ଭଗବାନ ଶିବ କାହିଁକି ବାଘର ଛାଲ ପରିଧାନ କରନ୍ତି! ଜାଣନ୍ତୁ ଏହାର କାରଣ
ପୌରାଣିକ ଆଖ୍ୟାନ ଏବଂ କାହାଣୀଗୁଡ଼ିକରେ ଭଗବାନ ଶିବଙ୍କର ରୂପକୁ ଯେଉଁଭଳି ଭାବେରେ ବର୍ଣ୍ଣନା କରାଯାଇଛି, ତାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ । ଗୋଟିଏ ହାତରେ ଡ଼ମ୍ବୁରୁ ତ ଅନ୍ୟ ଏକ ହାତରେ ତ୍ରିଶୂଳ, ଗଳାରେ ସର୍ପ ଏବଂ ଜଟାରେ ଗଙ୍ଗାମାତାଙ୍କୁ ଧାରଣ କରିଛନ୍ତି ଭଗବାନ ଭୋଳାଶଙ୍କର। ଏଥିସହିତ ଶିବଙ୍କ ସଂପୂର୍ଣ୍ଣ ଶରୀରରେ ମଶାଣିର ପାଉଁଶ ଲେପନ ହୋଇଥିବା ବେଳେ ସେ ବାଘର ଛାଲ ପରିଧାନ କରିଥିବା ଦେଖିବାକୁ ମିଳେ। ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିଥାଏ, କାହିଁକି ଭଗବାନ ଶିବ ତାଙ୍କ ଶରୀରକୁ ବାଘର ଛାଲରେ ଆଚ୍ଛାଦିତ କରିଛନ୍ତି? ତେବେ ଆମେମାନେ ଭଗବାନ ଶିବଙ୍କର ଯେତେ ବି ଫଟୋକୁ ଦେଖିଛେ, ସେଥିରେ ସେ ବାଘର ଛାଲକୁ ବସ୍ତ୍ର ରୂପେ ଧାରଣ କରିଛନ୍ତି, ଅଥବା ବାଘଛାଲ ବିଛାଇ ତା’ ଉପରେ ବିରାଜମାନ କରୁଥିବାର ଦେଖାଯାଇଛନ୍ତି। ତେବେ କ’ଣ ଆପଣ ଜାଣନ୍ତି କି ଭଗବାନ ଶଙ୍କରଙ୍କୁ ବାଘ ଛାଲ କାହିଁକି ଭଲଲାଗେ ବା ବାଘଛାଲ ସହିତ ତାଙ୍କର କ’ଣ ସମ୍ବନ୍ଧ ରହିଛି?
Sambad is now on WhatsApp
Join and get latest news updates delivered to you via WhatsApp
ଶିବପୂରାଣ ମୁତାବକ, ଏକଦା ଭଗବାନ ଶିବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁକରୁ ଏକ ଜଙ୍ଗଲରେ ପହଁଞ୍ଚଥିଲେ। ଯେଉଁଠାରେ କି ପୂର୍ବରୁ ଅନେକ ଋଷି-ମୁନିଗଣ ସେମାନଙ୍କ ପରିବାର ସହିତ ଅବସ୍ଥାନ କରୁଥିଲେ। ତେବେ ଏଠାରେ ପହଞ୍ଚଲା ପରେ ମହାଯୋଗୀ ଶଙ୍କର ନିର୍ବସ୍ତ୍ର ହୋଇ ବୁଲୁଥିଲେ। କିନ୍ତୁ ତାଙ୍କୁ ଏହା ଜ୍ଞାତ ନ ଥିଲା। ଯାହାଫଳରେ ଭଗବାନ ଶିବଙ୍କ ଉଜ୍ଜ୍ୱଳ ଶରୀରକୁ ଦେଖି ଋଷି-ମୁନିଗଣମାନଙ୍କର ପତ୍ନୀମାନେ ଆକର୍ଷିତ ହେବାକୁ ଲାଗିଲେ। ସେମାନେ ନିଜର ସମସ୍ତ କାର୍ଯ୍ୟ ଛାଡ଼ି କେବଳ ଶିବଙ୍କ ଉପରେ ଧ୍ୟାନ ଦେବାକୁ ଲାଗିଲେ। ଯେତେବେଳେ ନିଜ ପତ୍ନୀମାନଙ୍କର ଏପରି ଅବସ୍ଥା ଋଷି ଓ ମୁନିଗଣ ଜାଣିଲେ (ଯାହାଙ୍କୁକି ସେମାନେ ଜଣେ ସାଧାରଣ ମାନବ ବୋଲି ଭାବୁଥିଲେ);ସେତେବେଳେ ସେମାନେ ଶିବଙ୍କ ଉପରେ କ୍ରୋଧୀତ ହୋଇଗଲେ। ତେଣୁ ସମସ୍ତେ ମିଶି ଶିବଙ୍କୁ ଉଚିତ୍ ଶିକ୍ଷା ଦେବାଲାଗି ଏକ ଯୋଜନା ପ୍ରସ୍ତୁତ କଲେ। ସେମାନେ ଶିବଙ୍କ ଆତଯାତ ମାର୍ଗରେ ଏକ ବଡ଼ ଗାଢ଼ଟିଏ ଖୋଳିଲେ ଆଉ ଯେତେବେଳେ ପ୍ରଭୁ ସେହି ବାଟରେ ଯାଉଥିଲେ ଉକ୍ତ ଗାଢ଼ରେ ଗଳିପଡ଼ିଲେ। ପୂର୍ବପ୍ରସ୍ତୁତି ଅନୁଯାୟୀ, ଋଷି-ମୁନୀଗଣ ସେହି ଗାଢ଼କୁ ଏକ ବାଘକୁ ମଧ୍ୟ ଠେଲିଦେଲେ। ଉଦ୍ଦେଶ୍ୟ ଥିଲା ବାଘ ଶିବଙ୍କୁ ମାରିକରି ଖାଇଦେବ! ହେଲେ ଏହାପରେ ଯାହା ଘଟିଲା, ତାହା ଦେଖି ଋଷିଗଣ ଆଶ୍ଚର୍ଯ୍ୟଚକିତ ହୋଇଗଲେ। କାରଣ ଶିବ ସେହି ବାଘକୁ ମାରି ତାହାର ଛାଲ ପରିଧାନ କରି ଗାଢ଼ ବାହାରକୁ ବାହାରିଲେ। ଏହାପରେ ସେଠାରେ ଉପସ୍ଥିତ ରହିଥିବା ସମସ୍ତ ଋଷି-ମୁନିଗଣ ଭଗବାନ ଶିବ କୌଣସି ସାଧାରଣ ମନୁଷ୍ୟ ନୁହଁନ୍ତି ବୋଲି ଜାଣିବାକୁ ପାଇଲେ। ସେହିଦିନଠାରୁ ହିଁ ଭଗବାନ ଶିବଙ୍କୁ ସଦାସର୍ବଦା ବାଘର ଛାଲ ତାଙ୍କର ବସ୍ତ୍ର ରୂପେ ପରିଧାନ କରୁଥିବା ଓ ତାହା ଉପରେ ବିରାଜମାନ କରୁଥିବାର ଦେଖାଯାଏ।