୀରେ କରୋନା ଭୟଙ୍କର : ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ୨୫୦ ଟପିଲା

୨୫ ଜିଲ୍ଲାକୁ ପଛରେ ପକାଇଲା ରାଜଧାନୀ, ବ୍ରହ୍ମପୁର ୪ ଦିନ ସଟ୍‌ଡାଉନ୍‌

ଭୁବନେଶ୍ବର : ମାର୍ଚ ମାସରେ ରାଜଧାନୀରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ‌ହୋଇଥିଲେ। ଏହାର ପରବର୍ତୀ ଦିନଗୁଡ଼ିକରେ ରାଜଧାନୀର ଏହି ସଂଖ୍ୟା ବଢ଼ିଥିଲା। ସୂର୍ଯ୍ୟନଗର ଓ ବମିଖାଲ ଅଞ୍ଚଳରୁ ଏକାଧିକ ରୋଗୀ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ପାଇଁ ଏକପ୍ରକାର ଆହ୍ବାନ ସୃଷ୍ଟି କରିଥିଲା। ଏହି ଅଞ୍ଚଳକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଘୋଷଣା କରି କରୋନା ମୁକାବିଲା ପାଇଁ ଆଗେଇ ଆସିଥିଲେ ରାଜ୍ୟ ସରକାର। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଜଣେ ହେଲେ ବି ଆକ୍ରାନ୍ତ ନ ଥିବା ବେଳେ ଭୁବନେଶ୍ବର ଓଡ଼ିଶାର ପ୍ରଥମ ହଟସ୍ପଟ୍‌ ହେବା ସହିତ ରାଜଧାନୀକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଥିଲା। ରାଜଧାନୀରେ କରୋନାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ଜୋରଦାର କୋଭିଡ୍‌ ପରୀକ୍ଷା ଉପରେ ଗୁରୁତ୍ବ ଦେଇଥିଲେ।

ରାଜ୍ୟ‌ରେ ଏହି ସମୟରେ ଅଧିକ କୋଭିଡ୍‌ ପରୀକ୍ଷା କରିବାର କ୍ଷମତା ନ ଥାଇ ମଧ୍ୟ ରାଜ୍ୟ ସରକାର ସପ୍ତାହରେ ୫ ହଜାର ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଧୀରେ ଧୀରେ ରାଜଧାନୀରେ କରୋନା ଏକପ୍ରକାର ନିୟନ୍ତ୍ରଣ ସ୍ଥିତିକୁ ଆସିଥିଲା।

ମାତ୍ର ଏବେ ରାଜଧାନୀରେ ଏପ୍ରିଲ ମାସ ସ୍ଥିତି ଫେରିବା ଆରମ୍ଭ କଲାଣି। ଜୁନ୍‌ ମାସ ଆରମ୍ଭରୁ ରାଜଧାନୀରେ ପୁନର୍ବାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆରମ୍ଭ କରିଛି। ଏପରିକି ସଂଖ୍ୟା ୨୫୦ ପାର୍ କରି ସାରିଲାଣି। ରାଜ୍ୟର ୨୫ଟି ଜିଲ୍ଲାରେ ସଂକ୍ରମଣ ରାଜଧାନୀର ସଂଖ୍ୟାଠାରୁ ପଛରେ ଅଛନ୍ତି। ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ସ୍ଥାନୀୟ ସଂକ୍ରମିତ ଆକ୍ରାନ୍ତ ଚିହ୍ନଟ ହେବା ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ନୁହେଁ ରାଜଧାନୀର ବିଭିନ୍ନ ସ୍ଥାନ ଓ ବସ୍ତିରେ କ‌ରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଗଲାଣି। ଏକାଧିକ ଘରୋଇ ହସ୍ପିଟାଲର ବହୁ ସଂଖ୍ୟାରେ କର୍ମଚାରୀ ସଂକ୍ରମିତ ହୋଇଛନ୍ତି।

ରାଜଧାନୀରେ ଜୋରଦାର କୋଭିଡ୍‌ ପରୀକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବହୁ ସଂଖ୍ୟାରେ ଏଲ୍‌ଟିମାନଙ୍କୁ ନିୟୋଜିତ କରାଯିବା ସହିତ ସ୍ବାବ୍ ସଂଗ୍ରହ କରାଯାଇଥିଲା। ରାଜଧାନୀରେ ଏକଦା ୧୨ଟି କ୍ୟାମ୍ପ୍‌ରେ ସ୍ବାବ୍ ସଂଗ୍ରହ ହେଉଥିବା ବେଳେ ଏବେ ତାହା ୩ କୁ ଖସି ଆସିଛି। ଏପରିକି ସବୁଦିନ ଏହି କ୍ୟାମ୍ପ୍‌ ମଧ୍ୟ କାର୍ଯ୍ୟକ୍ଷମ ହେଉ ନ ଥିବା ନଜରକୁ ଆସିଛି। କେବଳ କ୍ୟାପିଟାଲ ହସ୍ପିଟାଲ ପରିସରରେ ସ୍ବତନ୍ତ୍ର ଭାବେ ଖୋଲା ଯାଇଥିବା କୋଭିଡ୍‌ ଓପିଡିରୁ ନିୟମିତ ଓ କ୍ୟାମ୍ପ୍‌କୁ ମିଶାଇଲେ ପ୍ରତ୍ୟେକ ଦିନ ଏହି ସଂଖ୍ୟା ୩ଶହ ଟପୁ ନ ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟରେ କୋଭିଡ୍‌ ପରୀକ୍ଷା ପାଇଁ ଅନୁ ମୋଦନ ହାସଲ କରିଥିବା ସିଂହ ଭାଗ ଲ୍ୟାବ୍‌ କେବଳ ରାଜଧାନୀରେ ରହିଛି। ଗୋଟିଏ ପଟେ ରାଜଧାନୀରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ପରୀକ୍ଷା କମିବା ସରକାରଙ୍କ କରୋନା ମୁକାବିଲାକୁ ପଦାରେ ପକାଇଛି।

ବ୍ରହ୍ମପୁର ୪ ଦିନ ସଟ୍‌ଡାଉନ୍‌
ବ୍ରହ୍ମପୁର : ବ୍ରହ୍ମପୁର ମହାନଗରରେ ୮ ଦିନରେ କରୋନା ପଜିଟିଭ୍‌ ସଂଖ୍ୟା ୫୦ ଛୁଇଁଛି। ବିଏମ୍‌ସି ଅଂଚଳରେ କରୋନା ସଂକ୍ରମଣ ରୋକିବା ଲାଗି ଆସନ୍ତା ଶନିବାର ଠାରୁ ମଙ୍ଗଳବାର ୪ଦିନ ମହାନଗରକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଗଂଜାମ ଜିଲ୍ଲାପାଳ। ସଟ୍‌ଡାଉନ୍‌ ସମୟରେ କେବଳ ଔଷଧ ଦୋକାନ, ସ୍ବାସ୍ଥ୍ୟ ସେବା ଏବଂ କ୍ଷୀର ଯୋଗାଣ ଜାରିରହିବ। ଅନ୍ୟ ସମସ୍ତ ଦୋକାନ, ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିବ। ଜିଲ୍ଲାପାଳ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଜିଲ୍ଲାକୁ ଅଧିକ ସଂଖ୍ୟାରେ ପ୍ରବାସୀ ଫେରିଛନ୍ତି, ସେଥିପାଇଁ କରୋନା ପଜିଟିଭ୍‌ ସଂଖ୍ୟା ଅଧିକ ଆସୁଛି। ଏଣୁ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ କୋଭିଡ଼-୧୯ର ସମସ୍ତ କଟକଣା ମାନି ଚଳିବାକୁ ପଡ଼ିବ। ବ୍ରହ୍ମପୁର ମହାନଗରରେ ପଜିଟିଭ୍‌ ସଂଖ୍ୟା ବଢ଼ିଛି। ତେଣୁ ଆକ୍ଟିଭ୍‌ କଣ୍ଟାକ୍ଟ ଟ୍ରେସିଂ, ସେମାନଙ୍କୁ ଆଇସୋଲେସନ୍‌ ଏବଂ ହୋମ୍‌ କ୍ବାରାଣ୍ଟିନ୍‌ ଯାଞ୍ଚ୍‌ର ଆବଶ୍ୟକତା ଅଛି।

ସମ୍ବନ୍ଧିତ ଖବର