କୋହଲିଙ୍କୁ ପଛରେ ପକାଇଲେ ଇମ୍ରାନ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଟ୍ବିଟର୍‌ ଭୋଟିଂରେ ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର୍‌ ଇମ୍ରାନ ଖାନ୍‌ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିଥିଲା। ହେଲେ ପୂର୍ବତନ ପାକିସ୍ତାନ ଅଧିନାୟକ ଇମ୍ରାନ ସ୍ବଳ୍ପ ବ୍ୟବଧା‌ନରେ କୋହଲିଙ୍କୁ ପଛରେ ପକାଇ ବାଜି ମାରି ନେଇଥିଲେ। ୨୪ ଘଣ୍ଟା ଧରି ଚାଲିଥିବା ଏହି ଭୋଟିଂ ସାମାଜିକ ଗଣମାଧ୍ୟମରେ ପୂରା ଛାଇ ଯାଇଥିଲା। ଆଇସିସି ଦ୍ବାରା ଆରମ୍ଭ ହୋଇଥିବା ଏହି ଭୋଟିଂର ବିଷୟ ବସ୍ତୁ ଥିଲା ଯେ ‘‘ଅଧିନାୟକ ହେବା ପରେ କାହାର ବ୍ୟକ୍ତିଗତ ପ୍ରଦର୍ଶନରେ ଉନ୍ନତି ହୋଇଛି’’। ଇମ୍ରାନ ଖାନ୍‌ ଓ କୋହଲିଙ୍କ ସହ ପୂର୍ବତନ ଦକ୍ଷିଣ ଆଫ୍ରିକା ଖେଳାଳି ଏବି ଡି’ଭିଲିୟର୍ସ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ମେଗ୍‌ ଲାନିଙ୍ଗଙ୍କୁ ନେଇ ଆଇସିସି ଏହି ଭୋଟିଂ ଆରମ୍ଭ କରିଥିଲା। ଭୋଟିଂ ଆରମ୍ଭ ପୂର୍ବରୁ ଆଇସିସି ଏହି ଖେଳାଳିମାନଙ୍କ ପରିସଂଖ୍ୟାନକୁ ମଧ୍ୟ ଟ୍ବିଟର୍‌ ପୃଷ୍ଠାରେ ରଖିଥିଲା। ଏହାପରେ ଭୋଟିଂ ଆରମ୍ଭ ହୋଇଥିଲା। ମୋଟ ୫ ଲକ୍ଷ ୩୬ ହଜାର ଲୋକ ଭୋଟ ଦେଇଥିଲେ। ଏହା ମଧ୍ୟରୁ ୪୭.୩ ପ୍ରତିଶତ ଭୋଟ ପାଇ ଇମ୍ରାନ ବିଜୟୀ ହୋଇଥିଲେ। ହେଲେ ବିରାଟ ୪୬.୨ ପ୍ରତିଶତ ପାଇ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ଡି’ଭିଲିୟର୍ସଙ୍କୁ ୬ ପ୍ରତିଶତ ଏବଂ ଲାନିଙ୍ଗଙ୍କୁ ୦.୫ ପ୍ରତିଶତ ଭୋଟ ମିଳିଥିଲା।

ସୂଚନାଯୋଗ୍ୟ ଯେ ଅଧିନାୟକ ପୂର୍ବରୁ ଟେଷ୍ଟ୍‌ରେ ଇମ୍ରାନଙ୍କ ବ୍ୟାଟିଂ ଓ ବୋଲିଂ ହାରାହାରି ଯଥାକ୍ରମେ ୨୫.୪୩ ଓ ୨୫.୫୩ ଥିଲା। ହେଲେ ଅଧିନାୟକ ହେବା ପରେ ତାଙ୍କ ବ୍ୟାଟିଂ ଓ ବୋଲିଂ ହାରାହାରି ଯଥାକ୍ରମେ ୫୨.୩୪ ଓ ୨୦.୨୬ ରହିଥିଲା। ସେହିପରି ଅଧିନାୟକ ପୂର୍ବରୁ ଦିନିକିଆରେ କୋହଲିଙ୍କ ବ୍ୟାଟିଂ ହାରାହାରି ୫୧.୨୯ ଥିଲା ବେଳେ ପରେ ୭୩.୮୮ ହୋଇଛି।

ସମ୍ବନ୍ଧିତ ଖବର