ଜୋର୍ ଧରିଲା ରାସନ ଦୁର୍ନୀତିି ତାତି, ମୁଖ୍ୟମନ୍ତ୍ରୀଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
ଯାଜପୁର : ଯାଜପୁର ଜିଲ୍ଲାର ଚର୍ଚ୍ଚିତ ରାସନ ଦୁର୍ନୀତିକୁ ନେଇ ସରକାର କାଠଗଡ଼ାରେ ଛିଡ଼ା ହୋଇଛନ୍ତି। ଧର୍ମଶାଳା ବିଡିଓ ସତ୍ୟପାଠରେ ଯାହା ଦର୍ଶାଇଛନ୍ତି, ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଯେଉଁମାନଙ୍କୁ କୋଠାଘର ଥିବା ଦର୍ଶାଇ ରାସନ ସାମଗ୍ରୀରୁ ବଂଚିତ କରାଯାଇଛି, ପ୍ରକୃତରେ ସେହି ପରିବାର ଜରିପାଲ ତଳେ କାଳାତିପାତ କରୁଛନ୍ତି। ଆହୁରି ବି କିଏ ଭଙ୍ଗା କୁଡ଼ିଆରେ ରହୁଛନ୍ତି। ବିଡିଓଙ୍କ ସତ୍ୟପାଠ ପରଠାରୁ ଜିଲ୍ଲା ପ୍ରଶାସନର ଗରିବ ପରିବାର ପ୍ରତି ଚରମ ଉଦାସୀନତାକୁ ନେଇ ବି ପ୍ରଶ୍ନ ଉଠିଛି। ଏପରି ସ୍ଥଳେ, ବିରୋଧୀମାନେ ବି ଏହି ପ୍ରସଙ୍ଗରେ ପ୍ରଶାସନକୁ ଘେରିବା ଆରମ୍ଭ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯାଜପୁର ଜିଲ୍ଲାରେ ୮ହଜାର ୫୯୫ ପଡ଼ିକାର୍ଡଧାରୀଙ୍କର ପତ୍ତା ପ୍ରଶାସନ ନପାଇବାରୁ ସେମାନଙ୍କର କରୋନା ସହାୟତା ରାଶି ୪ମାସ ହେଲା ବଣ୍ଟନ ନହୋଇ ପଡ଼ିରହିଛି। ଏହି କାର୍ଡ଼ଧାରୀଙ୍କର ପରିବାର ସଦସ୍ୟ ସଂଖ୍ୟା ପ୍ରାୟ ୨୫ହଜାର। ସେମାନଙ୍କ ନାଁରେ ଆଜି ପର୍ଯ୍ୟନ୍ତ ଆସୁଥିବା ରାସନ ସାମଗ୍ରୀ ହଡ଼ପ ହେଉଛି। ଏହି କେଳେଙ୍କାରୀ ଧରାପଡ଼ିବା ସହିତ ଅତି ଦରିଦ୍ର ଲୋକଙ୍କୁ ରାସନ ସାମଗ୍ରୀ ପ୍ରଦାନରୁ ବଞ୍ଚିତ କରି ଧନୀ, ପ୍ରଭାବଶାଳୀ, ସରକାରୀ କର୍ମଚାରୀ, ପେନସନଭୋଗୀ, ଗାଡ଼ି ମାଲିକ,୨ ମହଲା କୋଠାଘର ଥିବା ବ୍ୟବସାୟୀ ଓ କେତେକ ଡିଲର ମଧ୍ୟ ରାସନ କାର୍ଡ ହାତେଇ ନେଇଛନ୍ତି। କରୋନାରେ ଗରିବ ଲୋକ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ଗରିବ ଲୋକ ରାସନକୁ ବଞ୍ଚିତ ହେଉଥବା ନେଇ ସୂଚନା ଅଧିକାରୀ କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରା ଜନସ୍ବାର୍ଥ ମାମଲା କରିଛନ୍ତି। ଏଥିରେ ଧର୍ମଶାଳା ବିଡିଓ ସ୍ମିତା ରଥ ଦେଇଥିବା ସତ୍ୟପାଠ ପ୍ରଶାସନ ତଥା ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇ ଦେଇଛି।
ବିଡିଓ ତାଙ୍କ ସତ୍ୟପାଠରେ ଏକନମ୍ବରରେ ଦର୍ଶାଇଛନ୍ତି ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ତଥା ଗାଁର ଦୀନବନ୍ଧୁ ବେହେରାଙ୍କର ପତ୍ନୀ ରମା ଦେଈଙ୍କର ଏକ କୋଠାଘର ରହିଛି। ସେଥିପାଇଁ ତାଙ୍କୁ ରାସନ ପ୍ରଦାନରୁ ବଞ୍ଚିତ କରାଯାଇଛି। ମାତ୍ର ରମା ଦେଈଙ୍କର ଘର ତ ନାହିଁ। ତାଙ୍କ ପରିବାର ଏକ ଜରି ତଳେ ଆଶ୍ରୟ ନେଇଛନ୍ତି। ସ୍ମରଣଯୋଗ୍ୟ ସେହିପରି ୪ନମ୍ବରରେ ଦର୍ଶାଯାଇଥିବା ମହିସରା ପଞ୍ଚାୟତର ରମ୍ପେଇ ଗ୍ରାମର ମାୟାଧର ବିଶ୍ବାଳଙ୍କର ପତ୍ନୀ ସ୍ବର୍ଣ୍ଣଲତା ବିଶ୍ବାଳଙ୍କର ୬ବଖରା କୋଠାଘର ଥିବା ବିଡିଓ ସତ୍ୟପାଠରେ କହିଛନ୍ତି। ମାତ୍ର ସ୍ବର୍ଣ୍ଣଲତାଙ୍କର ବି ସେହିପରି ଏକ ଭଙ୍ଗା କୁଡ଼ିଆ। ଏହି ଘର ଦୁଇଟିର ଫଟୋ ସହିତ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଟୁଇଟ୍ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହିତ ଧର୍ମଶାଳା ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ପ୍ରକାଶଥାଉକି, ଜିଲ୍ଲାର ରାସନ କେଳେଙ୍କାରୀ ପ୍ରସଙ୍ଗକୁ ନେଇ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ଲଗାତାର ଖବର ପ୍ରକାଶ କରିବା ପରେ ରାସନ ସାମଗ୍ରୀରୁ ବଞ୍ଚିତ କିଛି ଗରିବ ପରିବାରକୁ ରାସନ ସାମଗ୍ରୀ ମିଳିଛି। ତଥାପି ଅନେକ ଗରିବ ଏବେ ବି ରାସନ ଓ ରିଲିଫ ସାମଗ୍ରୀରୁ ବଞ୍ଚିତ ଅଛନ୍ତି। ଏବେ ଏହି ଘଟଣା ଉପରେ ସମସ୍ତଙ୍କର ନଜର।