ଷ୍ଟେଟ୍‌ ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମରେ ନାଗ

ଭୁବନେଶ୍ବର : ଆଚାର୍ଯ୍ୟ ବିହାର ଛକ ନିକଟସ୍ଥ ଆଇଏମ୍‌ଏମ୍‌ଟି ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଷ୍ଟ୍ରଙ୍ଗ ରୁମ୍‌ରୁ ସାଢ଼େ ୩ ଫୁଟର ନାଗ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ବ୍ୟାଙ୍କ୍‌ର ଶାଖା ଅଧିକାରୀ ଆଜି ସକାଳେ ଷ୍ଟ୍ରଙ୍ଗରୁମରୁ ଟଙ୍କା ଉଠାଇବାକୁ କବାଟ ଖୋଲିବା ମାତ୍ରେ ସାପ ଥିବା ଦେଖିପାରିଲେ। ସାପ ଥିବା ଜାଣିବା ପରେ ବ୍ୟାଙ୍କ କର୍ତୃପକ୍ଷ ‌ସ୍ନେକ୍‌ ହେଲ୍‌ପ ଲାଇନ୍‌ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଯୋଗାଯୋଗ କରିଥିଲେ। ଶୁଭେନ୍ଦୁ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ଖୋଜାଖୋଜି ପରେ ସାପକୁ ପାଇ ନଥିଲେ। ଶେଷରେ ଏକ ଆଲମାରି ଘୁଞ୍ଚାଇବା ପରେ ଟଙ୍କା ରହୁଥିବା ଆଇରନ୍‌ ଚେଷ୍ଟ ତଳେ ସାପକୁ ଠାବ କରାଯାଇଥିଲା। ମୋବାଇଲ୍‌ରେ ସାପର ଫଟୋ ଉତ୍ତୋଳନ ପରେ ତାହା ନାଗ ବୋଲି ଚିହ୍ନଟ ହୋଇଥିଲା।

ସାପକୁ ଧରିବା ପାଇଁ ଚେଷ୍ଟ ତଳେ ଏକ ପ୍ଲାଷ୍ଟିକ୍‌ ପାଇପ୍‌ ଭର୍ତି କରିବାକୁ ବ୍ୟାଙ୍କ କର୍ମଚାରୀଙ୍କୁ କହିଥିଲେ। ସାପଟି ବାହାରକୁ ଆସିବା ପରେ ଶୁଭେନ୍ଦୁ ନାଗକୁ ଧରି ବାହାରକୁ ଆଣିଥିଲେ। ଷ୍ଟ୍ରଙ୍ଗ୍‌ ରୁମ୍‌ ପଛ ପାର୍ଶ୍ବରେ ଏକ ଝରକାରେ ଫାଙ୍କା ଥିବାରୁ ସେଇ ବାଟ ଦେଇ ସାପଟି ପଶିଥିବ ବୋଲି ଶୁଭେନ୍ଦୁ ସ୍ପଷ୍ଟ କରିବା ସହ ଫାଙ୍କ ସ୍ଥାନକୁ ସିଲ୍‌ କରିବାକୁ ବ୍ୟାଙ୍କ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ସାପଟିକୁ ବ୍ୟାଙ୍କଠୁ ଦୂରରେ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର