ପରଲୋକରେ ପଣ୍ଡିତ ଯଶରାଜ
ନୂଆଦିଲ୍ଲୀ : ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ପଣ୍ଡିତ ଯଶରାଜଙ୍କର ଆଜି ଆମେରିକାର ନ୍ୟୁଜର୍ସିଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ପଣ୍ଡିତ ଯଶରାଜଙ୍କ ପରଲୋକରେ ଦୀର୍ଘ ୮୦ ବର୍ଷର ଶାସ୍ତ୍ରୀୟ ସଙ୍ଗୀତ ଯାତ୍ରାର ଅନ୍ତ ଘଟିଛି। ୧୦ ବର୍ଷ ବୟସରୁ ସେ ସଙ୍ଗୀତ ସାଧନା ଆରମ୍ଭ କରିଥିଲେ। ‘ବାପୁଜୀ ଆଉ ନାହାନ୍ତି’ ବୋଲି ପଣ୍ଡିତଙ୍କ ଝିଅ ତଥା ପ୍ରଖ୍ୟାତ ସଙ୍ଗୀତଜ୍ଞ ଦୁର୍ଗା ଯଶରାଜ୍ ଟ୍ବିଟ୍ କରି ଜଣାଇବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପଣ୍ଡିତ ଯଶରାଜଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଶାସ୍ତ୍ରୀୟ ସଙ୍ଗୀତ ଆକାଶରେ ପଣ୍ଡିତ ଜଣେ ଉଜ୍ଜ୍ବଳ ନକ୍ଷତ୍ର ଥିଲେ ଏବଂ ତାଙ୍କ ବିୟୋଗରେ ଦେଶ ଜଣେ ବଡ଼ ତାରକାଙ୍କୁ ହରାଇଲା ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେହିଭଳି ପଣ୍ଡିତଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଏବଂ ନୀତିନ ଗଡକରି ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
୧୯୩୦ ମସିହା ଜାନୁଆରି ୨୮ ତାରିଖରେ ହରିଆଣାର ହିସାର ଜିଲ୍ଲାର ପିଲିମନ୍ଦୋରି ଗାଁର ଏକ ବ୍ରାହ୍ମଣ ପରିବାରରେ ପଣ୍ଡିତ ଯଶରାଜ ଜନ୍ମ ହୋଇଥିଲେ। ଯଶରାଜଙ୍କୁ ମାତ୍ର ୪ ବର୍ଷ ହୋଇଥିବା ବେଳେ ତାଙ୍କ ପିତା ପଣ୍ଡିତ ମୋତିରାମଙ୍କର ପରଲୋକ ହୋଇଥିଲା। ତାଙ୍କ ବଡ଼ଭାଇ ପଣ୍ଡିତ ପ୍ରତାପ ନାରାୟଣଙ୍କ ପ୍ରଭାବରେ ଯଶରାଜ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଯଶରାଜଙ୍କ ପିଲାଦିନ ହାଇଦ୍ରାବାଦରେ କଟିଥିଲା। ଏହାପରେ ସେ ଗୁଜରାଟର ମେୱାଟି ଘରାନାରେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଲାଭ କରିଥିଲେ। ୧୯୪୬ରେ ସେ କୋଲକାତା ରେଡିଓରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ ଆରମ୍ଭ କରିଥିଲେ। କିଛି ବର୍ଷ କୋଲକାତାରେ ରହିବା ପରେ ଯଶରାଜ ମୁମ୍ବାଇକୁ ଚାଲି ଯାଇଥିଲେ। ୧୯୬୨ରେ ମୁମ୍ବାଇରେ ମଧୁରା ସାନ୍ତାରାମଙ୍କୁ ବିବାହ କଲେ। ପତ୍ନୀ ମଧୁରାଙ୍କ ନିର୍ଦ୍ଦେଶିତ ଅନେକ ଚଳଚ୍ଚିତ୍ରରେ ଯଶରାଜ କଣ୍ଠଦାନ କରିଛନ୍ତି। ବନ୍ଦନା କରୋ, ଯୁଗଳବନ୍ଦୀ, ୱାଦା ତୁମ୍ସେ ହୈ ୱାଦା, ଏ ସଙ୍ଗ ଇନ୍ ଲାଇଫ୍ ଅଫ୍ ପାଇ ଭଳି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି।
ଶାସ୍ତ୍ରୀୟ ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୫ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ସେହିଭଳି ୧୯୮୭ରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମି ପୁରସ୍କାର, ୧୯୯୦ରେ ପଦ୍ମଭୂଷଣ, ୨୦୦୦ରେ ପଦ୍ମ ବିଭୂଷଣ, ୨୦୧୦ରେ ସଙ୍ଗୀତ ନାଟକ ଏକାଡେମି ଫେଲୋସିପ୍, ୨୦୧୬ରେ ଗାଙ୍ଗୁଭାଇ ହଙ୍ଗାଲ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଭଳି ଅନେକ ପୁରସ୍କାର ମିଳିଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରିଛନ୍ତି। ପଣ୍ଡିତ ଯଶରାଜ ଭାରତୀୟ ଶାସ୍ତ୍ରୀୟ ସଂଗୀତର କିମ୍ବଦନ୍ତୀ ପୁରୁଷ ଓ ଅଦ୍ବିତୀୟ ଶାସ୍ତ୍ରୀୟ ଗାୟକ। ତାଙ୍କ ପରିବାର ଏବଂ ଆତ୍ମୀୟ ସ୍ବଜନଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଗଭୀର ସମବେଦନା ଜଣାଇଛନ୍ତି।